27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଆନ୍ଦୋଳନ ପ୍ରତ୍ୟାହାର ପାଇଁ ଠାକୁରଙ୍କ ନିବେଦନ

ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଠାକୁରଙ୍କ ନିବେଦନ

ଲକ୍ଷ୍ନୌ : ଭାରତୀୟ ରେସଲିଂ ମହାସଂଘ (ଡବ୍‌ଲ୍ୟୁଏଫ୍‌ଆଇ) ମୁଖ୍ୟ ବ୍ରିଜ୍ ଭୂଷଣ ଶରନ୍ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଦେଶର ଅନେକ ତାରକା ରେସଲର୍ ନୂଆଦିଲ୍ଲୀର ଜନ୍ତର ମନ୍ତରଠାରେ ଗତ ୨୩ ତାରିଖରୁ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତୁରନ୍ତ ବ୍ରିଜ୍ ଭୂଷଣଙ୍କୁ ଗିରଫ କରିବା ସହ ସେମାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏହି ଆନ୍ଦୋଳନ ଜାରି ରହିଥିବା ବେଳେ ଗୁରୁବାର ସୁପ୍ରିମ୍‌କୋର୍ଟ ତାଙ୍କର ଶୁଣାଣି ଶେଷ କରିଛନ୍ତି ।

ତେବେ ଏଥିରେ ଆନ୍ଦୋଳନକାରୀମାନେ ଆଦୌ ନିରାଶ ନୁହନ୍ତି ଓ ନ୍ୟାୟ ପାଇଁ ସେମାନଙ୍କ ଲଢ଼େଇ ଜାରି ରହିବ ବୋଲି ସେମାନେ ସ୍ପଷ୍ଟ କରିସାରିଛନ୍ତି । ଏହି ଆନ୍ଦୋଳନ ପୁଣିଥରେ ଆରମ୍ଭ ହେବା ପରେ ଶୁକ୍ରବାର ପ୍ରଥମ ଥର ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏହି ମାମଲାରେ ମୁହଁ ଖୋଲିଛନ୍ତି । ଦିଲ୍ଲୀ ପୁଲିସ୍ ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବ୍ରିଜ୍ ଭୂଷଣଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ଏହାର ନିରପେକ୍ଷ ତଦନ୍ତ ପାଇଁ ରେସଲରମାନେ ଆନ୍ଦୋଳନରୁ ଓହରିଯିବାକୁ ଠାକୁର ନିବେଦନ କରିଛନ୍ତି । ଏଠାରେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ମଶାଲ୍ ର‌୍ୟାଲିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଠାକୁର କହିଛନ୍ତି ଯେ ଅଦ୍ୟାବଧି ରେସଲରମାନଙ୍କ ସମସ୍ତ ଦାବିକୁ ଗୁରୁତର ସହକାରେ ବିଚାର କରାଯାଇଛି ।

ସୁପ୍ରିମ୍‌କୋର୍ଟ ମଧ୍ୟ ତାଙ୍କ ରାୟ ଦେଇସାରିଛନ୍ତି । ବର୍ତ୍ତମାନ ସମୟରେ ପୁଲିସ୍ ଯେପରି ନିରପେକ୍ଷ ତଦନ୍ତ କରି ସତ୍ୟର ଉନ୍ମୋଚନ କରିବା ସହ ଦୋଷୀକୁ ଉପଯୁକ୍ତ ଦଣ୍ଡ ବିଧାନ କରିପାରିବ, ସେଥିସକାଶେ ରେସଲରମାନେ ଆନ୍ଦୋଳନରୁ ଓହରିଯିବା ଉଚିତ ବୋଲି ଠାକୁର କହିଛନ୍ତି । ସେହିପରି ଏହି ମାମଲାରେ ରାଜନେତାମାନେ ଧାରଣାସ୍ଥଳରେ ପହଞ୍ଚିବା ଫଳରେ ରେସଲରମାନଙ୍କ ଆନ୍ଦୋଳନ ଏହାର ଗୁରୁତ୍ୱ ହରାଉଥିବା କେନ୍ଦ୍ର ବହିଃବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି କହିଛନ୍ତି ।

ଅନ୍ୟପକ୍ଷରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା କୋଚ୍ ମହାବୀର ସିଂହ ଫୋଗଟ୍ ଆନ୍ଦୋଳନରତ ରେସଲରମାନଙ୍କୁ ନ୍ୟାୟ ନ ମିଳିଲେ ସେ ତାଙ୍କ ପଦକ ଫେରାଇଦେବେ ବୋଲି ଚେତାବନୀ ଦେଇଛନ୍ତି । ଏଥିସହ ବ୍ରିଜ୍ ଭୂଷଣଙ୍କ ବିରୋଧରେ ଯେପରି ଅଭିଯୋଗ ଆସିଛି, ତା’ ଆଧାରରେ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ମହାବୀର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking