ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଜହ୍ନିପଦା ଗ୍ରାମର ଯୁବକ ଓ ପଡୋଶୀ ଗ୍ରାମର ନାବାଳିକାଙ୍କ ଆଜି ମୃତ୍ୟୁ ଘଟିଥିବା ଜଣାପଡିଛି । ବିଷପାନ କରି ଉଭୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁବରଣ କରିଛନ୍ତି । ପ୍ରେମ ପାଇଁ ଏଭଳି କାଣ୍ଡ ଘଟିଥିବା ଆଲୋଚନା ହେଉଛି । ସୂଚନାନୁସାରେ, ଆଜି ସକାଳୁ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଜହ୍ନିପଦା ଗ୍ରାମର ଅନିରୁଦ୍ଧ ବେହେରାଙ୍କ ପୁଅ ଚିନ୍ମୟ ବେହେରାଙ୍କୁ ଡାକ୍ତରଖାନା ଅଣାଯାଇଥିଲା । ନାବାଳିକାଙ୍କ ଅବସ୍ଥା ଗୁରୁତର ହୋଇ ପ୍ରଥମେ ମୃତ୍ୟୁ ଘଟିଥିବା ବେଳେ ଇଟାମାଟି ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ମଧ୍ୟାହ୍ନରେ ଯୁବକ ଚିନ୍ମୟଙ୍କ ମୃତ୍ୟୁ ଘଟିବା ପରେ ଡାକ୍ତରଖାନାରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ ଅନ୍ୟ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ କରାଇଥିବା ବେଳେ ଏହା ପ୍ରେମଜନିତ କାଣ୍ଡ ବୋଲି ଚର୍ଚ୍ଚା ହୋଇଥିଲା ।