31.1 C
Bhubaneswar
Sunday, May 19, 2024
Homeଓଡିଶାକଂଗ୍ରେସ ଉପରେ ବର୍ଷିଲେ, ବିଜେଡି ଉପରେ ଚୁପ୍ ରହିଲେ

କଂଗ୍ରେସ ଉପରେ ବର୍ଷିଲେ, ବିଜେଡି ଉପରେ ଚୁପ୍ ରହିଲେ

ଭୁବନେଶ୍ୱର : ବିଜେପିର ମୁଖିଆ ତଥା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବଲପୁର ଗସ୍ତରେ ଆସି ସାଧାରଣ ସଭାକୁ ଉଦ୍‌ବୋଧନ ଦେବା ଅବସରରେ କଂଗ୍ରେସ ଉପରେ ଢ଼େର୍ ବର୍ଷିଲେ । ହେଲେ ବିଜେଡି ସରକାର ଉପରେ ପଦଟିଏ ବି କହିଲେ ନାହିଁ । ରାତି ପାହିଲେ ରାଜ୍ୟ ବିଜେପି ନେତାମାନେ ବିଜେଡି ବିରୋଧରେ ତୁମ୍ଭି ତୋଫାନ କରୁଛନ୍ତି । ହେଲେ ଦଳର ମୁଖିଆ ବିଜେଡି ବିରୋଧରେ ମୁହଁ ନ ଖୋଲିବା ତାହାକୁ ନେଇ ରାଜନୈତିକ ମହଲରେ ଜୋର୍‌ଦାର୍ ଚର୍ଚ୍ଚା ଆରମ୍ଭ ହୋଇଛି । ଅନ୍ୟ ପଟରେ ରାଜ୍ୟ ବିଜେପିର ନେତାମାନଙ୍କୁ ମୋଦୀଙ୍କର ଏହି ପଦକ୍ଷେପକୁ ବେଶ୍ ନିରାଶ କରିଥିବା କଥା କୁହାଯାଉଛି । ନିର୍ବାଚନ ପୂର୍ବରୁ ମୋଦୀଙ୍କ ଏହି ଗସ୍ତର ସୁଦୁର ପ୍ରସାର ପ୍ରଭାବ ରହିଥିଲା । ଯାହାକୁ ନେଇ ରାଜ୍ୟ କର୍ମକର୍ତ୍ତା ଓ କର୍ମୀମାନେ ବିଜେଡି ବିରୋଧରେ ଯାଇଥା’ନ୍ତେ । ହେଲେ ସେମାନଙ୍କୁ ଏବେ ନିରାଶ ହେବାକୁ ପଡ଼ୁଛି । ମୋଦୀ ବଜେଡି ବିରୋଧରେ ପାଟି ନ ଖୋଲିବା ପଛର କାରଣ କ’ଣ ହୋଇପାରେ ତାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ଚାଲିଛି ।

ପ୍ରଧାନମନ୍ତ୍ରୀ ସମ୍ବଲପୁର ଠାରେ ଥିବା ଆଇଆଇଏମ୍‌ର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ । ସେଠାରେ ଛାତ୍ରଛାତ୍ରୀ ଓ ଅଧିକାରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ତାହା ଏକ ସରକାରୀ ସଭା ଥିବାରୁ ସେଠାରେ ସୌଜନ୍ୟତା ଦୃଷ୍ଟିରୁ ରାଜନୈତିକ ଭାଷଣ ଦେବାରୁ ଦୂରେଇ ରହିଥିଲେ । ପରବର୍ତ୍ତି ସମୟରେ ଦଳୀୟ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଯେଉଁଠାରେ ମୋଦୀ ରାଜୈତିକ ଭାଷଣ ଦେଲେ ହେଲେ ରାଜ୍ୟରେ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦି ଭାବେ ଉଭା ହୋଇଥିବା ବିଜେଡିକୁ ସମାଲୋଚନା କରିବାର ଦୂରର କଥା କିଛିବି ମତ ରଖିଲେ ନାହିଁ । ସେ ତାଙ୍କ ଭାଷଣରେ ଅନେକ କଥା ରଖିଲେ । ଯେଉଁଥିରେ କେନ୍ଦ୍ର ବିଜେପି ସରକାର ଓଡ଼ିଶା ପାଇଁ କ’ଣ କ’ଣ କରିଛନ୍ତି ତାହାର ତାଲିକା ଦେଲେ । କେନ୍ଦ୍ର ବିଜେପି ସରକାର ଫୋକସ୍‌ରେ ଓଡ଼ିଶା ରହିଥିବା କଥା ସୂଚନା ଦେଲେ ।
ରାଜନୈତିକ ଭାଷଣରେ କଂଗ୍ରେସକୁ ହିଁ ଟାର୍ଗେଟ କଲେ । ଓଡ଼ିଶାର ବିକାଶରେ ପୂର୍ବରୁ କଂଗ୍ରେସ ସରକାର କିପରି ବାଧକ ସାଜିଥିଲା ଓ ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବା ପାଇଁ କଂଗ୍ରେସ କିପରି ବିରୋଧ କରିଥିଲା ତାହା ଉଲ୍ଲେଖ କରି କଟୁ ସମାଲୋଚନା କରିଥିଲେ । ଚାଷୀଙ୍କ କଥା ବି ଉଲ୍ଲେଖ କରି ମାଡ଼ ମାରିଥିଲେ । ପ୍ରଧାମନ୍ତ୍ରୀ କହିଥିଲେ କେନ୍ଦ୍ରରେ ସରକାର ଥିଲା ବେଳେ ଓଡ଼ିଶାର ଚାଷୀଙ୍କ ଠାରୁ ମାତ୍ର ୩୬ ହଜାର କୋଟିର ଧାନ କଣିଥିଲେ । କିନ୍ତୁ ବିଜେପି ସରକାର ଆସିବା ପରେ ଓଡ଼ିଶା ଚାଷୀଙ୍କ ଠାରୁ ୧ ଲକ୍ଷ ୧୦ ହଜାର କୋଟିର ଧାନ କିଣିଛି । ପୂର୍ବ ସରକାର ଲୋକଙ୍କୁ ଲାଭ ଅପେକ୍ଷା ସ୍ୱୟଂ ଦୁର୍ନୀତିରେ ବୁଡ଼ି ରହିଥିଲା । ସେତେବେଳେ ଭାରତର ଯୁବକମାନଙ୍କୁ ନିଶାରେ ବୁଡ଼ାଇ ରଖାଯାଇଥିଲା । ଏବେ ଯୁବକଙ୍କ ପଛରେ ବିଜେପି ସରକାର ଠିଆ ହୋଇଛି । ଆଜି ବିଜେପି ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମଙ୍କୁ ରାଷ୍ଟ୍ରପତି କରିଛି । କଂଗ୍ରେସ ଓ ତା’ ସହଯୋଗୀ ଦ୍ରୌପଦୀ ମୁର୍ମୁଙ୍କୁ ଅପମାନ କରିଥିଲା ତାହା ଦ୍ରୌପଦୀ ମୁର୍ମୁଙ୍କ ଅପମାନ ନୁହେଁ ସାରା ଆଦୀବାସୀଙ୍କ ଅପମାନ । ଯାହା ଦ୍ରୌପଦୀ ମୁର୍ମୁଙ୍କ ଅପମାନ ତାହା ସାରା ଓଡ଼ିଶାବାସୀଙ୍କ ପ୍ରତି ଅପମାନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପୂର୍ବ ସରକାର ଓଡ଼ିଶାର ଗରିବଙ୍କୁ ନେଇ ପ୍ରଚାର କରୁଥିଲା । ସମୃଦ୍ଧ ଓଡ଼ିଶାକୁ କିଛି ରାଜନୈତିକ ଦଳ ବିକାଶରୁ ବଞ୍ଚିତ କରିଥିଲା । ଦେଶର ବିକାଶ ପାଇଁ ବିଜେପି ସରକାର କାର୍ଯ୍ୟ କରୁଛି । ଦିଲ୍ଲୀରେ ଯେତେବେଳେ କଂଗ୍ରେସ ସରକାର ଥିଲା ଓଡ଼ିଶାକୁ ନିଜର ହକ୍ ପାଇଁ ସଂଘର୍ଷ କରିବାକୁ ପଡ଼ୁଥିଲା । ଏବେ ଓଡ଼ିଶା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ସେ କହିଥିଲେ।

କଂଗ୍ରେସ ବିରୋଧରେ ଏତେ ବଖାଣୀ ଥିଲେ ବି ତାହା ନିରର୍ଥକ ବୋଲି ରାଜନୈତିକ ମହଲରେ ବିବେଚନା କରାଯାଉଛି । କାରଣ ଓଡ଼ିଶାରେ କଂଗ୍ରେସର ସ୍ଥିତି କେତେ ତଳେ ରହିଛି ତାହା ସମସ୍ତେ ଜାଣନ୍ତି । ୨୧ ଲୋକସଭା ଆସନରୁ ଗୋଟିଏ ଓ ୧୪୭ ବିଧାନସଭା ଆସନରୁ ୯ଟି ରହିଛି । ୧୦ ରାଜ୍ୟସଭାରୁ ଶୂନ । ଦଳର ଅଧିକାଂଶ ନେତା ନିର୍ବାଚନରେ ଅମାନତ ରଖିପାରୁ ନାହାଁନ୍ତି । ନିକଟରେ ହୋଇଥିବା ୪-୫ଟି ଉପନିର୍ବାଚନ ଭିତରୁ ଜିତିବାର ଦୂରର କଥା ଗୋଟିଏ ଆସନ ଛାଡ଼ିଦେଲେ ଆଉ ସବୁ ଆସନରେ ଅମାନତ ରଖିବା ସମ୍ଭବ ହେଲାନି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ କଂଗ୍ରେସ ବିରୋଧରେ ଓଡ଼ିଶାରେ ଗର୍ଜ୍ଜିଲେ ତାହାର କୌଣସି ସୁଫଳ ବିଜେପିକୁ ମିଳିବ ନାହିଁ ବୋଲି ତାହା ଦଳୀୟ ନେତାମାନେ ହୃଦୟଗମ କରିଛନ୍ତି ।

ଓଡ଼ିଶାର ରାଜନୈତିକ ସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀ ଯେ ଜାଣି ନଥିବେ ତାହା କହିବା ସମ୍ପୂର୍ଣ୍ଣ ଦୃଷ୍ଟାମୀ ହେବ । ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ସାଧାରଣ ସଭା ହୋଇଥିବାରୁ ତାଙ୍କର ବିଜେଡି ପ୍ରତି ନରମ ଆଭିମୁଖ୍ୟ ଦଳୀୟ ନେତାମାନଙ୍କୁ ଉତ୍ସାହିତ କରିବ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ସବୁ ଜାଣି ବିଜେଡି ବିରୋଧରେ ନ କହିବା ଅର୍ଥ କ’ଣ ବୋଲି ପ୍ରଶ୍ନ ଉଠିଛି । ରାଜ୍ୟସଭା ପାଇଁ ଓଡ଼ିଶାର ତିନୋଟି ଆସନ ଖାଲି ହେବାକୁ ଯାଉଛି । ଫେବୃଆରୀ ୨୭ରେ ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଛି । ଏଥିରେ ଦୁଇଟି ବିଜେଡିର ଓ ଗୋଟିଏ ବିଜେପିର ରହିଛି । ଅଶ୍ୱିନୀ ବୈଷ୍ଣବ୍ୟ ବିଜେପିର ହୋଇଥିଲେ ବି ବିଜେଡି ସହାୟତାରେ ଜିତି ରାଜ୍ୟସଭା ଯାଇ ମନ୍ତ୍ରୀ ହୋଇଛନ୍ତି । ତାଙ୍କ କାର୍ଯ୍ୟକାଳ ବି ଶେଷ ହୋଇଛି । ପ୍ରଧାମନ୍ତ୍ରୀ କ’ଣ ଆଶା ରଖିଛନ୍ତି ପୁଣି ବିଜେଡି ସହାୟତାରେ ରାଜ୍ୟସଭା ପାଇଁ ଗୋଟିଏ ଆସନ ନେବେ? ନିର୍ବାଚନ ଆଗକୁ ଥିବାରୁ ବିଜେଡି ଏଭଳି ପ୍ରସ୍ତାବରେ ରାଜି ହେଲେ ତାହା ଦଳ ପାଇଁ ଆତ୍ମଘାତୀ ହୋଇପାରେ । ଏଣୁ ଏ ପଦକ୍ଷେପ ବିଜେଡି ନେଇ ନପାରେ । ତେଣୁ ପ୍ରଧାନମନ୍ତ୍ରୀ କାହିଁକି ପାଟି ଖୋଲିଲେ ନାହିଁ ତାହାର ଉତ୍ତର ଦଳୀୟ ନେତାମାନେ ଖୋଜି ପାଉ ନାହାଁନ୍ତି । ରାଜ୍ୟସଭା ଆସନ ଆଶାରଖି ନା ଆଗାମୀ ନିର୍ବାଚନରେ ବୁଝାମଣା ସମ୍ଭାବନା ଥିବାର ଆଶାରେ ନିରବ ରହିଲେ ତାହା ଭବିଷ୍ୟତ କହିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking