ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ସୁପ୍ରିମ୍କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ଏହା ଅନୁସାରେ ସାରା ଦେଶରେ ବାଣ ବ୍ୟାନ୍ ମାମଲାରେ କୋର୍ଟଙ୍କ ୨୦୧୮ର ନିଷ୍ପତ୍ତି ବଳବତ୍ତର ରହିବ । ଏହି ଦୀପାବଳିରେ ମଧ୍ୟ ଏହି ବ୍ୟାନ୍ ଜାରୀ ରହିବ । ଦିଲ୍ଲୀ-ଏନ୍ସିଆର୍କୁ ଛାଡ଼ି ଦେଶର ଅନ୍ୟ ସ୍ଥାନରେ ଗ୍ରୀନ୍ ବାଣକୁ ଅନୁମତି ମିଳିବ । ସେହିପରେ ବାଣରେ ବୋରିୟମ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଜାରୀ ରହିବ ।
କୋର୍ଟ ପୁଣିଥରେ ଦୋହରାଇଛନ୍ତି ଯେ ବୋରିୟମ୍ ବାଣରେ କେମିକାଲ୍ ବ୍ୟବହାରକୁ ଅନୁମତି ମିଳିବ ନାହିଁ । ବାଣ ନିର୍ମାତା କମ୍ପାନୀ କୋର୍ଟରେ ଏହି ଦାବି କରିଥିଲେ । କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଜଏଣ୍ଟ କ୍ରାକର୍ ନିର୍ମାଣ ଓ ବ୍ୟବହାରକୁ ଅନୁମତି ମିଳିବ ନାହିଁ । କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଦିଲ୍ଲୀ ସରକାର ବାଣ ଉପରେ ଲାଗୁ କରିଥିବା ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଜାରୀ ରହିବ । ସାରା ଦେଶର ଏଜେନ୍ସିଗୁଡ଼ିକ କୋର୍ଟଙ୍କ ଆଦେଶ ପାଳନ କରିବା ନିମନ୍ତେ ଜଷ୍ଟିସ୍ ଏଏସ୍ ବୋପନ୍ନା ଏବଂ ଜଷ୍ଟିସ୍ ଏମ୍ଏମ୍ ସୁନ୍ଦରେଶଙ୍କ ଖଣ୍ଡପୀଠ କହିଛନ୍ତି ।