ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ଦେଶରେ ଆରମ୍ଭ ହେବ ୫-ଜି ନିଲାମୀ ।୫-ଜି ନିଲାମୀର କାମ ଠିକ୍ ଢଙ୍ଗରେ ହେଉଛି ଏବଂ ଖୁବ୍ ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ପ୍ରକାଶ କରିଛନ୍ତି ରେଲୱେ ଏବଂ ଆଇଟି ବିଭାଗର କ୍ୟାବିନେଟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଗୁରୁବାର ଅଶ୍ୱିନୀ କହିଛନ୍ତି ସବୁକିଛି ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ କାର୍ଯ୍ୟକାରୀ ହେବ । ଟ୍ରାଇ ପକ୍ଷରୁ ୫-ଜି ନିଲାମୀର ମୂଲ୍ୟ ଏବଂ ପ୍ରକ୍ରିୟା ନିର୍ଦ୍ଧାରଣ ହେବାର ଗୋଟିଏ ଦିନ ପରେ ଏହି ବୟାନ ଜାରି କରିଛନ୍ତି ବୈଷ୍ଣବ । ଏହା ସହିତ ଆସନ୍ତା ଜୁନ୍ କିମ୍ବା ଜୁଲାଇ ସୁଦ୍ଧା ଏହି ନିଲାମୀ ଆରମ୍ଭ ହେବ । ଏହା ସହିତ ୫-ଜିଚ ସମ୍ବନ୍ଧୀୟ କୌଣସି ବ୍ୟକ୍ତିଗତ ଟିପ୍ପଣୀ କରିବାକୁ ମନ୍ତ୍ରୀ ମନା କରି ଦେଇଥିଲେ । ୫ଜି ସ୍ପେକ୍ଟ୍ରମ୍ ନିଲାମୀ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବରେ ଟ୍ରାକରେ ରହିଛି । ଆସନ୍ତା କିଛି ସପ୍ତାହ ମଧ୍ୟରେ ୫-ଜି ସମ୍ପର୍କିତ କୌଣସି ଯୋଜନା ନେଇ ଆସିବେ ବୋଲି କହିଥିଲେ ବୈଷ୍ଣବ ।
ଟ୍ରାଇ ପକ୍ଷରୁ ୫-ଜି ସ୍ପେକ୍ଟ୍ରମ ନିଲାମୀ ପାଇଁ ଘୋଷଣା କରାଯାଇଥିଲା । ଏହି ଘୋଷଣା ପରେ ବିଭିନ୍ନ ଟେଲିକମ୍ ଅପରେଟର ତଥା ଟେଲିକମ୍ ଅପରେଟର ସଂଘ ପକ୍ଷରୁ ନିରାଶା ଜାହିର କରାଯାଇଥିଲା । ଟ୍ରାଇ ପକ୍ଷରୁ ସ୍ପେକ୍ଟ୍ରମ୍ ମୂଲ୍ୟରେ ୩୯ ପ୍ରତିଶତ ହ୍ରାସ କରାଯାଇଥିଲେ ହେଁ ଏହା ବେଶ୍ ଅଧିକ ରହିଥିବା ସିଓଏଆଇ ପକ୍ଷରୁ କୁହାଯାଇଥିଲା । ପ୍ରସ୍ତାବିତ ଦରରେ ଅନ୍ୟୁନ ୯୦ ପ୍ରତିଶତ ହ୍ରାସ କରାଯିବା ନେଇ ଆଶା କରାଯାଉଥିଲା । ମାତ୍ର ୩୫-୪୦ ପ୍ରତିଶତର ଡିସକାଉଣ୍ଟ ସମୁଦ୍ରକୁ ଶଙ୍ଖେ ବୋଲି ସିଓଏଆଇ କହିଛି । ଭାରତ ସରକାର ଗୋଟିଏ ପଟେ ଡିଜିଟାଲ ଇଣ୍ଡିଆ ସମ୍ପର୍କରେ କହୁଛନ୍ତି ମାତ୍ର କାର୍ଯ୍ୟରେ ତାହାକୁ ରୂପାନ୍ତରଣ କରୁନାହାନ୍ତି । ଡିଜିଟାଲ ଇଣ୍ଡିଆ ଦିଗରେ ପାଦ ବଢାଇବା ପରିବର୍ତ୍ତେ ଏହା ଗୋଟିଏ ପାଦ ପଛକୁ ନେବା ଭଳି ସମାନ ବୋଲି ସିଓଏଆଇ ପକ୍ଷରୁ କୁହାଯାଇଛି ।