23.1 C
Bhubaneswar
Thursday, December 26, 2024
HomeUncategorizedସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଓ ବାଲ୍ୟ ଜୀବନ

ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଓ ବାଲ୍ୟ ଜୀବନ

ଭୁବନେଶ୍ୱର : ୧୮୬୩ ଖ୍ରୀଷ୍ଟାବ୍ଦ ଜାନୁଆରୀ ୧୨ ତାରିଖ, ପୌଷ ସଂକ୍ରାନ୍ତି ଦିନ ପ୍ରତ୍ୟୁଷରେ କଲିକତାର ସିମଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୂପେ ଯେଉଁ ଶିଶୁଟି ଜନ୍ମଗ୍ରହଣ କରିଥିଲା, ସେହି ନବଜାତକ ପ୍ରତି ଆମମାନଙ୍କର ପ୍ରଣତି । ସେଦିନ ହୁଏତ ଶତ ଶତ ଶିଶୁଙ୍କର ଜନ୍ମ ହୋଇଛି, କିନ୍ତୁ ଏହି ଶିଶୁଟିକୁ ହିଁ ବିଶେଷ କରି ଜଗତ ସ୍ମରଣ କରି ରଖିଛି । ଏହି ନବଜାତକ ନରେନ୍ଦ୍ରନାଥ ଦତ୍ତ, ଯିଏ ପରବର୍ତ୍ତୀ କାଳରେ ବିଶ୍ୱବରେଣ୍ୟ ଯୁଗାଚାର୍ଯ୍ୟ ସ୍ୱାମୀ ବିବେକାନନ୍ଦ ହୋଇଥିଲେ ।

ବିଶ୍ୱନାଥ ଦତ୍ତ ଥିଲେ ଜଣେ ଲବ୍‌ଧପ୍ରତିଷ୍ଠିତ ଆଟର୍ଣ୍ଣି । ତାଙ୍କର ଉଦାରତା, ଚରିତ୍ରର ତେଜସ୍ୱିତା ଓ ପରଦୁଃଖକାତରତା ସମସ୍ତଙ୍କର ଶ୍ରଦ୍ଧା ଆକର୍ଷଣ କରୁଥିଲା । ଭୁବନେଶ୍ୱରୀ ଦେବୀ ଥିଲେ ସୁରୂପା, ତେଜସ୍ୱିନୀ, ଧର୍ମପ୍ରାଣା, ଆଦର୍ଶ ହିନ୍ଦୁ ରମଣୀ । କାଶୀର ବୀରେଶ୍ୱର ଶିବଙ୍କର ପ୍ରସନ୍ନତାରୁ ଏହି ପୁତ୍ର ଲାଭ ହୋଇଥିଲା, ତେଣୁ ନାମ ରଖାହେଲା ବୀରେଶ୍ୱର-ଡାକନାମ ‘ବିଲେ’ । ଅନ୍ନପ୍ରାଶନ ସମୟରେ ନାମ ଦିଆଗଲା ନରେନ୍ଦ୍ରନାଥ ।

ଶୈଶବରେ ବିଲେ ବଡ଼ ଅଶାନ୍ତ ଥିଲେ । ଭୁବନେଶ୍ୱରୀ ଦେବୀ ଦୁଃଖ କରି କହୁଥିଲେ, ‘ଶିବଙ୍କୁ ଗୋଟିଏ ପୁଅ ମାଗିଥିଲି, ସେ ଗୋଟିଏ ଭୂତ ପଠାଇ ଦେଲେ ।’ ମା’ ଙ୍କଠାରୁ ରାମାୟଣ ମହାଭାରତ ଗଳ୍ପ ଶୁଣିବା ମାଧ୍ୟମରେ ବାଳକର ପ୍ରାଥମିକ ଶିକ୍ଷା ଆରମ୍ଭ ହେଲା । ରାମସୀତାଙ୍କର ମୂର୍ତ୍ତିକୁ ପୁଷ୍ପମାଲ୍ୟରେ ସଜ୍ଜିତ କରିବାକୁ ବିଲେ ଖୁବ୍‌ ଭଲ ପାଉଥିଲେ । ସଙ୍ଗୀମାନଙ୍କୁ ନେଇ ଶିବମୂର୍ତ୍ତି ସମ୍ମୁଖରେ ବସି ଧ୍ୟାନ କରିବା ଥିଲା ବିଲେର ଅନ୍ୟତମ ପ୍ରିୟ ଖେଳ । ଦିନେ ଛାତଘରେ ଏହି ଧ୍ୟାନର ଖେଳ ଚାଲିଛି, ଏପରି ସମୟରେ ଗୋଟିଏ ଗୋଖର ସାପ ସେଠାରେ ଦେଖାଗଲା; ସଙ୍ଗୀମାନେ ସମସ୍ତେ ଦୌଡ଼ି ପଳାଇଲେ; କିନ୍ତୁ ବିଲେ ଗଭୀର ଧ୍ୟାନମଗ୍ନ । ଚାରିଆଡ଼େ ଚହଳ ପଡ଼ିଗଲା । ସାପଟି ଚାଲିଯିବା ପରେ ଧ୍ୟାନସ୍ଥ ବିଲେକୁ କୋଳ କରି ବାହାରକୁ ଅଣାଗଲା । ପରେ ପଚାରିବାରୁ ବିଲେ କହିଲା, ‘ମୁଁ ତ କିଛି ଜାଣିନି ।’ ଶ୍ରୀରାମକୃଷ୍ଣଦେବ କହୁଥିଲେ, ‘ନରେନ୍‌ ଧ୍ୟାନସିଦ୍ଧ ମହାପୁରୁଷ ।’

ଗରିବ ଦୁଃଖୀ ଓ ସାଧୁ ଫକିରଙ୍କ ଉପରେ ବାଳକ ନରେନ୍ଦ୍ରର ଖୁବ୍‌ ଦରଦ ଥିଲା । ଭିକ୍ଷା ପାଇଁ କେହି ଆସିଲେ ସେ ଚାଉଳ ଡାଲି, ପଇସା, କଉଡ଼ି ଯାହା ପାଏ, ତାହା ଆଣିଦିଏ, ଆଉ କିଛି ନ ପାଇଲେ ଖୋଲି ଦିଏ ନିଜର ପିନ୍ଧାଲୁଗା ଖଣ୍ଡିକ । ସର୍ବହରାମାନଙ୍କ ମୁହଁରେ ହସ ଦେଖି ତା’ର ପ୍ରାଣ ଅପରିସୀମ ତୃପ୍ତିରେ ଭରି ଉଠେ । ଜାତିଭେଦ ସମ୍ବନ୍ଧରେ ବାଳକ ନରେନ୍‌ର ବିଶେଷ କୌତୁହଳ । ବାପାଙ୍କ ବୈଠକଖାନାରେ ବିଭିନ୍ନ ଜାତିର ମହକିଲମାନଙ୍କର ଅଲଗା ଅଲଗା ହୁକ୍‌କାରେ ମୁହଁ ଲଗାଇ ଟାଣି ଟାଣି ଦେଖେ-ଜାତି କିପରି ଯାଏ । ଜଣେ ମୁସଲମାନ ମହକିଲ ଥରେ ଆଦର କରି ନରେନ୍‌କୁ ଭଲ ଭଲ ସନ୍ଦେଶ ଖୁଆଇ ଦେଲେ । ମା’ ତାହା ଦେଖି କହିଲେ, ‘ଅନ୍ୟ ଜାତିର ଛୁଆଁ ଖାଇଲେ ଜାତି ଯାଏ ।’ କିନ୍ତୁ ଜାତି କିପରି ଯାଏ, ତାହା ହିଁ ହେଲା ନରେନ୍‌ର ଚିନ୍ତାର ବିଷୟ ।

ଛ’ ବର୍ଷ ବୟସରେ ସ୍କୁଲରେ ନରେନ୍ଦ୍ରଙ୍କର ନାମ ଲେଖା ହେଲା, କିନ୍ତୁ ସେ ଇଂରାଜୀ ପଢ଼ିବାକୁ ରାଜି ହେଲା ନାହିଁ । ‘ସେ ତ ବିଦେଶୀ ଭାଷା, କାହିଁକି ପଢ଼ିବି ? ତା’ଠାରୁ ମାତୃଭାଷା ତ ଶିଖିବା ଭଲ ।’-ଏହା ଥିଲା ତାଙ୍କର କଥା । ଅନେକ ବୁଝାଇବା ପରେ କିଛି ମାସ ପରେ ନରେନ୍ଦ୍ର ଇଂରାଜୀ ପଢ଼ିବାକୁ ଆରମ୍ଭ କଲେ । ପ୍ରଖର ମେଧା, ଅଦ୍ଭୁତ ଧୀଶକ୍ତି ନେଇ ସେ ଜନ୍ମଗ୍ରହଣ କରିଥିଲେ । ଥରେ ଯାହା ପଢ଼ୁଥିଲେ କେବେ ତାହା ଭୁଲୁ ନ ଥିଲେ । ସ୍କୁଲର ପାଠ୍ୟ-ପ୍ରସ୍ତୁତି ପାଇଁ ତାଙ୍କୁ ଅତି ଅଳ୍ପ ସମୟ ଲାଗୁଥିଲା । ବାକି ସମୟତକ ଖେଳାଖେଳି, କୁସ୍ତି, ଆଖଡ଼ା, ପହଁରିବା ବା ଅଭିନୟ କରିବାରେ କିମ୍ବା କଳକବ୍‌ଜା ତିଆରି ଇତ୍ୟାଦିରେ କଟି ଯାଉଥିଲା । ନରେନ୍ଦ୍ର ଖୁବ୍‌ ଏକଜିଦିଆ ଓ ଦୁଷ୍ଟ ଥିଲେ । ଭୂତଭୟ, ବ୍ରହ୍ମଦୈତ୍ୟଭୟ, କୋକବାୟାଭୟ ଏସବୁ ହସି ଉଡ଼େଇ ଦେଉଥିଲେ । ଆମେରିକାରୁ ଫେରିବାପରେ ବିବେକାନନ୍ଦ ଦିନେ ଶିଷ୍ୟମାନଙ୍କୁ ହସି ହସି କହିଥିଲେ, ‘ପିଲାଦିନେ ମୁଁ ଖୁବ୍‌ ଦୁଷ୍ଟ ଥିଲି । ତା ନ ହେଲେ ଏହି ଭାବରେ ଦୁନିଆସାରା ମୁଁ କଅଣ ଘୂରିଆସି ପାରିଥାନ୍ତି କିରେ ?’ ବାଲ୍ୟକାଳରୁ ନରେନ୍ଦ୍ରଙ୍କର ସ୍ୱଭାବ ଥିଲା ଅତିଶୟ ନିର୍ମଳ । ପଢ଼ାପଢ଼ିରେ ତାଙ୍କର ବିଶେଷ ଅନୁରାଗ ଥିଲା । ସ୍କୁଲ ପାଠ୍ୟ ଛଡ଼ା ନାନା ବିଷୟ ପଢ଼ିବାକୁ ସେ ଭଲ ପାଉଥିଲେ । ତାଙ୍କର ଜ୍ଞାନାର୍ଜନ ସ୍ପୃହା ଓ ଧାରଣାଶକ୍ତି ଅତି ଅଦ୍ଭୁତ ଥିଲା । ଏଣ୍ଟ୍ରାନ୍‌ସ ପାଶ୍‌ କରିବା ପୂର୍ବରୁ ସମୁଦାୟ ଭାରତର ଇତିହାସ ସେ ଆୟତ୍ତ କରିଥିଲେ । ସାହିତ୍ୟରେ ମଧ୍ୟ ତାଙ୍କର ବିଶେଷ ପ୍ରୀତି ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking