ନୟାଗଡ଼ : ଝିଅକୁ ବିଷ ଖୁଆଇ ନିଜେ ଝୁଲି ପଡ଼ିଲେ ବାପା । ନୟାଗଡ଼ ସହର ଦେବୋତ୍ତର ଲେନ ୪ରେ ଗତ ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ବାପଝିଅ ହେଲେ ପୁଲକ ବିଶ୍ୱାଳ ଓ ତାଙ୍କ ୫ ବର୍ଷର ଝିଅ ପଲକ ବିଶ୍ୱାଳ । ପତ୍ନୀ ଓ ଝିଅଙ୍କୁ ନେଇ ପୁଲକ ବିଶ୍ୱାଳଙ୍କ ସଂସାର ବେଶ ହସଖୁସିରେ ଚାଲିଥିଲା । ମାତ୍ର ଅଚାନକ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଘୋଟି ଆସିଥିଲା କଳା ବାଦଲ । ଝିଅକୁ ନେଇ କିପରି ବାକି ଜୀବନ କାଟିବେ ସେ ଚିନ୍ତା ତାଙ୍କୁ ୩ ମାସ ପୂର୍ବେ ଦ୍ୱିତୀୟ ବିବାହ କରିଥିଲେ ପୁଲକ । ଗତ ସୋମବାର ପୁଲକଙ୍କ ଦ୍ୱିତୀୟ ପତ୍ନୀ ବାପ ଘରକୁ ଯାଇଥିଲେ । ବାପ ଘରେ ୨ ଦିନ ରହି ନୟାଗଡ଼ସ୍ଥିତ ସ୍ୱାମୀଙ୍କ ପାଖକୁ ଆସିବା ପରେ ଘର ଭିତରୁ କବାଟ ବନ୍ଦ ଥିଲା । ଭିତରୁ ତାଲା ପଡ଼ିଥିବା ଦେଖି ବହୁ ସମୟ ପର୍ଯ୍ୟନ୍ତ କବାଟ ବାଡେଇଥିଲେ । ପରେ ସନ୍ଦେହ ହେବାରୁ ପୁଲିସକୁ ଖବର ଦେଇଥିଲେ । ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନୟାଗଡ଼ ଟାଉନ ଥାନା ପୁଲିସ ବିଳମ୍ବିତ ରାତିରେ ପହଞ୍ଚି ତାଲା ଭାଙ୍ଗି ଘରେ ପଶିଥିଲା ।
ଘର ଭିତରେ ବାପାର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ୫ ବର୍ଷର ଝିଅର ମୃତଦେହ ବେଡରେ ପଡ଼ିରହିଥିବା ପୁଲିସ୍ ଦେଖିବାକୁ ପାଇଥିଲା । ଝିଅକୁ କୌଣସି ବିଷାକ୍ତ ଖାଦ୍ୟ ଦେବା ପରେ ପୁଲକ ଆତ୍ମହତ୍ୟା କରିଥିବା ନେଇ ପୁଲିସ ଅନୁମାନ କରୁଥିବା ବେଳେ ସବୁଦିଗକୁ ନେଇ ତଦନ୍ତ ଜାରୀ ରଖିଛି । ଏଥିସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିବା ପରେ ପରିବାର ଲୋକଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାଯାଇଛି । ତେବେ ଏପରି ଚରମ ନିଷ୍ପତ୍ତି ନେବା ପଛର କାରଣ କ’ଣ ତାହା ଜାଣିବାକୁ ତଦନ୍ତ ଆରମ୍ଭ କରିଛି ପୁଲିସ । ପୁଲିସ ପଲକଙ୍କ ଦ୍ୱିତୀୟ ପତ୍ନୀ ଓ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଥିବା ବେଳେ ଆତ୍ମହତ୍ୟା ପଛର ସେପରି କୌଣସି ଠୋସ କାରଣ ବାହାର କରି ପାରିନି । ତେବେ ଏହାର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛି ପୁଲିସ ।