29.1 C
Bhubaneswar
Wednesday, August 20, 2025
Homeଓଡିଶାସ୍ଵର୍ଣ୍ଣ ଆଭୂଷଣରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରଥାରୁଢ଼ ତିନି ଠାକୁର

ସ୍ଵର୍ଣ୍ଣ ଆଭୂଷଣରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରଥାରୁଢ଼ ତିନି ଠାକୁର

ପୁରୀ : ସକଳ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟର ମିଳିତ ବିଗ୍ରହ ହେଉଛନ୍ତି ମହାବାହୁ ଶ୍ରୀଜଗନ୍ନାଥ । ଶ୍ରୀଜଗନ୍ନାଥ ହେଉଛନ୍ତି ରାଜାଧିରାଜ । ଏଣୁ ଶ୍ରୀବିଗ୍ରହଙ୍କ ରୀତିନୀତି ଓ ବେଶରେ ପରିଲକ୍ଷିତ ହୁଏ ରାଜକୀୟ ଠାଣି । ମହାପ୍ରଭୁଙ୍କ ସୁନାବେଶ ଏହାର ଏକ ନିଦର୍ଶନ । ଆଜି ପବିତ୍ର ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସୁନାବେଶ ନୀତି ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ ନିମନ୍ତେ ଆଜି ବଡ଼ଦାଣ୍ଡ ଜନ ସମୁଦ୍ରରେ ପରିଣତ ହୋଇଥିଲା । ରାତି ୧୨ଟା ପର୍ଯ୍ୟନ୍ତ ଭକ୍ତମାନେ ଏହି ବେଶ ଦର୍ଶନର ସୁଯୋଗ ପାଇଥିଲେ । ରାତି ୧୨ଟା ପରେ ସୁନାବେଶ ଓଲାଗି କରାଯାଇଥିଲା ।

ସୁନାବେଶ ନିମନ୍ତେ ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହୋଇଥିଲା ନୀତିକାନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁନାବେଶ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଥିଲା । ଅପରାହ୍ନ ୫ଟା ୫ରୁ ସୁନାବେଶ ଆରମ୍ଭ ହୋଇ ୬ଟାରେ ବେଶ ଶେଷ ହୋଇଥିଲା । ମହାପ୍ରଭୁଙ୍କର ମଧ୍ୟାହ୍ନ ଧୂପ ନୀତି ସରିବା ପରେ ଚିତ୍ତାକର୍ଷକ ସୁନାବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ମେକାପ ନିଯୋଗ, ପୁଷ୍ପାଳକ, ଖୁଣ୍ଟିଆ ସେବକଙ୍କ ସହଯୋଗରେ ଏହି ବେଶ ଅନୁଷ୍ଠିତ ହୋଇଥିଲା । ରଥ ଉପରେ ଏମାନଙ୍କ ସହିତ ଦଇତାପତି ସେବକମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଆଜି ଦ୍ୱିପ୍ରହର ଧୂପ (ଖଇ, କୋରା, ଧୁଆମୁଗ, ଆମ୍ବ, ପଣସ, ନଡ଼ିଆ, ଇତ୍ୟାଦି ଶୁଖିଲି ଭୋଗ) ପରେ ଠାକୁର ମାନଙ୍କୁ ମଇଲମ କରାଯାଇଥିଲା । ମଇଲମ ପରେ ଶାଢ଼ି ଓ ଖଣ୍ଡୁଆ ଲାଗି ହୋଇଥିଲେ ଚତୁର୍ଦ୍ଧାମୂରତି । ପରେ ଫୁଟାଲାଗି (ଟାଇଟ୍ ବସ୍ତ୍ର ପରିଧାନ କରନ୍ତି) ହୋଇଥିଲେ । ଅଧର ବଳା ଓ ଦୁଇ ଭୁଜରେ ବଳା ଲାଗି ହେବା ପରେ ଅଳଙ୍କାରମାନ ଲାଗି ହୋଇଥିଲା । ବେଶରେ ଥାଇ ଶ୍ରୀବିଗ୍ରହଙ୍କ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ନୀତି ସମ୍ପାଦନ ହୋଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ବଡ଼ଠାକୁର ଶ୍ରୀବଳଭଦ୍ର ଓ କାମ୍ପିଲ୍ୟବାସିନୀ ମା’ ସୁଭଦ୍ରା ସୁବର୍ଣ୍ଣ ଅଳଙ୍କାର ଭୂଷିତ ହୋଇଥିଲେ ।

