ଶାଳଗାଁ : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ସଫା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଡ଼ିକୁ ଓଭରଟେକ୍ କରିବା ମହଙ୍ଗା ପଡ଼ିଛି ଗରୁଡଗାଁ ଗ୍ରାମର ଜନୈକ ଦଳିତ ଯୁବକଙ୍କୁ । ଏ ନେଇ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଗରୁଡ଼ଗାଁ ଗ୍ରାମର ଦୀପକ ମଳିକ ନାମକ ଜନୈକ ଯୁବକ ନିଜ ସମ୍ପର୍କୀୟଙ୍କ ମୃତ୍ୟୁ ଖବର ଶୁଣି କ୍ଷୀପ୍ର ଗତିରେ ଗାଡ଼ି ଚଳାଇ ନିଚ ଗ୍ରାମକୁ ଆସୁଥିବା ବେଳେ ସଫା ଗ୍ରାମର ଜନୈକ ବ୍ୟକ୍ତିଙ୍କୁ ସେ ଓଭରଟେକ୍ କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ସଫା ଗ୍ରାମର ଦୁଇ ଯୁବକ ଶ୍ରୀ ମଳିକଙ୍କୁ ଅଶ୍ରବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଗରୁଡ଼ଗାଁ ଛକରେ ତାଙ୍କୁ ମାରଧର କରିଥିଲେ । ଏଥିରେ ଶ୍ରୀ ମଳିକ ଡରିଯାଇ ନିଜ ଘରକୁ ଦୌଡ଼ି ପଳାଇଥିଲେ । ଏତିକିରେ ଦୁଇ ଯୁବକଙ୍କ ରାଗ ଶାନ୍ତ ହୋଇନଥିଲା ।
ସେମାନେ ପର ମୁହୂର୍ତ୍ତରେ ନିଜ ଗାଁରୁ ପାଖାପାଖି ୪୦ରୁ ୫୦ଜଣ ସହଯୋଗୀଙ୍କୁ ଆଣି ଦୀପକଙ୍କ ଘରେ ପଶି ତାଙ୍କୁ ବାଡ଼ାବାଡ଼ି କରିବା ସହ ଘରଲୋକଙ୍କୁ ମଧ୍ୟ ପେଲାଠେଲା କରିବା ସହ ଦୀପକ ଏବଂ ତାଙ୍କ ସାଙ୍ଗକୁ ଏକ ଟାଟା ଏସି ଯୋଗେ ଜୋରଜବରଦସ୍ତ ଉଠାଇ ସଫା ଗ୍ରାମକୁ ନେଇଯାଇଥିଲେ । ଗ୍ରାମରେ ବହୁ ଗ୍ରାମବାସୀଙ୍କ ସମ୍ମୁଖରେ ଦୀପକ ଓ ତାଙ୍କ ସାଙ୍ଗକୁ ଜାତିଆଣ ଆକ୍ଷେପ କରିବା ସହିତ ତାଙ୍କୁ ବିଧାଗୋଇଠା ମାରି ଗାଁ ଦାଣ୍ଡରେ ଆଣ୍ଠେଇ ତାଙ୍କୁ ଚଲାଇଥିଲେ ଏବଂ ଏ ସମସ୍ତ ଘଟଣାର ଭିଡ଼ିଓ ନିଜ ମୋବାଇଲରେ ଉତ୍ତୋଳନ କରି ଭାଇରାଲ କରିବାକୁ ମଧ୍ୟ ପଛାଇନଥିଲେ । ଏସବୁ କରିବା ପରେ ଉକ୍ତ ଦୁଇ ଯୁବକଙ୍କୁ ଛାଡ଼ି ଦେଇଥିଲେ ।
ପରେ ଆହତ ଅବସ୍ଥାରେ ଦୀପକ ନିଜ ଘରକୁ ଆସି ତାଙ୍କ ସମ୍ପର୍କୀୟଙ୍କ ଶୁଦ୍ଧିକ୍ରିୟା ସାରି ଆଜି ଟାଙ୍ଗୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ଦୀପକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାର ପଟୋ ମଧ୍ୟ ଗଣମାଧ୍ୟମଙ୍କ ହସ୍ତଗତ ହାଇଥିବା ଖବର ଜଣାପଡ଼ିଛି । ଏ ସମସ୍ତ ଘଟଣା ଘଟିଲା ପରେ ଦୀପକ ମାନସିକ ଚାପରେ ରହିଥିବା କଥା ଦୀପକଙ୍କ ସ୍ତ୍ରୀ ସୁଚିତ୍ରା ମଳିକ ଗଣମାଧ୍ୟମ ଆଗରେ ପ୍ରକାଶ କରିବା ସହିତ ଏ ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଅନ୍ୟପକ୍ଷରେ ଏଭଳି ଏକ ନିନ୍ଦନୀୟ ଘଟଣା ଭାଇରାଲ ହେଲା ପରେ ବିଭିନ୍ନ ଜାଗାରୁ ଏହା ବିରୁଦ୍ଧରେ ସ୍ୱରଉତ୍ତୋଳନ କରାଯାଇଥିବା ଜଣାପଡ଼ିଛି ।