କୋଲକାତା : ପଶ୍ଚିମବଙ୍ଗ କୋଲକାତାର ଆର୍ଜି କର ମେଡିକାଲ କଲେଜ ଅଧ୍ୟକ୍ଷ ଇସ୍ତଫା ଦେଇଛନ୍ତି । ଏହି ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚାରିଆଡେ ଆନ୍ଦୋଳନ ତେଜିବାରେ ଲାଗିଛି। ନ୍ୟୟ ଦାବିରେ ଜୁନିୟର ଡାକ୍ତରଙ୍କ ପକ୍ଷରୁ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି। ସର୍ବଭାରତୀୟ ରେସିଡେଣ୍ଟ ଡାକ୍ତର ସଂଘ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହାରି ଭିତରେ ଉକ୍ତ ମେଡିକାଲ କଲେଜର ପ୍ରିନ୍ସିପାଲ ସନ୍ଦିପ ଘୋଷ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ପ୍ରଥମେ ଆର.ଜି କର ମେଡିକାଲ କଲେଜର ଡାକ୍ତରମାନେ ବିରୋଧ ଆରମ୍ଭ କରିଥିଲେ। ଏହାପରେ ଅନ୍ୟ ସ୍ଥାନର ଡାକ୍ତରମାନେ ଏଥିରେ ଯୋଗ ଦେଇଥିଲେ। ବର୍ତ୍ତମାନ ଏମ୍ସରେ ଡାକ୍ତରମାନେ ମଧ୍ୟ ଏହି ଧର୍ମଘଟରେ ଯୋଗ ଦେଇଛନ୍ତି।ମୃତ ଟ୍ରେନିଂ ଡାକ୍ତରୀ ଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ ଅନୁକମ୍ପା ରାଶି ପ୍ରଦାନ ସହ ଘଟଣାର ତଦନ୍ତ କରି ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବା ସହ ସମସ୍ତ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇବାକୁ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର ସଂଘ। ରେସିଡେଣ୍ଟ ଡାକ୍ତରଙ୍କ ଧର୍ମଘଟ ଯୋଗୁଁ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହେଉଛି। ସେପଟେ ପୁଲିସ ଏହି ମାମଲାରେ ତଦନ୍ତ ପୂରା କରି ନେଇଛି। ସଂଜୟ ରାୟ ନାମକ ଅଭିଯୁକ୍ତକୁ ପୁଲିସ ଗିରଫ ମଧ୍ୟ କରିସାରିଛି। ପୋଷ୍ଟମର୍ଟମର ଅନ୍ତିମ ରିପୋର୍ଟକୁ କେବଳ ପୁଲିସ ଅପେକ୍ଷା କରିଛି। ରିପୋର୍ଟ ଆସିବା ପରେ ଅଭିଯୁକ୍ତଙ୍କ ବିରୋଧରେ ଶୁଣାଣି ଆରମ୍ଭ ହେବ।










