29.1 C
Bhubaneswar
Tuesday, April 28, 2026
Homeଓଡିଶାବୁଢ଼ୀ ଗଙ୍ଗାଦେବୀଙ୍କ ଚଇତ୍ର ଯାତ୍ରା

ବୁଢ଼ୀ ଗଙ୍ଗାଦେବୀଙ୍କ ଚଇତ୍ର ଯାତ୍ରା

ଭବାନୀପାଟଣା: ଭବାନୀପାଟଣା ର ନଗର ଦେବୀ ହେଉଛନ୍ତି ବୁଢୀ ଗଙ୍ଗା ଦେବୀ ଠାକୁରାଣୀ। ସହରର ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଭିତରେ ରହିଛି ବୁଢ଼ୀ ଗଙ୍ଗା ଦେବୀ ଠାକୁରାଣୀଙ୍କ ଗୁଡ଼ି ବା ମନ୍ଦିର। ପ୍ରତିବର୍ଷ ଚୈତ୍ର ମାସର ତୃତୀୟ ମଙ୍ଗଳ ବାରରୁ ଶେଷ ମଙ୍ଗଳ ବାର ଯାଏଁ ସପ୍ତାହ ବ୍ୟାପି ବୁଢ଼ୀ ଗଙ୍ଗା ଦେବୀ ଠାକୁରାଣୀଙ୍କ ଚଇତ୍ରା ଯାତ୍ରା ଅନୁଷ୍ଠିତ ହୋଇଥାଏ। ପରମ୍ପରା ଅନୁଯାୟୀ ଚୈତ୍ର ତୃତୀୟ ମଙ୍ଗଳ ବାର ସନ୍ଧ୍ୟାରେ କଳାହାଣ୍ଡି ରାଜ ପ୍ରାସାଦରେ ମହାରାଜାଙ୍କ ତରଫରୁ ବୁଢ଼ୀ ଗଙ୍ଗା ଦେବୀ ଠାକୁରାଣୀଙ୍କ ଘଟ ବା ଘଣ୍ଟ ରେ ଅରୁଆ ଚାଉଳ ପୂର୍ଣ୍ଣ କରି ବଟା ହଳଦୀ ଘଣ୍ଟରେ ପ୍ରଲେପ କରି ପୂଜାର୍ଚ୍ଚନା କରାଯାଇଥାଏ। ତାପରେ ରାଜ ପ୍ରାସାଦରୁ ଦେବୀଙ୍କ ଘଣ୍ଟକୁ ମୁଣ୍ଡରେ ବୋହି ପୂଜାରୀ ନଗର ପରିକ୍ରମା କରିଥାନ୍ତି। ତୃତୀୟ ମଙ୍ଗଳବାର ରୁ ଆରମ୍ଭ କରି ରବିବାର ଯାଏଁ ଦେବୀଙ୍କ ଘଣ୍ଟ ସହରର ବିଭିନ୍ନ ପଡ଼ା ପରିକ୍ରମା କରିଥାନ୍ତି। ପ୍ରତ୍ୟେକ ଘର ସାମନାରେ ଶ୍ରଦ୍ଧାଳୁ ମାନେ ଧୂପ,ଦୀପ, ନୈବେଦ୍ୟ ଓ ପଣା ଦେବୀଙ୍କୁ ଅର୍ପଣ କରିଥାନ୍ତି। ଛୋଟ ଛୋଟ ଶିଶୁ ମାନେ ମଙ୍ଗଳ କାମନା କରି ଦେବୀଙ୍କ ଘଣ୍ଟ ସାମନାରେ ରାସ୍ତାରେ ଶୋଇ ଥାନ୍ତି। ଦେବୀଙ୍କ ଘଣ୍ଟ ମୁଣ୍ଡରେ ବୋହୁଥିବା ପୂଜାରୀ ଶୋଇ ଥିବା ଶିଶୁ ମାନଙ୍କୁ ଡେଇଁ ଡେଇଁ ଯାଆନ୍ତି। ସୋମବାର ଦିନ ଦେବୀଙ୍କ ବିଶ୍ରାମ। ଚୈତ୍ର ଶେଷ ମଙ୍ଗଳ ବାର ଦିନ ମନ୍ଦିରରେ ଅନୁଷ୍ଠିତ ହୋଇଥାଏ ଚଇତ୍ରା ଯାତ୍ରା। ଶ୍ରଦ୍ଧାଳୁ ମାନେ କାମନା କରି ଦେବୀଙ୍କୁ ପାରା, କୁକୁଡ଼ା, ଛେଳି ବଳି ଅର୍ପଣ କରିଥାନ୍ତି। ଚଇତ୍ରା ଦିନ କଳାହାଣ୍ଡିରେ ଚାହାଁର, ମହୁଲ, ଆମ୍ୱ ଓ କାନ୍ଦୁଲ ଦେବୀଙ୍କୁ ଅର୍ପଣ କରି ଏହି ଚାରୋଟି ପଦାର୍ଥର ନୂଆଁ ଖାଇଥାନ୍ତି। କଳାହାଣ୍ଡିର ସାମାଜିକ ଜନ ଜୀବନରେ ଚଇତ୍ରା ଏକ ମୁଖ୍ୟ ଯାତ୍ରା। ଜାତି, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଆନନ୍ଦର ସହ ଚଇତ୍ରା ଯାତ୍ରା ଉତ୍ସାହର ସହ ପାଳନ କରିଥାନ୍ତି। ସାମାଜିକ ସହାବସ୍ଥାନରେ ଚଇତ୍ରା ଯାତ୍ରାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking