ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ରଢା ସେବାଶ୍ରମର କୋଭିଡ ହଷ୍ଟେଲରେ ନିୟୋଜିତ ପାଚିକାଙ୍କୁ ଅସଦାଚରଣ ଅଭିଯୋଗରେ କୋଟଗଡ ଦେୱାନୀ ଓ ଫୌଜଦାରୀ ଅଦାଲତ କୋର୍ଟରେ ବିଚାର କରି କୋଟଗଡ ଦେୱାନୀ ଓ ଫୌଜଦାରୀ ଅଦାଲତର ପ୍ରଥମ ବିଚାର ବିଭାଗୀୟ ବିଚାରପତି ଅନୁରାଗ ଦେହୁରୀ ଉକ୍ତ ମାମଲାର ଫଇସଲା କରି ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୨୦୦ ଟଙ୍କାର ଜୋରିମାନା ଏବଂ ଜୋରିମାନା ଅନାଦେୟ ୩ ମାସ ୨୦ ଦିନ ଅଧିକା ସଜାର ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ପୀଡିତା ମହିଳାଙ୍କୁ ଭରଣପୋଷଣର ବିଚାର ପାଇଁ ସୁପାରିଶ କରିଥିବା ନିଜ ରାୟରେ ପ୍ରକାଶ କରିଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ, ଅଭିଯୁକ୍ତ ମୂଷିଙ୍ଗା ମୁଠା ମାଝୀ ୨୦୨୧ ମସିହାରେ କୋଟଗଡ ବ୍ଲକର ରଢା ସେବାଶ୍ରମର କୋଭିଡ ହଷ୍ଟେଲରେ ନିୟୋଜିତ ପାଚିକାଙ୍କୁ ଅସଦାଚରଣ କରିଥିବା ନେଇ ଏକ ପୀଡ଼ିତାଙ୍କ ପକ୍ଷରୁ ଏକ ଅଭିଯୋଗ ହୋଇଥିଲା । ଉକ୍ତ ମାମଲାର କୋଟଗଡ ଥାନା କେସ୍ ନଂ.୭୭/୨୦୨୧, ଧାରା ବି-୨୩, ୪୪୮,୩୫୪, ୩୫୪ଏ, ୩୫୪ବି, ୫୦୬,୫୦୯ ଆଇପିସି ଅନୁସାରେ ସିଟି କେସ ନଂ ୭୩/୨୦୨୧ ର ବିଚାର କରାଯାଇ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ପ୍ରଥମ ବିଚାର ବିଭାଗୀୟ ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି । ଏହି ମାମଲାକୁ କୋଟଗଡ କୋର୍ଟର ସରକାରୀ ଓକିଲ ସବିତା ସାମନ୍ତରାୟ ପରିଚାଳନା କରୁଥିଲେ ।