ନୂଆଦିଲ୍ଲୀ : ସିବିଏସ୍ଇ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ସେମାନଙ୍କର ସାର୍ଟିଫିକେଟରେ ନାମ ପରିବର୍ତ୍ତନ କରିପାରିବେ ବୋଲି ସୁପ୍ରିମକୋର୍ଟ ଗୁରୁବାର ଅନୁମତି ଦେଇଛନ୍ତି । ଏ ସମ୍ପର୍କିତ ନିୟମ ପରିବର୍ତ୍ତନ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ସିବିଏସ୍ଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଏ.ଏମ.ଖାନ୍ୱିଲକର, ଜଷ୍ଟିସ ବି.ଆର.ଗଭାଇ ଓ ଜଷ୍ଟିସ କୃଷ୍ଣ ମୁରାରିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ପୀଠ ମାମଲାର ଶୁଣାଣି କରି କହିଛନ୍ତି ଯେ ଯଦି ସିବିଏସ୍ଇ ପାଠ୍ୟକ୍ରମର କୌଣସି ଛାତ୍ରଛାତ୍ରୀ ସେମାନଙ୍କର ସାର୍ଟିଫିକେଟରେ ନିଜର, ପିତାମାତାଙ୍କ ନାମ କିମ୍ବା ସଂଜ୍ଞା ପରିବର୍ତ୍ତନ କରିବାକୁ ଚାହୁଁଥାଆନ୍ତି, ତେବେ ସଂପୃକ୍ତ ଛାତ୍ରଙ୍କୁ ଆଧାର କାର୍ଡ କିମ୍ବା ପାସପୋର୍ଟ ନକଲ ଦାଖଲ କରିବାକୁ ପଡିବ ।
ଏଥିରେ ଉଲ୍ଲେଖ ଥିବା ନାମ ସହ ପରିବର୍ତ୍ତିତ ନାମ ମେଳ ଖାଉଥିବା ଜରୁରୀ ବୋଲି ପୀଠ କହିଛନ୍ତି । ଏଥିପାଇଁ ଆବଶ୍ୟକ ବାଇ-ଲ’ ପରିବର୍ତ୍ତନ କରିବାକୁ ସିବିଏସ୍ଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତବର୍ଷ ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ସିବିଏସ୍ଇ କର୍ତ୍ତୃପକ୍ଷଙ୍କୁ ଅନୁରୂପ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ପ୍ରଶାସନିକ ଆଳ ଦେଖାଇ ଏହାକୁ ସେମାନେ ଟାଳି ଦେଇଥିଲେ ।