ଭୁବନେଶ୍ୱର : ତାମିଲନାଡୁର ଜଣେ ଯୁବକଙ୍କୁ ମୋବାଇଲ ଚୋରି କରିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୁଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ରାଜା(୨୫) । ତାଙ୍କ ଠାରୁ ଗୋଟିଏ ଚୋରି ମୋବାଇଲ ଜବତ ହୋଇଛି । ଅଭିଯୁକ୍ତ ରାଜା ନିଜକୁ ମୂକ ବୋଲି ପରିଚୟ ଦେବା ସହ ଏକ ଭିନ୍ନକ୍ଷମ ପ୍ରମାଣପତ୍ର ପୁଲିସକୁ ଦେଇଥିଲେ । ଉକ୍ତ ପ୍ରମାଣପତ୍ରକୁ ପୁଲିସ ଯାଞ୍ଚ କରୁଛି । ସୂଚନା ଅନୁଯାୟୀ, ଗତ ୨୬ତାରିଖ ସକାଳେ ଅଭିଯୁକ୍ତ ରାଜା ଅଭିଯୋଗକାରୀଙ୍କ ଘରର ପ୍ରଥମ ମହଲାରେ ବଳପୂର୍ବକ ପ୍ରବେଶ କରିଥିଲେ ।
ଏହାପରେ ଗୋଟିଏ ମୋବାଇଲ ଫୋନ ଚୋରି କରିନେଇ ପଳାଇଯିବାକୁ ଉଦ୍ୟମ କରିଥିଲେ । ଠିକ ଏହି ସମୟରେ ଅଭିଯୋଗକାରୀ ଏବଂ ତାଙ୍କ ବାପା ମିଶି ରାଜାଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଅଭିଯୁକ୍ତ ରାଜାଙ୍କୁ କାବୁ କରି ଥାନାକୁ ନେଇଥିଲା । ଥାନାରେ ପୁଲିସ ରାଜାଙ୍କୁ ତାଙ୍କ ନାମ ଏବଂ ଠିକଣା ପଚାରିବାରୁ ସେ ଉତ୍ତର ଦେବାକୁ ଅକ୍ଷମତା ପ୍ରକାଶ କରିବା ସହ ନିଜକୁ ଭିନ୍ନକ୍ଷମ ହେବାର ଏକ ପ୍ରମାଣପତ୍ର ଦେଖାଇଥିଲେ । ତେଣୁ ପୁଲିସ ସନ୍ଦେହ କରୁଛି ଯେ, ସେ କୌଣସି ଏକ ଚୋର ଗ୍ୟାଙ୍ଗର ସକ୍ରିୟ ସଦସ୍ୟ ଅଟନ୍ତି । ଯେଉଁମାନେ କି ଭିନ୍ନକ୍ଷମ ହେବାର ଏଭଳି ଜାଲ ପ୍ରମାଣପତ୍ର ଦେଖାଇ ଘର ଘର ବୁଲି ପାଣ୍ଠି ସଂଗ୍ରହ କରିବା ବାହାନାରେ ବିଭିନ୍ନ ଦାମି ସାମଗ୍ରୀ ସବୁ ଚୋରି କରି ନେଉଛନ୍ତି । ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।