ଭୁବନେଶ୍ୱର: ରାଜଧାନୀରେ ଆତଙ୍କ ଖେଳାଇଲେ ଯୁବକ । ଖଣ୍ଡା, ତଲୱାଲ ଧରି ମାର୍କେଟ୍ ଅଞ୍ଚଳରେ ବ୍ୟବସାୟୀଙ୍କୁ କଲେ ଆକ୍ରମଣ । ଦୁର୍ବୃତ୍ତମାନେ ବୁଧବାର ରାତି ପ୍ରାୟ ୯ଟା ଦୀର୍ଘ ୨ଘଣ୍ଟା ଧରି ଆତଙ୍କ ରଚିଥିଲେ । ଏହାର ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ଚାରିଦିନ ପୂର୍ବେ ହୋଇଥିବା ବଚସା ବୁଧବାର ରାତିରେ ଉଗ୍ରରୂପ ନେଇଛି । ସାମାନ୍ୟ କଥାକୁ ନେଇ ଭରତପୁର ଥାନା ନୂଆଗାଁ ବଜାରରେ ଖଣ୍ଡା ବୁଲିଛି । ଏଥିରେ କାବୁ ନାମକ ଜଣେ ଇଲେକ୍ଟ୍ରୋନିକ୍ସ୍ ଦୋକାନୀ ଏବଂ ଆଉଜଣେ ହାର୍ଡୱାର ଦୋକାନୀ ଆହତ ହୋଇଛନ୍ତି ।
ଅଭିଯୋଗ ଅନୁସାରେ, ୪ ଦିନ ପୂର୍ବେ ମଳିପଡ଼ା ଅଞ୍ଚଳର ଶୋଭନ ସମ୍ ହସ୍ପିଟାଲ ଛକ ନିକଟରେ ଥିବା ଏକ ଦୋକାନରୁ ଥଣ୍ଡା ପାନୀୟ କିଣୁଥିଲେ । ସେହି ସମୟରେ ନୂଆଗାଁ ଅଞ୍ଚଳର ପିଣ୍ଟା ନିଶାସକ୍ତ ଅବସ୍ଥାରେ ସେଠାକୁ ଆସିଥିଲା । କୌଣସି କାରଣ ନଥାଇ ଶୋଭନକୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲା । ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ଯାଇ ଶୋଭନ ସେଠାରୁ ପଳାଇ ଯାଇଥିଲେ । ଶୋଭନଙ୍କ ବାପା ଜାଣିବା ପରେ ପିଣ୍ଟାର ବାପାଙ୍କୁ ଘଟଣା ବିଷୟରେ ପଚାରିଥିଲେ । କିନ୍ତୁ ପିଣ୍ଟାର ବାପା ଘଟଣାକୁ ଏଡ଼ାଇ ଯାଇଥିଲେ । ବୁଧବାର ଶୋଭନଙ୍କ ବଡ଼ବାପା ଘଟଣା ବିଷୟରେ ଜାଣିବା ପରେ ପିଣ୍ଟାର ବାପାଙ୍କୁ ପଚାରିଥିଲେ । ତାଙ୍କଠାରୁ କୌଣସି ସନ୍ତୋଷଜନକ ଉତ୍ତର ନପାଇ ପଳାଇଥିଲେ ।
ତେବେ ଘଟଣା ବିଷୟରେ ବାରମ୍ୱାର ବାପାଙ୍କୁ ପଚାରିବା କଥା ଜାଣିବା ପରେ ପିଣ୍ଟା ଉତ୍ତ୍ୟକ୍ତ ହୋଇଥିଲା । ବୁଧବାର ସନ୍ଧ୍ୟାରେ ଏକ ଖଣ୍ଡା ଧରି ନୂଆଗାଁ ବଜାରରେ ଆତଙ୍କ ଖେଳାଇଥିଲା । ନୂଆଗାଁ ବଜାରରେ ଇଲେକ୍ଟ୍ରୋନିକ୍ସ ଦୋକାନ କରିଥିବା କାବୁ ଓ ଆଉ ଜଣେ ହାର୍ଡୱାର ଦୋକାନୀ ବିରୋଧ କରିବାରୁ ପିଣ୍ଟା ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ କାବୁଙ୍କ ହାତ ଓ ହାର୍ଡୱେର ଦୋକାନୀଙ୍କ କାନ ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ଲୋକମାନେ ଏକାଠି ହୋଇଯିବାରୁ ପିଣ୍ଟା ସେଠାରୁ ଫେରାର ହୋଇଯାଇଥିଲା । ପୁଲିସ ପଣ୍ଡାକୁଦିଆ ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତ ପିଣ୍ଟାକୁ କାବୁ କରିଥିଲା ।
ତାଙ୍କ ଜଣେ ସହଯୋଗୀ ଗୁଡୁଙ୍କୁ ଗିରଫ କରିଛି । ସେମାନଙ୍କ ସହ ଥିବା ଅନ୍ୟ ସହଯୋଗୀମାନେ ଫେରାର ହୋଇଯାଇଛନ୍ତି । ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ଡନ୍ ହେବା ନିଶାରେ ନିଶାସକ୍ତ ଅବସ୍ଥାରେ ଅଭିଯୁକ୍ତ ମାନେ ଛକ ଉପରେ ଜାଣିଶୁଣି ମରଣାନ୍ତକ ଆକ୍ରମଣ କରିଥିଲେ ।