ନୂଆଦିଲ୍ଲୀ: ବର୍ତ୍ତମାନ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଉଥିବାରୁ ସ୍ଥିତି ସମୀକ୍ଷା କରି କଟକଣାଗୁଡିକୁ କୋହଳ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇତିମଧ୍ୟରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଲିଖିତ ପ୍ରସ୍ତାବ ଦିଆଯାଇଛି । ଲୋକଙ୍କ ଦୈନନ୍ଦିନ ଚଳପ୍ରଚଳ, ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା ଏବଂ ବ୍ୟବସାୟିକ କାରବାର ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ କଟକଣା କୋହଳ ଉପରେ କେନ୍ଦ୍ର ଗୁରୁତ୍ୱାରୋପ କରିଛି ।
ଆନ୍ତଃ ରାଜ୍ୟ ସୀମାରେ ଲୋକଙ୍କୁ କୋଭିଡ୍ ନେଗେଟିଭ୍ ରିପୋର୍ଟ କିମ୍ବା ଟିକାକରଣ ସାର୍ଟିଫିକେଟ ମାଗିବା କଟକଣା ଉଠାଇଦେଲେ ଏତେଟା ଅସୁବିଧା ହେବ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଲେଖିଥିବା ପତ୍ରରେ ଉଲ୍ଲେଖ କରାଯାଇଛି ।