ନୂଆଦିଲ୍ଲୀ : କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି । ୨୦୨୧-୨୨ ବର୍ଷ ପାଇଁ ବିଭିନ୍ନ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି(ସିସିଇଏ) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏ ସମ୍ପର୍କରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଚାଷୀମାନଙ୍କୁ ନିଜ ଫସଲର ଉତ୍ପାଦନ ଖର୍ଚ୍ଚର ସର୍ବାଧିକ ଦେଢ଼ଗୁଣ ମୂଲ୍ୟ ପ୍ରଦାନ କରାଯିବ ବୋଲି ଗତ ଫେବୃଆରୀ ମାସରେ କେନ୍ଦ୍ର ବଜେଟ୍ରେ ଘୋଷଣା କରାଯାଇଥିଲା ।
କ୍ୟାବିନେଟ୍ର ନିଷ୍ପତ୍ତି ଅନୁଯାୟୀ ଧାନ(ସାଧାରଣ କିସମ)ର ଏମ୍ଏସ୍ପି ୭୨ଟଙ୍କା ବୃଦ୍ଧି ପାଇ କ୍ୱିଣ୍ଟାଲ ପିଛା ୧୯୪୦ଟଙ୍କାରେ ପହଞ୍ôଚଛି। ହରଡ଼ର ଏମ୍ଏସ୍ପି ୩୦୦ଟଙ୍କା ବୃଦ୍ଧି ପାଇ କ୍ୱିଣ୍ଟାଲ ପିଛା ୬୩୦୦ ଟଙ୍କାକୁ ବୃଦ୍ଧି ପାଇଛି । ମୁଗର ଏମ୍ଏସ୍ପି ୭୦ଟଙ୍କା ବୃଦ୍ଧି ପାଇ କ୍ୱିଣ୍ଟାଲ ପିଛା ୭୨୭୫ଟଙ୍କାରେ ପହଞ୍ôଚଛି । ରାଶିର ଏମ୍ଏସ୍ପି ସର୍ବାଧିକ ୪୫୨ଟଙ୍କା ବୃଦ୍ଧି ପାଇ କ୍ୱିଣ୍ଟାଲ ପିଛା ଦର ୭୩୦୭ଟଙ୍କାରେ ପହଞ୍ôଚଛି । ଚିନାବାଦାମର ଏମ୍ଏସ୍ପି ୨୭୫ଟଙ୍କା ବୃଦ୍ଧି ପାଇ କ୍ୱିଣ୍ଟାଲ ପିଛା ଦର ୫୫୫୦ଟଙ୍କା ହୋଇଛି । କେନ୍ଦ୍ର କ୍ୟାବିନେଟ୍ର ନିଷ୍ପତ୍ତି ଅନୁଯାୟୀ ଭାରତୀୟ ରେଳବାଇକୁ ୭୦୦ମେଗାହର୍ଜ ବ୍ୟାଣ୍ଡରେ ୫ମେଗାହର୍ଜ ସ୍ପେକ୍ଟ୍ରମ୍ ପ୍ରଦାନ କରାଯିବ । ଏହାଦ୍ୱାରା ରେଳବାଇର ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଘଟିବ ।