ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘଦିନ ପରେ ସୋମବାର ୩ ଦିନ ପାଇଁ ନୂଆଦିଲ୍ଲୀ ଗସ୍ତ କରିଛନ୍ତି । ବିବିସି ବର୍ଷର ମହିଳା ଖେଳାଳି ପୁରସ୍କାର ପ୍ରଦାନ ସମାରୋହରେ ଯୋଗଦେବା ଓ କେନ୍ଦ୍ର ସରକାରଙ୍କ ସହ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ବାବଦରେ ଆଲୋଚନା କରିବା, ତାଙ୍କର ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ରହିଛି । ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ସ୍ଥିତ ୩ ଅବଦୁଲ କଲାମ ରୋଡ୍ ନିଜର ବାସଭବନରେ ସନ୍ଧ୍ୟା ୫ଟାରେ ପହଞ୍ଚିଥିଲେ । ବିବିସି ପକ୍ଷରୁ ଆଜି ସନ୍ଧ୍ୟାରେ ଆୟୋଜିତ ହୋଇଥିବା ବର୍ଷର ମହିଳା ଖେଳାଳି ପୁରସ୍କାର ପ୍ରଦାନ ସମାରୋହରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଏଥିସହ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧ଟା ବେଳେ ସଂସଦ ଭବନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସେ ସଂସଦ ଭବନ ପରିସରରେ ଥିବା ବିଜେଡି ସଂସଦୀୟ କାର୍ଯ୍ୟାଳୟରେ ଦଳର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ନେଇ ବୈଠକ କରିବ । ସେ କେନ୍ଦ୍ର ସରକାରଙ୍କ ସହିତ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ । କୋଇଲା ରୟାଲଟି ସଂଶୋଧନ, ଓଡ଼ିଶା ବିଧାନ ପରିଷଦ ପ୍ରସଙ୍ଗ, ବାତ୍ୟା ନିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି, ସ୍ପେସିଆଲ୍ ଫୋକସ ଷ୍ଟେଟ୍ ମାନ୍ୟତା ଆଦି ବିଷୟ ଉପରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ହେଭିୱେଟ୍ ମନ୍ତ୍ରୀଙ୍କ ସହ ଆଲୋଚନା କରିବାର ସମ୍ଭାବନା ରହିଛିି । ଏହି ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭିକେ ପାଣ୍ଡିଆନ୍ ମଧ୍ୟ ଦିଲ୍ଲୀ ଯାଇଛନ୍ତି । ମାର୍ଚ୍ଚ ୩୦ରେ ସମସ୍ତ କାର୍ଯ୍ୟକ୍ରମ ସାରି ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବେ ।