30.1 C
Bhubaneswar
Thursday, April 25, 2024
Homeଓଡିଶାଶେଷ ହେଲା ୩ରଥର ୩୮ଚକର ନିର୍ମାଣ : ଚାଲିଛି ପାଶ୍ୱର୍ଦଣ୍ଡାର ଚଉପଟ କାର୍ଯ୍ୟ

ଶେଷ ହେଲା ୩ରଥର ୩୮ଚକର ନିର୍ମାଣ : ଚାଲିଛି ପାଶ୍ୱର୍ଦଣ୍ଡାର ଚଉପଟ କାର୍ଯ୍ୟ

ପୁରୀ : ବଡ଼ଦାଣ୍ଡର ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ଆଗେଇ ଚାଲିଛି ୩ରଥର ନିର୍ମାଣ କାର୍ଯ୍ୟ । ବୁଧବାର ସୁଦ୍ଧା ୩ରଥର ୩୮ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏଥିସହିତ ଜନ୍ତାଗାଡ଼ରେ ଶେଷ ୩ଚକର ତୁମ୍ବରେ ସିଙ୍ଗଡ଼ା କଣ୍ଟା ବାଡ଼ିଆ କାର୍ଯ୍ୟ ସରିଛି । ୩ରଥର ୫ଦଣ୍ଡା ଚଉପଟ ହୋଇ ସାଲକାମ ଶେଷ ହୋଇଛି । ଏବେ ଚାଲିଛି ପାଶ୍ୱର୍ଦଣ୍ଡା ଚଉପଟ କାର୍ଯ୍ୟ । ୩ରଥର ୪ନାହାକା କାମ ମଧ୍ୟ ଶେଷ ହୋଇଛି । ଦଣ୍ଡାରେ ଖଞ୍ଜା ହେବା ପାଇଁ ଆଗ ମୁଁହାଟ ଓ ପଛମୁଁହାଟରେ ବିନ୍ଧ ଖୋଦେଇ କାର୍ଯ୍ୟ ଶେଷ ହେଲାଣି । ତାଳଧ୍ୱଜ ଓ ନନ୍ଦିଘୋଷ ରଥର ଗରଗରା ଚଉପଟ କାମ ଚାଲୁ ରହିଥିବା ବେଳେ ଦେବଦଳନ ରଥର ଗରଗରା ଚଉପଟ ସରି ବିନ୍ଧ ଖୋଦେଇ ଚାଲିଛି । ଦେବଦଳନ ରଥର ୩ଟି ଧମକରୁ ଗୋଟିଏର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ତାଳଧ୍ୱଜ ରଥର ୧୬ଟି କୋଣଗୁଜ ମଧ୍ୟରୁ ୧୩ଟିରେ ସିଂହବିରାଳ ରୂପ ଖୋଦେଇ କାର୍ଯ୍ୟ ଶେଷ ହୋଇ ଅବଶିଷ୍ଟ ୩ଟି କୋଣଗୁଜରେ ଖୋଦେଇ କାର୍ଯ୍ୟ ଚାଲିଛି। ସେହିଭଳି ଦେବଦଳନ ରଥର ୧୨ଟି କୋଣଗୁଜ ମଧ୍ୟରୁ ୮ଟି କୋଣଗୁଜରେ ରୂପ ଖୋଦେଇଚାର୍ଯ୍ୟ ଶେଷ ହୋଇଛି ଓ ଆଉ ୨ଟି କୋଣଗୁଜରେ ରୂପ ଖୋଦେଇ ସରି ରୂପରେ ଅଳଙ୍କାର ପଡ଼ୁଅଛି । ବାକି ୨ଟି ଗୁଜରେ ରୂପ ଖୋଦେଇ କାର୍ଯ୍ୟ ଜାରି ରହିଛି । ନନ୍ଦିଘୋଷ ରଥର ୧୬ଟି କୋଣ ଗୁଜ ମଧ୍ୟରୁ ୧୦ଟିରେ ସିଂହବିରାଳ ରୂପ ଖୋଦେଇ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଉ ୨ଟି ଗୁଜରେ ଖୋଦିତ ରୂପରେ ଅଳଙ୍କାର ପଡ଼ୁଛି । ଅବଶିଷ୍ଟ ୪ଟି ଗୁଜରେ ରୂପ ଖୋଦେଇ କାର୍ଯ୍ୟ ଜାରି ରହିଛି ।

ତାଳଧ୍ୱଜ ରଥର ପୋଲ ଗୟଳର ଚିରଟ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥର ପୋଲ ଗୟଳ କାଠର ଉଭୟପାଶ୍ୱର୍ ବାରିଶିରେ ସମତୁଲ ସରିଛି । ଗୁରୁବାର ଦିନ ଚିରଟ କାର୍ଯ୍ୟ ଆରମ୍ଭ ହେବ । ନନ୍ଦିଘୋଷ ରଥର ପଞ୍ଚଦଶ ଚକ ପାଇଁ ପଇ ବିନ୍ଧ କାର୍ଯ୍ୟ ଚାଲୁ ରହିଛି। ପଇ ବିନ୍ଧ ପରେ ଅରରେ ପଇ ସଂଯୋଗ ହୋଇ ପଇ କଳସା କାର୍ଯ୍ୟ କରାଯିବ । ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ମହାରଣା ସେବକମାନଙ୍କ ଦ୍ୱାରା ୩ରଥର ଅଖ, ଦଣ୍ଡା, ଗରଗରା ଓ ଗୟଳ ପାଇଁ ଆଗ ପାତେଳୀ କଣ୍ଟା, ଚଉରସ କଣ୍ଟା, ଗରଗରା କଣ୍ଟା ଓ ଯୋଖା କଣ୍ଟା ତିଆରି କାମ ଜାରି ରହିଛି । ବୁଧବାର ଦିନ ରଥଖଳାରେ ମୋଟ ୧୯୬ଜଣ ରଥ ନିର୍ମାଣକାରୀ ନିୟୋଜିତ ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ୭୭ଜଣ ମହାରଣା, ୭୫ଜଣ ରଥ ଭୋଇ, ୪ଜଣ କରତି ସେବକ, ଜଣେ ପାହି ମହାରଣା, ୨ଜଣ ତୁମ୍ବ ବିନ୍ଧ କାରିଗର, ୧୯ଜଣ ରୂପକାର ସେବକ, ୧୭ଜଣ ଓଝା ବା କମାର ସେବକ ଓ ଜଣେ ରଥଖଳା ସହାୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking