26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶତେଜସ୍ କିଣିବେ ଆର୍ଜେଣ୍ଟିନା, ଇଜିପ୍ଟ ଓ ଫିଲିପାଇନ୍ସ

ତେଜସ୍ କିଣିବେ ଆର୍ଜେଣ୍ଟିନା, ଇଜିପ୍ଟ ଓ ଫିଲିପାଇନ୍ସ

ନୂଆଦିଲ୍ଲୀ: ଭାରତରେ ସ୍ୱଦେଶୀ କାରିଗରିକୌଶଳରେ ନିର୍ମିତ ହାଲୁକା ଲଢୁଆ ବିମାନ ‘ତେଜସ୍‌’ କିଣିବାକୁ ଆର୍ଜେଣ୍ଟିନା, ଇଜିପ୍ଟ, ଫିଲିପାଇନ୍ସ ଓ ନାଇଜେରିଆ ଭଳି ରାଷ୍ଟ୍ର ଆଗ୍ରହୀ ଥିବା ଜଣାପଡିଛି । ଏହି ଚାରିଟି ରାଷ୍ଟ୍ର ସହ ବର୍ତ୍ତମାନ ଆଲୋଚନା ଚାଲିଛି ବୋଲି ତେଜସ୍ ନିର୍ମାତା ହିନ୍ଦୁସ୍ତାନ ଏରୋନଟିକ୍‌ସ ଲିମିଟେଡ୍ ଅଧ୍ୟକ୍ଷ ସି.ବି.ଅନନ୍ତକ୍ରିଷ୍ଣନ ସୂଚନା ଦେଇଛନ୍ତି । ତେବେ ଆର୍ଜେଣ୍ଟିନା ପକ୍ଷରୁ କେତେକ ସର୍ତ୍ତ ରଖାଯାଇଛି । ତେଜସ୍ ବିମାନରେ ବ୍ରିଟେନରେ ନିର୍ମିତ କେତେକ ଯନ୍ତ୍ରାଂଶ ଖଞ୍ଜାଯାଇଥିବାରୁ ଆର୍ଜେଣ୍ଟିନା ସାମାନ୍ୟ କୁଣ୍ଠାବୋଧ କରୁଛି ।

ଅବଶ୍ୟ ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ଅନନ୍ତକ୍ରିଷ୍ଣନ କହିଛନ୍ତି । ସୂଚନାଯୋଗ୍ୟ ୧୯୮୨ରେ ଇଂଲଣ୍ଡଓ ଆର୍ଜେଣ୍ଟିନା ମଧ୍ୟରେ ଫକ୍‌ଲାଣ୍ଡ୍ ଯୁଦ୍ଧ ହେବାପରଠାରୁ ବ୍ରିଟେନ ପକ୍ଷରୁ ଆର୍ଜେଣ୍ଟିନାକୁ ଯୁଦ୍ଧାସ୍ତ୍ର ଓ ଲଢୁଆ ବିମାନ ଯୋଗାଣ ବନ୍ଦ କରାଯାଇଛି । ଯଦି ବ୍ରିଟେନ କୌଣସି ସୂତ୍ରରୁ ଖବର ପାଏ ଯେ ଆର୍ଜେଣ୍ଟିନା ଭାରତରୁ ତେଜସ୍ ବିମାନ କିଣିବାକୁ ଯାଉଛି, ତେବେ ଏହା ହିନ୍ଦୁସ୍ତାନ ଏରୋନଟିକ୍‌ସକୁ ଯନ୍ତ୍ରାଂଶ ଯୋଗାଇବାରେ ଅନିଚ୍ଛା ପ୍ରକାଶ କରିପାରେ ବୋଲି ଆଶଙ୍କା ଉପୁଜିଛି । ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କ ମଜଭୁତ କରିବାକୁ ଆର୍ଜେଣ୍ଟିନା ପ୍ରତିରକ୍ଷା ମନ୍ତ୍ରୀ ଗତ ଜୁଲାଇରେ ଭାରତ ଗସ୍ତରେ ଆସିଥିଲେ । ସେହି ସମୟରେ ଦୁଇ ଟନ୍ ଓଜନ ବିଶିଷ୍ଟ ଲଢୁଆ ହେଲିକପ୍ଟର ପାଇଁ ଯନ୍ତ୍ରାଂଶ ଯୋଗାଇବାକୁ ହିନ୍ଦୁସ୍ତାନ ଏରୋନଟିକ୍‌ସ ଓ ଆର୍ଜେଣ୍ଟିନା ବାୟୁସେନା ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।

ଅପରପକ୍ଷରେ ବିଗତ କିଛି ବର୍ଷ ଧରି ଭାରତ ଓ ଫିଲିପାଇନ୍ସ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ଅଧିକ ମଜଭୁତ ହେବାରେ ଲାଗିଛି । ଭାରତରୁ ବ୍ରହ୍ମସ୍ କ୍ଷେପଣାସ୍ତ୍ର କିଣିବାକୁ ଫିଲିପାଇନ୍ସ ଚଳିତବର୍ଷ ଜାନୁଆରୀରେ ୩୭୫ ନିୟୁତ ଡଲାରର ଏକ ଚୁକ୍ତି ସ୍ୱାକ୍ଷର କରିସାରିଛି । ତେଜସ୍ ହେଉଛି ସିଙ୍ଗଲ ଇଞ୍ଜିନ ବିଶିଷ୍ଟ ମଲ୍‌ଟି-ରୋଲ ହାଲୁକା ଲଢୁଆ ବିମାନ । ଆକାଶସୀମାରୁ ସୁରକ୍ଷିତ ରଖିବା ସହ ସମୁଦ୍ରରେ ଶତ୍ରୁପକ୍ଷର ମୁକାବିଲା କରିବାରେ ତେଜସ୍ ସକ୍ଷମ ବୋଲି ପ୍ରମାଣିତ ହୋଇସାରିଛି ।

ଭାରତୀୟ ବାୟୁସେନା ବର୍ତ୍ତମାନ ପୁରୁଣା ହୋଇଥିବା ମିଗ୍‌-୨୧ ବିମାନଗୁଡିକୁ ହଟାଇ ତେଜସ୍ ବିମାନକୁ ସାମିଲ କରିବାକୁ ଯୋଜନା ଚଳାଇଛି । ବର୍ତ୍ତମାନ ସୁଦ୍ଧା ୪୦ଟି ତେଜସ୍ ବିମାନକୁ ପରୀକ୍ଷାମୂଳକଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି । ୪୮ ହଜାର କୋଟି ଟଙ୍କାରେ ୮୩ଟି ତେଜସ୍ ବିମାନ କିଣିବାକୁ ୨୦୨୧ରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ହିନ୍ଦୁସ୍ତାନ ଏରୋନଟିକ୍‌ସ ସହ ଚୁକ୍ତି ସ୍ୱାକ୍ଷରିତ ହୋଇସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking