ତାଇପେଇ: ଚଳିତ ତାଇପେଇ ଓପନ୍ରେ ଭାରତର ତାରକା ପୁରୁଷ ସିଙ୍ଗଲ୍ସ ଖେଳାଳି ଏଚ୍ଏସ୍ ପ୍ରଣୟ କ୍ୱାର୍ଟର୍ରେ ପହଞ୍ଚିଥିଲେ ମଧ୍ୟ ଶୁକ୍ରବାର ଏହି ପର୍ଯ୍ୟାୟରେ ପରାସ୍ତ ହୋଇଛନ୍ତି । ତୃତୀୟ ସିଡ୍ ପ୍ରଣୟ ହଂକଂର ପଞ୍ଚମ ସିଡ୍ ଏନ୍ଜି କା ଲୋଙ୍ଗ୍ ଆଙ୍ଗସ୍ଙ୍କଠାରୁ ୧୯-୨୧, ୮-୨୧ରେ ପରାସ୍ତ ହେବା ଫଳରେ ପ୍ରତିଯୋଗିତାରେ ଭାରତର ଚାଲେଞ୍ଜ୍୍ ଶେଷ ହୋଇଛି । ଏଥିସହ ପ୍ରଣୟଙ୍କ ବିପକ୍ଷରେ ଆଙ୍ଗସ୍ ତାଙ୍କର ଦ୍ୱାଦଶ ମ୍ୟାଚ୍ରେ ଷଷ୍ଠ ବିଜୟ ହାସଲ କରିଛନ୍ତି । ତା’ଛଡ଼ା ଗତ ସପ୍ତାହରେ ଇଣ୍ଡୋନେସିଆ ଓପନ୍ରେ ସେ ବରଣ କରିଥିବା ପରାଜୟର ମଧ୍ୟ ପ୍ରତିଶୋଧ ନେଇପାରିଛନ୍ତି ।
ପ୍ରତିଯୋଗିତାରେ କିଦାମ୍ବୀ ଶ୍ରୀକାନ୍ତ ଓ ଲକ୍ଷ୍ୟ ସେନ୍ଙ୍କ ପରି ତାରକା ଖେଳାଳିଙ୍କ ଅନୁପସ୍ଥିତିରେ ପୁରୁଷ ସିଙ୍ଗଲ୍ସରେ ପ୍ରଣୟଙ୍କ ସମେତ ମୋଟ ୭ ଜଣ ଭାରତୀୟ ଅଂଶଗ୍ରହଣ କରିଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ କିରନ୍ ଜର୍ଜ, ଶଙ୍କର ମୁଥାସାମୀ ସୁବ୍ରନିଅନ୍, ଏଇରାବା ଲୁଆଙ୍ଗ୍ ଓ ସତୀଶ କୁମାର କରୁଣାକରନ୍ଙ୍କ ପରି ୫ ଜଣ ଖେଳାଳି ପ୍ରଥମ ରାଉଣ୍ଡ୍ରୁ ହିଁ ବିଦାୟ ନେଇଥିଲେ । ପାରୁପାଲୀ କାଶ୍ୟପ ଦ୍ୱିତୀୟ ରାଉଣ୍ଡ୍ରେ ସୁ ଲି ୟିଆଙ୍ଗ୍ଙ୍କଠାରୁ ପରାସ୍ତ ହୋଇଥିଲେ ହେଁ ଏହି ସୁପର୍ ୩୦୦ ଟୁର୍ଣ୍ଣାମେଣ୍ଟ୍ର କ୍ୱାର୍ଟର୍ ଫାଇନାଲ୍ ପର୍ଯ୍ୟନ୍ତ ପ୍ରଣୟ ଯାଇପାରିଥିଲେ ।