ହାଇଦ୍ରାବାଦ: ‘ହମାସ’ ଗୋଷ୍ଠୀର ଆକ୍ରମଣ ପରେ ଗାଜା-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି ୧୧ତମ ଦିନରେ ପହଞ୍ଚିଛି । ‘ହମାସ’ ଆତଙ୍କୀ ଗୋଷ୍ଠୀ ଗାଜାରୁ ପ୍ରାୟତଃ ନିଶ୍ଚିହ୍ନ ହୋଇସାରିଥିବା ବେଳେ ଇସ୍ରାଏଲ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି । ସମ୍ପୂର୍ଣ୍ଣ ଅବରୋଧ ଥିବା ଗାଜାରେ ପ୍ରବଳ ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ହମାସର ଶେଷ ଆତଙ୍କୀଙ୍କୁ ନିପାତ କରାଯିବା ପରେ ଏହି ଅପରେସନ ଆଇରନ ସୋର୍ଡ ବନ୍ଦ କରାଯିବା ନେଇ ଇସ୍ରାଏଲ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନ୍ୟପଟେ ଇସ୍ରାଏଲର ଆକ୍ରମଣରେ ଗାଜାରେ ମୃତ୍ୟୁସଂଖ୍ୟା ପ୍ରାୟ ୩ ହଜାର ପାର କରିସାରିଥିବା ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ସାଧାରଣ ପାଲେଷ୍ଟାଇନ ନାଗରିକ ମଧ୍ୟ ରହିଛନ୍ତି ।
ଗାଜାରେ ଥିବା ପାଲେଷ୍ଟାଇନ ନାଗରିକମାନେ ମାନବୀୟ ସଙ୍କଟର ସାମ୍ନା କରୁଛନ୍ତି । ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ବିଲ୍ଡିଂ ତଳୁ ମୃତଦେହ ଉଦ୍ଧାର ହେବା ସହ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଆଜି ହମାସର ଆଉ ଜଣେ ଟପ କମାଣ୍ଡରକୁ ନିପାତ କରାଯାଇଥିବା ନେଇ ଇସ୍ରାଏଲ ଫୋର୍ସ ଦାବି କରିଛି । ଏୟାର ଷ୍ଟ୍ରାଇକର ଏକ ଭିଡିଓ ମଧ୍ୟ ଜାରି କରିଛି ଆଇଡିଏଫ । ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ପ୍ରାୟ ୩ ହଜାର ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଛି ଏବଂ ୧୨ ହଜାରରୁ ଅଧିକ ଆହତ ହୋଇଛନ୍ତି ।
ଏୟାର ଷ୍ଟ୍ରାଇକର ଆବର୍ଜନା ମଧ୍ୟରେ ଅନେକ ମୃତାହତ ରହିଛନ୍ତି । ଅନ୍ୟପଟେ ଇସ୍ରାଏଲର ତଥ୍ୟ ଅନୁଯାୟୀ, ୧୪୦୦ ରୁ ଅଧିକ ଇସ୍ରାଏଲ ନାଗରିକ ହମାସର ଆକ୍ରମଣରେ ମୃତ୍ୟୁ ଘଟିଛି । ସେହିପରି ୭ ତାରିଖ ଦିନ ରକେଟ ଆକ୍ରମଣ କରିବା ସହ ଇସ୍ରାଏଲ ସୀମାରେ ଅନୁପ୍ରବେଶ କରି ହମାସ ଆତଙ୍କୀମାନେ ଶିଶୁଙ୍କ ସମେତ ପ୍ରାୟ ୨ ଶହ ସାଧାରଣ ଇସ୍ରାଏଲୀ ନାଗରିକଙ୍କୁ ଅପହରଣ କରିନେଇଥିଲେ । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବର୍ବରତାର ସହ ହତ୍ୟା ମଧ୍ୟ କରିଥିଲେ ଆତଙ୍କୀ ।