ଗୁରୁଗ୍ରାମ: କିଛି ଦିନ ତଳେ ଦିଲ୍ଲୀରେ ଘଟିଥିବା ସାକ୍ଷୀ ହତ୍ୟାକାଣ୍ଡ ପରି ଏକ ଘଟଣା ଏବେ ଗୁରୁଗ୍ରାମରେ ଦେଖିବାକୁ ମିଳିଛି । ସାକ୍ଷୀଙ୍କ ପରି ଗୁରୁଗ୍ରାମରେ ମଧ୍ୟ ଜଣେ ଯୁବତୀଙ୍କୁ ସର୍ବସାଧାରଣରେ ଛୁରୀରେ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ରାଜକୁମାର ନାମକ ଜଣେ ଯୁବକ ଏହି ହତ୍ୟାକାଣ୍ଡ କରିଥିବା ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରାଯାଇଛି । ସୂଚନାରୁ ଜଣାପଡିଛି ଯେ ଏହି ମାମଲା ଗୁରୁଗ୍ରାମର ପାଲମ ବିହାରର ଅଟେ । ଏଠାରେ ରାଜକୁମାର ନାମକ ଜଣେ ଯୁବକ ପୀଡ଼ିତା ଯୁବତୀଙ୍କୁ ରାସ୍ତାରେ ଧରି ତାଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି । ଘଟଣା ଘଟିବା ବେଳେ ଯୁବତୀଙ୍କ ମାଆ ମଧ୍ୟ ତାଙ୍କ ସହିତ ଥିଲେ । କିନ୍ତୁ ହତ୍ୟା ଅଭିଯୁକ୍ତ ତାହାକୁ ଖାତିର ନକରି ପୀଡ଼ିତାଙ୍କୁ ଆକ୍ରମଣ କରିିଥିଲେ। ସୂଚନା ଅନୁଯାୟୀ, ୧୯ ବର୍ଷୀୟା ଯୁବତୀ ଜଣକ ତାଙ୍କ ପରିବାର ସହିତ ଗୁରୁଗ୍ରାମରେ ମୁଲ୍ଲେହେଡ଼ା ଗ୍ରାମରେ ରହୁଥିଲେ ।
ରାଜକୁମାର ନାମକ ଜଣେ ଯୁବକଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ରହିଥିଲା । ଦୁହେଁ ପରସ୍ପରକୁ ଭଲ ପାଉଥିଲେ ମଧ୍ୟ ରାଜକୁମାରଙ୍କୁ ବିବାହ କରିବାକୁ ଯୁବତୀ ପ୍ରସ୍ତୁତ ନଥିଲେ । ଏପଟେ ରାଜକୁମାର ତାଙ୍କ ଉପରେ ବାରମ୍ବାର ବିବାହ କରିବାକୁ ଚାପ ପକାଉଥିଲେ । କୌଣସି ମତେ ଯୁବତୀ ଜଣକ ନମାନିବାରୁ ରାଜକୁମାର ରାଗରେ ଆସି ଏପରି କରିଥିବା କୁହାଯାଉଛି । ତେବେ ହତ୍ୟାକାଣ୍ଡ ବେଳେ କିଛି ଲୋକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଘଟଣାର ଏକ ସିସିଟିଭି ଫୁଟେଜ୍ ମଧ୍ୟ ଏବେ ସାମ୍ନାକୁ ଆସିଛି । ବର୍ତ୍ତମାନ ଅଭିଯୁକ୍ତ ରାଜକୁମାରଙ୍କୁ ପୁଲିସ ଗିରଫ କରିଛି ଏବଂ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ତଦନ୍ତ ଆରମ୍ଭ ହୋଇଛି ।