ବସ୍ତର: ଛତିଶଗଡ଼ ବସ୍ତିର ଅଞ୍ଚଳର ନାରାୟଣପୁର ଜିଲ୍ଲାରେ ଶୁକ୍ରବାର ରାତିରେ ସନ୍ଦିଗ୍ଧ ନକ୍ସଲ୍ମାଜେ ଜଣେ ସ୍ଥାନୀୟ ବିଜେପି ନେତାଙ୍କ ଗୁଳିକରି ହତ୍ୟା କରିଛନ୍ତି । ମୃତ ବିଜେପି ନେତା ସାଗର ସାହୁ ନାରାୟଣପୁର ଜିଲ୍ଲା ଉପସଭାପତି ଥିଲେ । ବସ୍ତର ଅଞ୍ଚଳରେ ସପ୍ତାହକ ମଧ୍ୟରେ ବିଜେପି ନେତାଙ୍କୁ ନକ୍ସଲ୍ ହତ୍ୟା କରିବା ଏହା ଦ୍ୱିତୀୟ ଘଟଣା । ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ଦୁଇଜଣ ଅଜ୍ଞାତ ବ୍ୟକ୍ତି ସାହୁଙ୍କୁ ଛୋଟେଡେନଗର ଗ୍ରାମ ସ୍ଥିତ ଘରେ ତାଙ୍କ ପରିବାର ସମ୍ମୁଖରେ ଗୁଳିକରି ଫେରାର୍ ହୋଇଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲ୍କୁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଦିନିକିଆ ବସ୍ତର ଗସ୍ତରେ ଥିବା ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶନିବାର ସ୍ୱର୍ଗତ ସାହୁଙ୍କୁ ଘରକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହା ସହିତ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇ ପୂରା ପାର୍ଟି ତାଙ୍କ ସହିତ ରହିଛି ବୋଲି କହିଛନ୍ତି ।