ନୂଆଦିଲ୍ଲୀ: ତୁଟିଲାନି ଗୋଷ୍ଠୀ ସଂଘର୍ଷ ନେଲା ଉଗ୍ରରୂପ। ଉଭୟ ପକ୍ଷଙ୍କୁ ବୁଝାଶୁଝାରେ ବିଫଳ ପୋଲିସ। ଶେଷରେ ନିୟନ୍ତ୍ରଣ କରିବାକୁ ଯାଇ ଲାଗିଲା ୧୪୪ ଧାରା। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅନ୍ତର୍ଗତ ଚଢେଇଭୋଳ ଅଞ୍ଚଳରେ। କିଛିଦିନ ପୂର୍ବରୁ ଏଠାରେ କୌଣସି କାରଣରୁ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏଥିରେ ପୋଲିସ ପ୍ରଶାସନ ପକ୍ଷରୁ ଉଭୟ ଗୋଷ୍ଠୀଙ୍କୁନେଇ ସମାଧାନ ପାଇଁ ଚେଷ୍ଟା ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ସମ୍ଭବ ହୋଇନଥିଲା ।
ଏଥିରେ କରଞ୍ଜିଆ ଥାନା ଅଧିକାରୀ , କରଞ୍ଜିଆ ଏସ ଡି ପି ଓ,ଚଢେଇଭୋଳ ଫାଣ୍ଡି ଅଧିକାରୀଙ୍କ ସହିତ ମୟୁରଭଞ୍ଜ ଏସପି ଉପସ୍ଥିତରହି ଉଭୟ ଗୋଷ୍ଠୀଙ୍କ ସହିତ ସ୍ଥାନୀୟ ଜନସାଧାରଣଙ୍କୁନେଇ ବାରମ୍ବାର ବୈଠକ ହୋଇ ବୁଝାମଣା ଉଦ୍ୟମ କରାଯାଇଥିଲା ହେଲେ କୌଣସି ପ୍ରକାର ସମାଧାନ ହୋଇନଥିଲା। ଏପରି ଗୋଷ୍ଠୀ ସଂଘର୍ଷ ବାରମ୍ବାର ହେବା ସହିତ ଉକ୍ତ ଅଞ୍ଚଳରେ ଅଶାନ୍ତ ପରିସ୍ଥିତି ଲାଗି ରହିଥିବା ହେତୁ ଏହାକୁ ଆଖିଆଗରେ ରଖି ଉପଖଣ୍ଡ ପ୍ରଶାସନ ପକ୍ଷରୁ ପରିସ୍ଥିତି ଶାନ୍ତ ରଖିବା ପାଇଁ ପୋଲିସ ପକ୍ଷରୁ ଏକ ପ୍ଲାଟୁନ ପୋଲିସ ମୁତୟନ କରିବା ସହିତ ଗୋଷ୍ଠୀ ସଂଘର୍ଷ ନ ହେବା ପାଇଁ କରଞ୍ଜିଆ ଉପଜିଲ୍ଲାପାଳ ୧୪୪ ଧାରା ଲଗାଇଛନ୍ତି ।
ଫଳରେ କରଞ୍ଜିଆ ଥାନା ଅନ୍ତର୍ଗତ ଚଢେଇଭୋଳର ନିକଟରେ ଥିବା କୁମ୍ଭାରସାହିରେ ଲାଗିଲା ୧୪୪ ଧାରା । ଏନେଇ ନାଲି ଫିତା ଟାଙ୍ଗିବା ସହିତ ମାଇକରେ ଆଇନ ହାତକୁ ନ ନେବା ପାଇଁ ଅନୁରୋଧ କରାଯାଇଛି । ୧୪୪ ଧାରା ଦୁଇମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କରଞ୍ଜିଆ ଉପଖଣ୍ଡ ଉପଜିଲ୍ଲାପାଳ ପ୍ରେମାଶୁ ଚାନ୍ଦଙ୍କ ସୂତ୍ରରୁ ଜଣାପଡ଼ିଛି ।