କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ କୋଟଗଡ଼, ତୁମୁଡ଼ିବନ୍ଧ, ଦାରିଙ୍ଗବାଡ଼ି, ଭଳି ଦୁର୍ଗମ ଅଞ୍ଚଳରୁ ରୋଗୀ ନିତିଦିନ ଚିକିତ୍ସା ପାଇଁ ଆସିଥାନ୍ତି । ହେଲେ ଚିକିତ୍ସାଳୟରେ ଡାକ୍ତର ଅଭାବ ସହ ଅଲ୍ଟ୍ରାସାଉଣ୍ଡ ମେସିନ୍, ରକ୍ତଭଣ୍ଡାର ଥାଇ ମଧ୍ୟ ରୋଗୀଙ୍କ ସେବାରେ ଲାଗୁନାହିଁ । ତେବେ ଆଜି କୋଟଗଡ଼ ବ୍ଲକ ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଏକ ଗରିବ ପରିବାର ନିଜ ୧୦ ବର୍ଷ ବୟସର ଝିଅ ମନୀଷା ମଣ୍ଡଳର ଦେହ ଅସୁସ୍ଥ ଥିବାରୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସା ଳୟରେ ଭର୍ତ୍ତି କରିଥିଲେ ।
ଝିଅ ସିକଲ୍ସେଲ ରୋଗରେ ଆକ୍ରାନ୍ତ ହୋଇଥିବା ଯୋଗୁଁ ହଠାତ୍ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବା ସହିତ ରକ୍ତର ଆବଶ୍ୟକ ପଡ଼ିଥିଲା । ଫଳରେ ଗରିବ ପରିବାର ଲୋକେ ରକ୍ତ ନ ପାଇ ଦୁଃଖରେ ଭାଙ୍ଗି ପଡ଼ି ଥିଲେ । ଏହି ସମୟରେ ଦେବଦୂତ ସାଜି ବାଲିଗୁଡ଼ା ୧୨୭ ବାଟାଲିଆନ୍ କନଷ୍ଟେବଳ ପୀୟୂଷ କଲ୍ ଟିଆ ଚିକିତ୍ସାଳୟରେ ପହଞ୍ଚି ‘ବି’ ପଜିଟିଭ୍ ରକ୍ତଦାନ କରିଥିଲେ । ଫଳରେ ଛୋଟ ଶିଶୁଟି ନୂଆ ଜୀବନ ପାଇଛି । ଯବାନଙ୍କ ଏଭଳି ମହାନତାକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।