ଶ୍ରୀଜଗନ୍ନଥାଙ୍କ ବାଡ଼ରେ ଭିତିରଚ୍ଛ ମହାପାତ୍ର, ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ତଳିଚ୍ଛ ମହାପାତ୍ର ଓ ଦେବୀ ସୁଭଦ୍ରାଙ୍କ ବାଡ଼ରେ ପୁଷ୍ପାଳକ ସେବାୟତ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ ଉପରେ ଶ୍ରୀବିଗ୍ରହଙ୍କୁ ସୁନାବେଶ ଧାରଣ କରାଇଥିଲେ । ତିନି ଠାକୁର ଧାରଣ କରିଥିଲେ ଭିନ୍ନ ଭିନ୍ନ ଅଳଙ୍କାର । କୁହାଯାଏ ଯେ ଅନେକ ବର୍ଷ ଧରି ପ୍ରାୟ ୧୩୮ ପ୍ରକାର ସ୍ୱର୍ଣ୍ଣଅଳଙ୍କାର ମହାପ୍ରଭୁଙ୍କୁ ଲାଗି କରାଯାଉଥିଲା । କିନ୍ତୁ ସମୟକ୍ରମେ ସେଥିରେ କିଛି ପରିବର୍ତ୍ତନ ଆସିଛି । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ରଥ ଉପରେ ସୁନାବେଶ ପାଇଁ ଭଣ୍ଡାର ଗୃହରୁ ପାଳିଆ ଭଣ୍ଡାରି ମେକାପ, ପାଳିଆ ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ, ପୁଲିସ ଓ ଶ୍ରୀମନ୍ଦିର ଅଧିକାରୀଙ୍କ ଉପସ୍ଥିତିରେ ବେଶ ଅଳଙ୍କାର ଗଣତି କରି ଆଣିଥିଲେ । ଶ୍ରୀଜଗନ୍ନାଥଙ୍କୁ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ର, ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ(ଆୟୁଧ), ହରିଡ଼ା କଦମ୍ବମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା ଓ କମରପଟି ଆଦି ରତ୍ନଅଳଙ୍କାରରେ ଆଭୂଷିତ କରାଯାଇଥିଲା । ଶ୍ରୀବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ର, ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ହଳ ଓ ମୂଷଳ(ଆୟୁଧ), ବାହାଡ଼ା ମାଳି, ବାଘନଖି ମାଳି, ସେବତୀ ମାଳି, ତ୍ରିଖଣ୍ଟିକା କମରପଟି ଲାଗି କରାଯାଇଥିଲା । ଦେବୀ ସୁଭଦ୍ରାଙ୍କୁ କିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ର, ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ତଗଡ଼ି ୨ଟି(ଆୟୁଧ), ସେବତୀ ମାଳି ଆଦି ଅଳଙ୍କାର ପିନ୍ଧା ଯାଇଥିଲା ।

ବର୍ଷରେ ପାଞ୍ଚଥର ସୁନାବେଶ ଅନୁଷ୍ଠିତ ହୋଇଥାଏ । ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା) ଦିନ ଶ୍ରୀଜିଉଙ୍କୁ ସୁନାବେଶ କରାଯାଏ । ଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥିରେ ସୁନାବେଶରେ ସଜ୍ଜିତ ହେଉଥିବା ବେଳେ ଥରେ ମାତ୍ର ଆଷାଢ଼ ଶୁକ୍ଲ ଏକାଦଶୀ ଦିନ ସିଂହଦ୍ୱାର ଠାରେ ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । ଅଣହିନ୍ଦୁଙ୍କୁ ବଡ଼ଦେଉଳ ପ୍ରବେଶ ମନା । ଏଣୁ ରଥ ଉପରେ ସବୁ ବର୍ଗର ଓ ଧର୍ମର ଭକ୍ତ ଠାକୁରଙ୍କୁ ସୁନାବେଶରେ ଦର୍ଶନ କରି ଆତ୍ମବିଭୋର ହୋଇପଡୁଥିଲେ ।

ଚଳିତ ବର୍ଷ ମହାପ୍ରଭୁଙ୍କର ଏହି ମନଲୋଭା ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଥିଲା । ସୁନାବେଶ ଦର୍ଶନ ପାଇଁ ଭକ୍ତମାନେ ଯେପରିକି କୌଣସି ଅସୁବିଧାର ସାମ୍ନା ନକରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଥିଲା । ଏଥିସହ ଭକ୍ତମାନଙ୍କୁ ସୁବିଧାରେ ସୁନାବେଶ ଦର୍ଶନ କରାଇବା ପାଇଁ ୩ ରଥର ୧୪ ନାହାକାରେ ଲୁହା ବ୍ୟାରିକେଡ ଲଗାଯାଇଥିଲା । ସୁନାବେଶ ଦର୍ଶନକୁ ଶୃଙ୍ଖଳିତ କରିବାକୁ ଏହି ବ୍ୟବସ୍ଥା କରାଯାଇଥିଲା । ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଭଳି ମାର୍କେଟ୍ ଛକରୁ ବଡ଼ଦାଣ୍ଡରେ ବାରିକେଡ୍ ବ୍ୟବସ୍ଥା କରାଯାଇଥିଲା । ନନ୍ଦିଘୋଷ ରଥ ବାମପାର୍ଶ୍ୱରୁ ରଥ ଆଗ ଦେଇ ଦର୍ଶନ ପାଇଁ ଭକ୍ତ ମାନଙ୍କୁ ଛାଡ଼ି ତାଳଧ୍ୱଜ ରଥ ଡାହାଣ ପାର୍ଶ୍ୱରେ ଭକ୍ତଙ୍କ ପ୍ରସ୍ଥାନ ବ୍ୟବସ୍ଥା ହୋଇଥିଲା । ଭିଡ଼ ଓ ଅନୁପ୍ରବେଶ ରୋକିବାକୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସଂଯୋଗ ରାସ୍ତାକୁ ମଧ୍ୟ ପୁଲିସ ପ୍ରଶାସନ ଦ୍ୱାରା ସିଲ୍ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking