ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ମୁଜଫରନଗରରେ ଘଟିଛି ଅଭବନୀୟ ଘଟଣା। ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ମହିଳା ତାଙ୍କ ୨ ପୁତୁରାକୁ ବଳି ଦେଇଛନ୍ତି । ପୁଲିସ୍ ଏହି ଘଟଣାର ଯାଞ୍ଚ କରି ଅଭିଯୁକ୍ତା ମହିଳା ଓ ତାଙ୍କ ମା’ଙ୍କୁ ଗିରଫ କରିଛି। ଗତ ୧୭ ତାରିଖରେ କୈଲାବଡ଼ା ଗାଁରେ ଏକ ଘରୁ ଏକ ସାତ ବର୍ଷର ଛୁଆର ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା । ଏବଂ ମୃତ ଦେହ ସମୁଖରୁ ତାନ୍ତ୍ରୀକ ସାମଗ୍ରୀ ଏବଂ ଗୋଟିଏ ଚିଠି ଜବତ କରିଛି ପୋଲିସ । ସେହି ଚିଠିରେ ଲେଖା ହୋଇଥିଲା ଏବେ ଆତ୍ମାକୁ ଶାନ୍ତି ମିଳିଲା । ଏହା ପୂର୍ବରୁ ଗତ ଏପ୍ରିଲ ୨୪ ତାରିଖରେ ଉକ୍ତ ଘରୁ ମୃତକଙ୍କ ୫ ବର୍ଷୀୟ ସାନ ଭାଇର ମୃତଦେହ ମିଳିଥିଲା। ବେମାର ହେତୁ ପିଲାଟିର ମୃତ୍ୟୁ ହୋଇଥିବା ଭାବି ପରିବାର ଲୋକେ ପୁଅର ଶବ ସତ୍କାର କରି ଦେଇଥିଲେ।ପୁଲିସ୍ ଏହି ଘଟଣାର ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲା ଯେ ପିଲାଟିର ଖୁଡୀ ଅଙ୍କିତା ଓ ତାଙ୍କ ମା’ ରୀନା ଏହି କାଣ୍ଡ ଘଟାଇଛନ୍ତି। ଅଭିଯୁକ୍ତା ଅଙ୍କିତା ପୁଲିସ୍କୁ ଦେଇଥିବା ବୟାନ ଅନୁଯାୟୀ, ମୋ’ ଉପରେ ପ୍ରେତାତ୍ମା ଥିବାରୁ ସବୁବେଳେ ମୋ’ ଦେହ ଖରାପ ରହୁଥିଲା। ଏଥିପାଇଁ ମା’ ସହ ମିଶି ତାନ୍ତ୍ରୀକ ରାମଗୋପାଳଙ୍କ ପାଖକୁ ଯାଇଥିଲି। ଏହାପରେ ତାନ୍ତ୍ରