26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବୈଜ୍ଞାନିକଙ୍କ ଆକଳନ, କୋଭିଡ୍ ତୃତୀୟ ଲହରର ପ୍ରଥମ ସୋପାନରେ ବ୍ରିଟେନ୍‌ !

ବୈଜ୍ଞାନିକଙ୍କ ଆକଳନ, କୋଭିଡ୍ ତୃତୀୟ ଲହରର ପ୍ରଥମ ସୋପାନରେ ବ୍ରିଟେନ୍‌ !

ଲଣ୍ଡନ : ବ୍ରିଟେନ୍ ଏବେ କରୋନା ସଂକ୍ରମଣର ତୃତୀୟ ଲହର ପ୍ରାଥମିକ ଅବସ୍ଥାରେ ରହିଛି ବୋଲି ବ୍ରିଟିଶ ସରକାରଙ୍କ ପରାମର୍ଶଦାତା ଜଣେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ରବି ଗୁପ୍ତା କହିଛନ୍ତି । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ରବି ଗୁପ୍ତା ସରକାରଙ୍କ ନିଉ ଆଣ୍ଡ ଏମର୍ଜିଂ ରେସ୍‌ପିରେଟୋରି ଭାଇରସ୍ ଥ୍ରେଟ୍ସ ଆଡ଼ଭାଇଜରି ଗ୍ରୁପ୍‌ର ସଦସ୍ୟ ଅଛନ୍ତି । ସେ କହିଛନ୍ତି, ନୂଆ ସଂକ୍ରମଣ ହାର ତୁଳନାତ୍ମକ ଦୃଷ୍ଟିରୁ କମ୍ ରହିଛି । କିନ୍ତୁ ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା କୋଭିଡ୍‌-୧୯ ଭାରିଆଣ୍ଟର ସଂକ୍ରମଣ ଉଦ୍‌ବେଗର କାରଣ ହୋଇଛି ।

ଗତ ରବିବାର ବ୍ରିଟେନ୍ ଏଭଳି ୩,୦୦୦ ନୂଆ ସଂକ୍ରମଣ ମାମଲା ରିପୋର୍ଟ କରିଥିଲା । ଗୁପ୍ତା କହିଛନ୍ତି, ବ୍ରିଟେନ୍ ଏବେ ତୃତୀୟର ଲହର ସଂକ୍ରମଣ ଲକ୍ଷ୍ୟ କରୁଛି । ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଏକ-ତୃତୀୟାଂଶ ଭାରତୀୟ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହେବା ଜଣାପଡ଼ିଛି । ପ୍ରାରମ୍ଭିକ ଅବସ୍ଥାରେ ସଂକ୍ରମଣ ହାର କମ୍ ରହୁଥିଲେ ମଧ୍ୟ ଆଗକୁ ଭୟାନକ ରୂପ ନେଇପାରେ । ତେଣୁ ଏହାକୁ ତୃତୀୟ ଲହରର ପ୍ରାଥମିକ ଅବସ୍ଥା ବୋଲି କୁହାଯିବ । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଇତିମଧ୍ୟରେ କହିଛନ୍ତି, ଜି-୭ ସମ୍ମିଳନୀରେ କୋଭିଡ୍‌-୧୯ ଭ୍ୟାକ୍ସିନ୍ ପାସ୍‌ପୋର୍ଟ ଏବଂ ଭବିଷ୍ୟତରେ ମହାମାରୀର ମିଳିତ ମୁକାବିଲା ଲାଗି ବିଶ୍ୱସ୍ତରୀୟ ଚୁକ୍ତି ସମ୍ପର୍କରେ ଆଲୋଚନା କରାଯିବାର ଯୋଜନା ରହିଛି ।

ଉଲ୍ଲେଖଯୋଗ୍ୟ, ଆସନ୍ତା ୧୧-୧୩ତାରିଖରେ ଇଂଲଣ୍ଡର କର୍ଣ୍ଣୱାଲରେ ଜି-୭ ଶୀର୍ଷ ସମ୍ମିଳନୀ ଅନୁଷ୍ଠିତ ହେବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟମାନେ ମହାମାରୀର ମୁକାବିଲା ଲାଗି ମିଳିତ ଭାବେ କାର୍ଯ୍ୟ କରିବାକୁ ସଙ୍କଳ୍ପବଦ୍ଧ ହୋଇଛନ୍ତି । ୧୯୪ ସଦସ୍ୟ ରାଷ୍ଟ୍ର ବିଶ୍ୱ ସ୍ୱାସ୍ଥ୍ୟ ସଭାର ଭର୍ଚୁଆଲ ବାର୍ଷିକ ବୈଠକରେ ଏଥିନେଇ ୧୪ପୃଷ୍ଠାର ପ୍ରସ୍ତାବ ଗ୍ରହଣ କରିଛନ୍ତି । ଡବ୍ଲ୍ୟୁଏଚ୍‌ଓର କ୍ଷମତା ବୃଦ୍ଧି ଲାଗି ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking