17.7 C
Bhubaneswar
Friday, December 27, 2024
Homeଓଡିଶାଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ

ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ

– ଦୁଇଟି ପର୍ଯ୍ୟାୟରେ ଫେବ୍ରୁଆରୀ ୨୧ରୁ ଏପ୍ରିଲ ୬ ଯାଏ ଚାଲିବ
– ୨୪ରେ ଅର୍ଥମନ୍ତ୍ରୀ ଆଗତ କରିବେ ୨୦୨୩-୨୪ର ବଜେଟ୍‌
– କିଛି ଗୁରୁତ୍ୱ୍ୱପୂର୍ଣ୍ଣ ବିଲ୍ ଆଗତ ହୋଇ ପାରିତ ହେବାର ସମ୍ଭାବନା
– ବିରୋଧୀଙ୍କ ହାତରେ ଅନେକ ଅସ୍ତ୍ର, ମୁକାବିଲା ପାଇଁ ଶାସକ ତୟାର୍‌

ଭୁବନେଶ୍ୱର: ଦୁଇ ପର୍ଯ୍ୟାୟ ବିଶିଷ୍ଟ ବିଧାନସଭା ବଜେଟ୍ ଅଧିବେଶନର ଆଜିଠାରୁ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୧ ଯାଏ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ଯାଏ ଚାଲିବ । ଏହାରି ମଧ୍ୟରେ ମୋଟ୍ ୨୮ଟି କାର୍ଯ୍ୟଦିବସ ରହିଛି । ତେବେ ଏହି ଅଧିବେଶନ କାଳରେ ଗୃହ ଆରମ୍ଭରୁ ସରଗମରମ ହେବାର ସମ୍ଭାବନା ରହିଛି । ଶାସକ ଦଳକୁ ଘେରିବା ପାଇଁ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଭଳି ଅନେକ ଅସ୍ତ୍ରକୁ ବିରୋଧୀ ବିଜେପି ଓ କଂଗ୍ରେସ ଧରିଥିବାବେଳେ ବିରୋଧୀଙ୍କୁ ମୁକାବିଲା ପାଇଁ ଶାସକ ବିଜେଡି ନୂଆ ରଣନୀତି ପ୍ରସ୍ତୁତ କରିଛି । କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇବ ବୋଲି ଦଳ ସ୍ପଷ୍ଟ କରିଛି ।

ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନିଜର ଅଭିଭାଷଣ ପ୍ରଦାନ କରିବେ । ଏହାପରେ ଦିବଂଗତ ସଭ୍ୟମାନଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହେବ । ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗତ କରିବେ । ଏହା ଉପରେ ଫେବ୍ରୁଆରୀ ୨୨ ଓ ୨୩ରେ ବିସ୍ତୃତ ଆଲୋଚନା ହେବ । ଫେବ୍ରୁଆରୀ ୨୪ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବର୍ଷରେ ବଜେଟ୍ ଆଗତ କରିବେ । ବଜେଟ୍ ଉପରେ ଫେବ୍ରୁଆରୀ ୨୭ରୁ ମାର୍ଚ୍ଚ ୧ ଯାଏ କ୍ରମାଗତଃ ତିନି ଦିନ ଆଲୋଚନା ହେବ । ଏହା ପରେ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ ହେବ । ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ।

