27.1 C
Bhubaneswar
Friday, August 12, 2022
Homeଓଡିଶାଦୁବାଇରେ ଟିମ୍ ନବୀନ: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଚାଲିଛି ପ୍ରସ୍ତୁତି

ଦୁବାଇରେ ଟିମ୍ ନବୀନ: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର: ଦୁବାଇରେ ଟିମ୍ ନବୀନ । ଜୁନ୍ ୨୯ରେ ଆୟୋଜିତ ହେବ ‘ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ’ । ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି। ଏଥିରେ ମଧ୍ୟପ୍ରାଚ୍ୟର ବହୁ ନାମୀ ଦାମୀ ନିବେଶକ ଯୋଗ ଦେବେ । ତେବେ ପୁଞ୍ଜିନିବେଶ ପାଇଁ ଓଡ଼ିଶା ଏକ ପ୍ରକୃଷ୍ଟ ସ୍ଥାନ ବୋଲି କନ୍‌କ୍ଲେଭରେ ତଥ୍ୟ ଉପସ୍ଥାପନା କରାଯିବ । ଦଶ ଦିନିଆ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଶକ ସମ୍ମିଳନୀ ପୂର୍ବରୁ ଇଟାଲୀରୁ ଦୁବାଇ ପହଞ୍ଚିସାରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ବ୍ୟତୀତ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ଇପିକଲର ସିଏମ୍‌ଡି ଭୁପିନ୍ଦର ସିଂହ ପୁନିଆ ଦୁବାଇ ପହଞ୍ଚିଛନ୍ତି ।

ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖ ସଚିବ ଭି.ଭି ଯାଦବ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଓ ଦିଲ୍ଲୀ ଆବାସିକ କମିଶନର ରବି କାନ୍ତ ବି ପୂର୍ବରୁ ଇଟାଲୀରୁ ଦୁବାଇ ପହଞ୍ଚିଛନ୍ତି । ଜୁନ୍ ୨୯ରେ ‘ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ’ ପୂର୍ବରୁ ଅର୍ଥାତ ସୋମବାର ମୁଖ୍ୟମନ୍ତ୍ରୀ ‘ଉଚ୍ଚସ୍ତରୀୟ ପ୍ରଶାସନିକ ଅଧିକାରୀ ଟିମ୍‌’ଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ଓଡ଼ିଶା ପୁଞ୍ଜିନିବେଶ ପାଇଁ କାହିଁକି ପ୍ରକୃଷ୍ଟ କ୍ଷେତ୍ର ତାହା ଉପରେ ତଥ୍ୟ ସମ୍ବଳିତ ରିପୋର୍ଟ ଦେବାକୁ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କହିଥିବା ଜଣାପଡ଼ିଛି । ମେକ୍ ଇନ୍ ଓଡ଼ିଶା କନକ୍ଲେଭ ରାଜ୍ୟ ଶିଳ୍ପ ଅଭିବୃଦ୍ଧି ପାଇଁ ବଡ଼ ସୁଯୋଗ ଆଣିବ ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ଏନେଇ ମଧ୍ୟପ୍ରାଚ୍ୟ ଓ ଦୁବାଇରେ ରହୁଥିବା ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ସିଧାସଳଖ କଥାବାର୍ତ୍ତା କରି ଅବଗତ କରିବେ । ରାଜ୍ୟ ସରକାର ବୃହତ୍ତ ଓ ମଧ୍ୟମ ଶିଳ୍ପକୁ ଗୁରୁତ୍ୱ ଦେଉଥିଲେ ହେଁ ଏମ୍‌ଏସ୍‌ଏମଇକୁ ଅଧିକ ଫୋକସ୍ ଦେଇଛନ୍ତି । ବିଶେଷକରି ସୌର ଶକ୍ତି, ପର୍ଯ୍ୟଟନ ସହ ଖାଦ୍ୟ ପ୍ରକ୍ରିୟାକରଣର ‘ଡାଉନ୍‌ଷ୍ଟ୍ରିମ ଇଣ୍ଡଷ୍ଟ୍ରି’ରେ ବ୍ୟାପକ ପୁଞ୍ଜିନିବେଶ ପାଇଁ ଉପସ୍ଥିତ ନିବେଶକଙ୍କୁ ଅମନ୍ତ୍ରଣ କରିବାର ଯୋଜନା ରହିଛି । ଓଡ଼ିଶାରେ ଶାସନରେ ସ୍ଥିରତା ହିଁ ଶିଳ୍ପ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛି ବୋଲି ଟିମ୍ ନବୀନ କନକ୍ଲେଭରେ ବଖାଣିବେ । କନ୍‌କ୍ଲେଭ ପରେ ୟୁନାଇଟେଡ଼୍ ଆରବ ଏମିରେଟ୍ସର ୭ଟି ଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ମୁଖ୍ୟମନ୍ତ୍ରୀ ଓ ଟିମ୍ ଓଡ଼ିଶା ରାଜ୍ୟର କଳା, ସଂସ୍କୃତିରେ ଭାବ ବିନିମୟ ନେଇ ଆଲୋଚନା କରିବେ । ଅନ୍ୟପକ୍ଷରେ ବିଭିନ୍ନ କର୍ପୋରେଟ୍ ସଂସ୍ଥାଙ୍କ ସିଇଓଙ୍କ ସହ ପୁଞ୍ଜିନିବେଶର ବାସ୍ତବତା, ସମ୍ଭାବନା ଓ ସୁଯୋଗ ଉପରେ ଦୁବାଇ ଯାଇଥିବା ଅଧିକାରୀମାନେ ଆଲୋଚନା କରି ଖସଡ଼ା ପ୍ରସ୍ତୁତ କରିବେ । ଏହି ନିବେଶକ ସମ୍ମିଳନୀରେ ଜଣେ ମନ୍ତ୍ରୀ ଓ ବିଧାୟକ ସାମିଲ ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking