21.1 C
Bhubaneswar
Thursday, January 23, 2025
Homeଓଡିଶାନିବେଶକଙ୍କୁ ଆମନ୍ତ୍ରଣ ପାଇଁ ଜାପାନ ଗସ୍ତରେ ‘ଟିମ୍ ନବୀନ’

ନିବେଶକଙ୍କୁ ଆମନ୍ତ୍ରଣ ପାଇଁ ଜାପାନ ଗସ୍ତରେ ‘ଟିମ୍ ନବୀନ’

– ଟୋକିଓରେ ହେବ ପ୍ରଥମ ପୁଞ୍ଜିନିବେଶ ସମ୍ମିଳନୀ
– ନିବେଶକଙ୍କୁ ଓଡ଼ିଶା ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ
– ପରେ କ୍ୟୁଟୋ ଓ ଅନ୍ୟ ସହରରେ ହେବ ବୈଠକ
– ଅପ୍ରେଲ ୯ ଯାଏ ବିଦେଶରେ ରହିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୁବାଇ ଓ ଇଟାଲି ବ୍ୟତୀତ ମୁମ୍ବାଇ, ବେଙ୍ଗାଲୁରୁ ଓ ହାଇଦ୍ରାବଦ ଭଳି ମେଟ୍ରୋ ସିଟିରେ ଓଡ଼ିଶା ସରକାର ଇନଭେଷ୍ଟର୍ସ ମିଟ୍ ସଫଳତାର ସହ କରିସାରିଛନ୍ତି । କେବଳ ଦୁବାଇରୁ ହିଁ ୨୧୦୦ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ ରାଜ୍ୟକୁ ଆସିଛି । ସେଥିପାଇଁ ଓଡ଼ିଶାକୁ ଅଧିକୁ ପୁଞ୍ଜିପତିଙ୍କୁ ଆମନ୍ତ୍ରଣ ନିମନ୍ତେ ଜାପାନ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଥିରେ ମନ୍ତ୍ରୀ ଓ ବିଭିନ୍ନ ବିଭାଗର ସଚିବମାନେ ଜାପାନ ଯାଇଛନ୍ତି । ଓଡ଼ିଶାର କିଛି ବିଶିଷ୍ଟ ବ୍ୟବସାୟୀ ଏହି ଟିମ୍‌ରେ ସାମିଲ ହୋଇଛନ୍ତି ।

ଏପ୍ରିଲ ୩ରୁ ୯ ଯାଏ ଜାପାନ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜାପାନର ଟୋକିଓ, କ୍ୟୁଟୋ ଓ ଅନ୍ୟ କିଛି ସହରକୁ ଯାଇ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ କିଛି ପ୍ରମୁଖ ନିବେଶକଙ୍କୁ ଭେଟିବେ । ବିଶେଷକରି ପୋଷାକ, ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଇସ୍ପାତ, ରାସାୟନିକ ପଦାର୍ଥ, ପ୍ଲାଷ୍ଟିକ୍ ଗ୍ରୀନ୍ ହାଇଡ୍ରୋଜେନ୍‌, ଗ୍ରୀନ୍ ଆମୋନିଆ ଏବଂ ପେଟ୍ରୋକେମିକାଲ୍ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିିଶାର ଏକ ବ୍ୟବସାୟୀ ପ୍ରତିନିଧି ଦଳ ଜାପାନରେ ବ୍ୟବସାୟୀଙ୍କ ସହ ଆଲୋଚନା କରିବେ । ଏଥିସହ ନିବେଶକଙ୍କ ସହ ବୈଠକକରି ପୁଞ୍ଜି ନିବେଶ ନେଇ ଆଲୋଚନା କରିବେ । ନବୀନଙ୍କ ସହିତ ଏକ ବଡ଼ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଜାପାନ ଗସ୍ତ କରିଛନ୍ତି । ଏହି ପ୍ରତିନିଧି ଦଳରେ ଶିଳ୍ପମନ୍ତ୍ରୀ ପ୍ରତାପ୍ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ୍ ମିଶ୍ର, ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ପୁନିଆ ସାମିଲ ହୋଇଛନ୍ତି । ଏମାନଙ୍କ ବ୍ୟତିତ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଭି.କେ ପାଣ୍ଡିଆନ୍ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ୍ କ୍ରିଷ୍ଣା, ଅନ୍ୟ କିଛି ଅଧିକାରୀ ଓ ଶିଳ୍ପପତି ମଧ୍ୟ ଜାପାନ ଯାଇଛନ୍ତି ।

ଟୋକିଓରେ ଆୟୋଜିତ ହେଉଛି ପୁଞ୍ଜି ନିବେଶକଙ୍କ ପ୍ରଥମ ସମ୍ମିଳନୀ । ଏହା ପରେ ପ୍ରତିନିଧି ଦଳ କ୍ୱୋଟୋ ଓ ଓସାକା ଭଳି ମହାନଗରୀ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବେ । ମୁଖ୍ୟମନ୍ତ୍ରୀଙ୍କର କିଛି ସରକାରୀ ଓ ବ୍ୟାବସାୟିକ ବୈଠକ ଅନୁଷ୍ଠିତ ହେବ । ସେଥିପାଇଁ ନବୀନ ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ସଂପର୍କରେ ବିଭିନ୍ନ ଉଦ୍ୟୋଗୀଙ୍କ ସହ ସିଧାସଳଖ ଆଲୋଚନା କରିବେ । ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟ୍ୱିଟ୍ କରି କହିଥିଲେ, ପୁଞ୍ଜିନିବେଶ ପାଇଁ ଓଡ଼ିଶା ଏକ ପ୍ରକୃଷ୍ଟ ସ୍ଥାନ । ପ୍ରାୟ ଦୁଇ ଦଶନ୍ଧି ଧରି ଓଡ଼ିଶାରେ ଆମେ ସ୍ଥିର ଶାସନ ଦେଇଥିବାରୁ ନିବେଶକମାନେ ଓଡ଼ିଶା ଆସିବାକୁ ଅଗ୍ରସର ହୋଇଛନ୍ତି । ଦ୍ୱିତୀୟରେ ଓଡ଼ିଶାର ଲୋକେ ଶାନ୍ତିପ୍ରିୟ ଏବଂ ରାଜ୍ୟରେ ଯଥେଷ୍ଟ ସଂଖ୍ୟାରେ ମାନବ ସମ୍ବଳ ଉପଲବ୍ଧ ଥିବାରୁ ଆଗ୍ରହୀ କମ୍ପାନୀମାନଙ୍କ ପାଇଁ ଏଠାରେ କିଛି ସମସ୍ୟା ହେବ ନାହିଁ । ନୂଆ ଶିଳ୍ପନୀତି ଓ ଶିଳ୍ପାୟନ ପାଇଁ ରାଜ୍ୟ ସରକାର ଯୋଗାଇଥିବା ‘ୱାନ ପ୍ଲସ୍‌’ ସୁବିଧା ନିବେଶକାରୀମାନେ ନେଇପାରିବେ । ଜାପାନ ଗସ୍ତ ପରେ ଓଡ଼ିଶା ସହ ଉକ୍ତ ଦେଶର ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କ ଆହୁରି ମଜ୍‌ବୁତ୍ ହେବ ।

ଗତ ୨୯ ଜୁନ ୨୦୨୨ରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ ଦୁବାଇ ଗସ୍ତ କରି ଇନଭେଷ୍ଟର୍ସ ମିଟ୍ କରିଥିଲେ । ଦୁବାଇରୁ ୨୧ ହଜାର କୋଟି ଟଙ୍କାର ପୁଞ୍ଜି ଆସିବା ସହସହ ୧୯ ହଜାର କର୍ମନିଯୁକ୍ତି ପାଇବେ ବୋଲି ଆକଳନ ହୋଇଥିଲା । ଓଡ଼ିଶା ସରକାର, ଫିକି ଓ ୟୁଏଇରେ ଅବସ୍ଥାପିତ ଭାରତର ଆମ୍ବାସାଡୋର୍‌ଙ୍କ ମିଳିତ ସହଯୋଗରେ ଦୁବାଇରେ ଅନୁଷ୍ଠିତ ହୋଇଥିଲା ‘ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌’ । ଉକ୍ତ ଇନଭେଷ୍ଟର୍ସ ମିଟ୍‌ରେ ମଧ୍ୟପ୍ରାଚ୍ୟ, ଦୁବାଇ ଓ ମିନା ଅଞ୍ଚଳର ପ୍ରାୟ ୧୫୦ କମ୍ପାନୀ ଯୋଗ ଦେଇଥିଲେ । ସୋମାନଙ୍କ ମଧ୍ୟରୁ ଅଧିକାଂଶ ଓଡ଼ିଶାରେ ଅଧିକ ପରିମାଣରେ ‘ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜିନିବେଶ’ ବା ଏଫ୍‌ଡିଆଇ କରିବେ ବୋଲି ଘୋଷଣା କରିଥିଲେ । ଏବେ ଜାପାନରୁ ଅଧିକ ପୁଞ୍ଜି ଆଣିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ତେଣୁ ଜାପାନର ବିଭିନ୍ନ ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସହ ଆଇଟି ସେକ୍ଟରକୁ ‘ଟିମ ନବୀନ’ ପରିଦର୍ଶନ କରିବେ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking