ପୂଜାରା ଆଉଟ୍, ଋତୁରାଜ ଓ ଯଶସ୍ୱୀଙ୍କୁ ସୁଯୋଗ
ମୁମ୍ବାଇ: ଟିମ୍ ଇଣ୍ଡିଆର ଆଗାମୀ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ସକାଶେ ଶୁକ୍ରବାର ବିସିସିଆଇ ପକ୍ଷରୁ ଏକ ୧୬ଜଣିଆ ଦଳ ଘୋଷଣା କରାଯାଇଛି । ଏହି ଦଳରୁ ଟେଷ୍ଟ୍ ସ୍ପେଶାଲିଷ୍ଟ୍ ଚେତେଶ୍ୱର ପୂଜାରାଙ୍କୁ ବାଦ୍ ଦିଆଯାଇଥିବା ବେଳେ ଦୁଇ ଯୁବ ଓପନର ଋତୁରାଜ ଗାଏକ୍ୱାଡ୍ ଓ ଯଶସ୍ୱୀ ଜୈସ୍ୱାଲ୍ଙ୍କୁ ସୁଯୋଗ ଦିଆଯାଇଛି । ଏହାଛଡ଼ା ବେଙ୍ଗଲ ପେସର୍ ମୁକେଶ କୁମାର ମଧ୍ୟ ଏହି ଦଳରେ ଅନ୍ୟତମ ନୂଆମୁହଁ ଭାବେ ସ୍ଥାନ ପାଇଛନ୍ତି । ଏହି ଟେଷ୍ଟ୍ ସିରିଜ୍ ମାଧ୍ୟମରେ ଟିମ୍ ଇଣ୍ଡିଆର ତୃତୀୟ ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍ଶିପ୍ (ଡବ୍ଲ୍ୟୁଟିସି) ଅଭିଯାନ ଆରମ୍ଭ ହେବ । ପୂଜାରା ଟେଷ୍ଟ୍ରେ ତୃତୀୟ ନମ୍ବରରେ ନିୟମିତ ଭାବେ ବ୍ୟାଟିଂ କରିବା ସହ ବେଶ୍ ସଫଳତା ପାଇଥିଲେ । କିନ୍ତୁ ଗତ ୨୦୨୦ଠାରୁ ତାଙ୍କ ଫର୍ମରେ ବିଶେଷ ଅବନତି ଦେଖିବାକୁ ମିଳିଥିଲା । ସେବେଠାରୁ ଅଦ୍ୟାବଧି ୨୮ଟି ଟେଷ୍ଟ୍ ଖେଳିଥିବା ପୂଜାରା ୫୨ଟି ଇନିଂସରେ ମାତ୍ର ଥରଟିଏ ଶତକ କରିପାରିଛନ୍ତି । ଏହି ସମୟ ମଧ୍ୟରେ ୧୧ ଥର ଅର୍ଦ୍ଧଶତକ ହାସଲ କରିଥିବା ପୂଜାରାଙ୍କ ଆଭରେଜ୍ ମାତ୍ର ୨୯.୬୯ ରହିଛି ।
ଏହି କାରଣରୁ ଦୁଇ ବର୍ଷ ମଧ୍ୟରେ ପୂଜାରା ଦ୍ୱିତୀୟ ଥର ପାଇଁ ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିଛନ୍ତି । ଗତ ୨୦୨୨ରେ ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିରିଜ୍ ପାଇଁ ଦଳରେ ସାମିଲ୍ କରାଯାଇ ନ ଥିଲା । କିନ୍ତୁ ଚଳିତ ବର୍ଷ କାଉଣ୍ଟିରେ ଭଲ ଫର୍ମ ପ୍ରଦର୍ଶନ କାରଣରୁ ତାଙ୍କୁ ଇଂଲଣ୍ଡ ବିପକ୍ଷ ଏଜବାଷ୍ଟନ୍ ଟେଷ୍ଟ୍ ପାଇଁ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନର ସୁଯୋଗ ମିଳିଥିଲା । ଚଳିତ ମାସ ପ୍ରାରମ୍ଭରେ ଇଂଲଣ୍ଡର ଦି ଓଭାଲ୍ଠାରେ ଖେଳାଯାଇଥିବା ଡବ୍ଲ୍ୟୁଟିସି ଫାଇନାଲ୍ରେ ପୂଜାରା ବିଫଳ ହେବାରୁ ଚୟନକର୍ତ୍ତା ତାଙ୍କଠାରୁ ମୁହଁ ଫେରାଇନେବାକୁ ବାଧ୍ୟ ହୋଇଛନ୍ତି । ଅନ୍ୟପକ୍ଷରେ ମହାରାଷ୍ଟ୍ର ପକ୍ଷରୁ ଘରୋଇ କ୍ରିକେଟ୍ ଖେଳୁଥିବା ଗାଏକ୍ୱାଡ୍ ଗତ ଡବ୍ଲ୍ୟୁଟିସି ଫାଇନାଲ୍ ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିଲେ । କିନ୍ତୁ ବ୍ୟକ୍ତିଗତ କାରଣରୁ ସେ ଇଂଲଣ୍ଡ ଗସ୍ତ କରିପାରି ନ ଥିଲେ । ତାଙ୍କ ସ୍ଥାନରେ ମୁମ୍ବାଇର ଜୈସ୍ୱାଲ୍ଙ୍କୁ ସାମିଲ୍ କରାଯାଇଥିଲା । କାରଣ ଜୈସ୍ୱାଲ୍ ଘରୋଇ କ୍ରିକେଟ୍ରେ ମାତ୍ର ୯ଟି ମ୍ୟାଚ୍ରେ ୫ଟି ଶତକ ସମେତ ମୋଟ ୧୧୬୯ ରନ୍ କରିଥିଲେ ।
ଗାଏକ୍ୱାଡ୍ଙ୍କ ବ୍ୟତୀତ ଜୈସ୍ୱାଲ୍ ମଧ୍ୟ ପୂଜାରାଙ୍କ ସ୍ଥାନ ନେବାର ସମ୍ଭାବନା ରହିଛି । ଗତ ଡବ୍ଲ୍ୟୁଟିସିର ଦ୍ୱିତୀୟ ସଂସ୍କରଣରେ ଦୁର୍ବଳ ପ୍ରଦର୍ଶନ ସତ୍ତ୍ୱେ ବିରାଟ କୋହଲି ତାଙ୍କ ସ୍ଥାନ ବଜାୟ ରଖିଛନ୍ତି । ଆଜିଙ୍କ୍ୟ ରାହାଣେ ଉପଅଧିନାୟକ ରହିଥିବା ବେଳେ ମହମ୍ମଦ ଶମିଙ୍କୁ ଇଣ୍ଡିଜ୍ ବିପକ୍ଷ ଟେଷ୍ଟ୍ ଓ ଦିନିକିଆ ସିରିଜ୍ ପାଇଁ ବିଶ୍ରାମ ଦିଆଯାଇଛି । ଡବ୍ଲ୍ୟୁଟିସି ଫାଇନାଲ୍ରେ ଦୁର୍ବଳ ପ୍ରଦର୍ଶନ କାରଣରୁ ଅନ୍ୟତମ ପେସର୍ ଉମେଶ ଯାଦବଙ୍କୁ ବି ବାଦ୍ ଦିଆଯାଇଛି । ତେଣୁ ଯୁବ ପେସର୍ ନବଦୀପ ସୈନୀଙ୍କୁ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନର ସୁଯୋଗ ମିଳିଛି । ଅନ୍ତିମ ଥର ପାଇଁ ସେ ଦୁଇ ବର୍ଷ ତଳେ ଅଷ୍ଟ୍ରେଲିଆ ବିପକ୍ଷରେ ଗାବାଠାରେ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ । ଏହାଛଡ଼ା ଗତ ୨୦୨୨-୨୩ ରଣ୍ଜୀ ସିଜନ୍ରେ ୨୨ଟି ୱିକେଟ୍ ନେଇ ବେଙ୍ଗଲକୁ ଫାଇନାଲ୍ରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ୨୯ ବର୍ଷୀୟ ମୁକେଶ ଡବ୍ଲ୍ୟୁଟିସି ଫାଇନାଲ୍ ପାଇଁ ଷ୍ଟାଣ୍ଡବାଇ ଖେଳାଳି ସୂଚୀରେ ରହିଥିଲେ । ୩୮ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ୧୪୯ଟି ୱିକେଟ୍ ନେଇଥିବା ମୁକେଶ ଟିମ୍ ଇଣ୍ଡିଆର ଆଗାମୀ ଡବ୍ଲ୍ୟୁଟିସି ସାଇକ୍ଲରେ ମୁଖ୍ୟ ଅସ୍ତ୍ର ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ବାମହାତୀ ପେସର୍ ଜୟଦେବ ଉନାଦକତ୍ ମଧ୍ୟ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି । ଗତ ବର୍ଷ ବାଂଲାଦେଶ ବିପକ୍ଷ ଦୁଇ ଟେଷ୍ଟ୍ ବିଶିଷ୍ଟ ସିରିଜ୍ରେ ସେ ଟିମ୍ ଇଣ୍ଡିଆକୁ ଫେରିଥିଲେ । ମୁକେଶ ଆହତ ହେବା କାରଣରୁ ସେ ଦୀର୍ଘ ୧୨ ବର୍ଷର ବ୍ୟବଧାନ ପରେ କ୍ୟାରିଅର୍ର ଦ୍ୱିତୀୟ ଟେଷ୍ଟ୍ ଖେଳିବାର ସୁଯୋଗ ପାଇଥିଲେ । ୨୯ ବର୍ଷୀୟ କେଏସ୍ ଭରତଙ୍କୁ ମୁଖ୍ୟ ୱିକେଟ୍କିପର୍ ଭାବେ ରଖାଯାଇଥିବା ବେଳେ ଅତିରିକ୍ତ ୱିକେଟ୍କିପର୍ ଭାବେ ଈଶାନ୍ କିଶନ୍ ମଧ୍ୟ ତାଙ୍କ ସ୍ଥାନ କାଏମ ରଖିଛନ୍ତି । ସୂଚନାଯୋଗ୍ୟ ଯେ ଟିମ୍ ଇଣ୍ଡିଆ ଆସନ୍ତା ଜୁଲାଇ ୧୨ରୁ ୧୬ ପର୍ଯ୍ୟନ୍ତ ପ୍ରଥମ ଟେଷ୍ଟ୍ ଡୋମିନିକାଠାରେ ଏବଂ ୨୦ରୁ ୨୪ ପର୍ଯ୍ୟନ୍ତ ଦ୍ୱିତୀୟ ଟେଷ୍ଟ୍ ତ୍ରିନିଦାଦ୍ଠାରେ ଖେଳିବ । ସେହିପରି ଆସନ୍ତା ଜୁଲାଇ ୨୭ରୁ ଆରମ୍ଭ ହେବାକୁ ଥିବା ଦଳର ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିିରିଜ୍ ପାଇଁ ୱିକେଟ୍କିପର୍ ଭାବେ ସଞ୍ଜୁ ସାମ୍ସନ୍ଙ୍କୁ ପ୍ରତ୍ୟାବର୍ତ୍ତନ ସୁଯୋଗ ମିଳିଛି । ଗତ ମେ’ଠାରୁ ଆଘାତଜନିତ କାରଣ ନେଇ ଦଳଠାରୁ ଦୂରେଇ ରହିଥିବା ଲୋକେଶ ରାହୁଲଙ୍କ ସ୍ଥାନରେ ସାମ୍ସନ୍ଙ୍କୁ ନିଆଯାଇଛି । ଏହି ୧୭ଜଣିଆ ଦଳରେ ଅନ୍ୟତମ ୱିକେଟ୍କିପର୍ ଭାବେ କିଶନ୍ ରହିଛନ୍ତି । ଶେଷ ଥର ପାଇଁ ସାମ୍ସନ୍ ଗତ ବର୍ଷ ନଭେମ୍ବରରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳିଥିଲେ ।
ଟେଷ୍ଟ୍ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍, ଋତୁରାଜ ଗାଏକ୍ୱାଡ୍, ବିରାଟ କୋହଲି, ଯଶସ୍ୱୀ ଜୈସ୍ୱାଲ୍, ଆଜିଙ୍କ୍ୟ ରାହାଣେ (ଉପଅଧିନାୟକ), କେଏସ୍ ଭରତ (ୱିକେଟ୍କିପର୍), ଈଶାନ୍ କିଶନ୍ (ୱିକେଟ୍କିପର୍), ରବିଚନ୍ଦ୍ରନ୍ ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ୍ ଠାକୁର, ଅକ୍ଷର ପଟେଲ୍, ମହମ୍ମଦ ସିରାଜ୍, ମୁକେଶ କୁମାର, ଜୟଦେବ ଉନାଦକତ୍ ଓ ନବଦୀପ ସୈନୀ ।
ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍, ଋତୁରାଜ ଗାଏକ୍ୱାଡ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମ୍ସନ୍ (ୱିକେଟ୍କିପର୍), ଈଶାନ୍ କିଶନ୍ (ୱିକେଟ୍କିପର୍), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଶାର୍ଦ୍ଦୁଲ୍ ଠାକୁର, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, ୟୁଜବେନ୍ଦ୍ର ଚହଲ୍, କୁଲଦୀପ ଯାଦବ, ଜୟଦେବ ଉନାଦକତ୍, ମହମ୍ମଦ ସିରାଜ୍, ଉମରାନ୍ ମଲିକ ଓ ମୁକେଶ କୁମାର ।