ଏହି ଅବଧିକାଳରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଓ ବିଭାଗୀୟ ସ୍ଥାୟୀ କମିଟିର ରିପୋର୍ଟ ଉପସ୍ଥାପନ ହେବ । ମାର୍ଚ୍ଚ ୩୧ରେ ଅର୍ଥମନ୍ତ୍ରୀ ୨୦୨୩-୨୪ ଆର୍ଥିକ ବର୍ଷରେ ବଜେଟ୍ ଉପରେ ବିନିଯୋଗ ବିଲ୍ ଆଗତ କରିବେ । ତାହା ସେହିଦିନ ପାରିତ ହେବ । ଏଥିସହ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ ହେବ ବୋଲି ଜଣାପଡ଼ିଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସୂଚନାନୁସାରେ ବିଗତ ଅଧିବେଶନ ଭଳି ଚଳିତ ବଜେଟ୍ ଅଧିବେଶନ ‘ଇ-ବିଧାନସଭା’ ରୂପେ କାର୍ଯ୍ୟ କରିବ । ‘ନେଭା’ ଆପ୍‌ରେ ରାଜ୍ୟପାଳଙ୍କ ଭାଷଣ ଉପଲବ୍ଧ ହେବ । ସେହିପରି ବିଧାନସଭାର ବିଭିନ୍ନ ରିପୋର୍ଟ,ବଜେଟ୍‌, ସିଏଜି ରିପୋର୍ଟ, ଅର୍ଥନୈତିକ ସର୍ଭେ ରିପୋର୍ଟ ଏବଂ ତାରକା ଓ ଅଣ ତାରକା ପ୍ରଶ୍ନ, ଆଦି ବି ସେହି ଆପ୍ ଜରିଆରେ ମିଳିବ । ଚଳିତ ଅଧିବେଶନ କୋଭିଡ୍ କଟକଣା ମୁକ୍ତ ରହିବ । କୋଭିଡ୍ ସଂକ୍ରମଣ ସମସ୍ୟା ନଥିବାରୁ ସାମାଜିକ ଦୂରତ୍ୱ ନିୟମ ଲାଗୁ ହେବ ନାହିଁ । ଚାରି ଫୁଟ ବ୍ୟବଧାନରେ ଆସନ ବ୍ୟବସ୍ଥା ହୋଇନାହିଁ । ପ୍ରତ୍ୟେକ ବିଧାନସଭା ସଭ୍ୟଙ୍କ ଆସନ ସମ୍ମୁଖରେ ଗ୍ଲାସ୍ ଲାଗି ଥିଲେ ହେଁ ପାଖାପାଖି ବସିପାରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ବଜେଟ୍ ଅଧିବେଶନ କିଭଳି ସୁରୁଖୁରୁରେ ପରିଚାଳନା ହେବ ସେନେଇ ସୋମବାର ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିଲେ ହେଁ ଗୃହ ଆରମ୍ଭରୁ ଉଷ୍ଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବିରୋଧୀ ବିଜେପି ଏହି ସଙ୍କେତ ଦେଇଛି । ବିଜେପି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗ ସହ ପ୍ରଧାନମନ୍ତ୍ରୀ ଆବାସ, ଖଣି ଦୁର୍ନୀତି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ବେକାରୀ ସମସ୍ୟା, ଧାନମଣ୍ଡି ଏବଂ ଏମ୍‌ଏସ୍‌ପି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଘୋଷଣା କରିଥିଲାବେଳେ କଂଗ୍ରେସ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଚାଷୀ ସମସ୍ୟା, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି, ବେକାରୀ ସମସ୍ୟା ସ୍ଥିତି ନେଇ ସରକାରଙ୍କୁ ଘେରିବ ବୋଲି ଜଣାପଡ଼ିଛି । ବିଧାୟକ ଦଳ ବୈଠକ ପରେ ତାହା ଦଳ ପରେ ଘୋଷଣା କରିବ । ତେଣୁ ଶାସକ ବିଜେଡି ବି ପଛକୁ ହଟିବ ନାହିଁ । କେନ୍ଦ୍ରୀୟ ଅବହେଳାକୁ ଦଳ ପ୍ରମୁଖ ପ୍ରସଙ୍ଗ କରିବ । ଏଥିସହ କୋଇଲା ରୟାଲ୍‌ଟି ସଂଶୋଧନ, ଜିଏସ୍‌ଟି ବକେୟା ଅର୍ଥ ପ୍ରଦାନରେ ବିଳମ୍ବ, ଏମ୍‌ଏସ୍ ସ୍ୱାମୀନାଥନ୍ କମିଟି ରିପୋର୍ଟ ଆଧାରରେ ଏମ୍‌ଏସ୍‌ପି ବୃଦ୍ଧି ଦାବିି ପ୍ରସଙ୍ଗକୁ ବି ଉଠାଇବ ବୋଲି ଦଳ ଆଗୁଆ ସୂଚନା ଦେଇଛି । ତେଣୁ ଗୃହ ପ୍ରଥମରୁ ସର୍‌ଗର୍‌ମ ହେବା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking