ବାରିପଦା : ଛାତ୍ରୀଙ୍କ ପାଇଁ ପରୀକ୍ଷା ଖାତାରେ ଉତ୍ତର ଲେଖି ବନ୍ଧା ହୋଇଛନ୍ତି ଅଧ୍ୟାପିକା । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ। ଉଦଳା ରାଢୋ ଲୁଇପା ଡିଗ୍ରୀ କଲେଜ ଓଡିଆ ବିଭାଗର ଅଧ୍ୟାପିକା ତୁଳିକା ଆଶଙ୍କୁ ଗିରଫ କରିଛି ପୁଲିସ । ଗତ ଜୁଲାଇ ୨୭ ତାରିଖରେ କଲେଜରେ ଜୁଲୋଜି ବିଭାଗର ୪ର୍ଥ ସେମିଷ୍ଟର ପରୀକ୍ଷା ହୋଇଥିଲା । ପରୀକ୍ଷା ଦେବାକୁ ଜଣେ ଛାତ୍ରୀ ଆସିନଥିଲେ । ହେଲେ ଗିରଫ ଅଧ୍ୟାପିକା ଛାତ୍ରୀଙ୍କ ଖାତାରେ ଉତ୍ତର ଲେଖିବା ସହ ପରୀକ୍ଷା ନିୟନ୍ତ୍ରକଙ୍କ ଜାଲ ଦସ୍ତଖତ ମଧ୍ୟ ମାରି ଦେଇଥିଲେ । ଏନେଇ ପରୀକ୍ଷା ନିୟନ୍ତ୍ରକ କଲେଜ ପ୍ରିନ୍ସପାଲଙ୍କ ନିକଟରେ ଅଭିଯୋଗ କରିଥିଲେ । କଲେଜ ପ୍ରିନ୍ସପାଲ ଗିରଫ ଅଧ୍ୟାପିକାଙ୍କୁ ଡାକି ପଚରାଉଚରା କରିଥିଲେ । ପରେ କଲେଜ ପ୍ରିନ୍ସପାଲ ଅଧ୍ୟାପିକାଙ୍କୁ କାରଣ ଦର୍ଶାଅ ନୋଟିସ୍ କରିଥିଲେ । ଏହାସହ ଅଧ୍ୟାପିକାଙ୍କ ନାଁରେ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉଦଳା ଥାନା ପୁଲିସ ଘଟଣାର ତଦନ୍ତ କରି ତାଙ୍କୁ ଗିରଫ କରିଛି । ଏନେଇ ଗିରଫ ଅଧ୍ୟାପିକାଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ ।