ବାନ୍ଦିପୋରା : ଜମ୍ମ-କଶ୍ମୀରର ବାନ୍ଦିପୋରାରେ ଗୁରୁବାର ରାତିରେ ଆତଙ୍କବାଦୀମାନେ ଜଣେ ପ୍ରବାସୀ ଶ୍ରମିକଙ୍କ ଗୁଳିକରି ହତ୍ୟା କରିଛନ୍ତି । ମୃତକ ବିହାର ମାଧେପୁରା ଜିଲ୍ଲାର ମହମ୍ମଦ ଅମରେଜ୍ (୧୯) ବୋଲି ଜଣାପଡ଼ିଛି । ଗୁଳି ଲାଗିବା ପରେ ଅମରେଜ୍ଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କଶ୍ମୀର ଜୋନ୍ ପୁଲିସ ଟ୍ୱିଟ୍ କରି ଏହି ସୂଚନା ଦେଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ରାଜୌରୀରେ ସେନା ଶିବିରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବିଫଳ ହେବାର ୨୪ ଘଣ୍ଟା ପରେ ଏହି ଟାର୍ଗେଟ୍ କିଲିଂ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ଆତଙ୍କବାଦୀମାନେ ସେନା ଶିବିର ଉପରେ ଆତ୍ମଘାତୀ ଆକ୍ରମଣ କରିଥିଲେ, ଯେଉଁଥିରେ ୪ଜଣ ଯବାନ ସହିଦ ହୋଇଥିଲେ । ସୁରକ୍ଷାବଳର ଜବାବୀ ଆକ୍ରମଣରେ ଦୁଇଜଣ ଆତଙ୍କବାଦୀ ମଧ୍ୟ ପ୍ରାଣ ହରାଇଥିଲେ । ଅନ୍ୟପକ୍ଷରେ ଶୁକ୍ରବାର ଅନନ୍ତନାଗ ଜିଲ୍ଲାର ବେଜବେହରାରେ ଶୁକ୍ରବାର ସୁରକ୍ଷାବଳ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କବାଦୀଙ୍କ ଫାୟାରିଂରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଫାୟାରିଂରେ ଆତଙ୍କ ଏସ୍ପିଓ ଗୁଲାମ କାଦିରଙ୍କୁ ଚିକିତ୍ସା ପାଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।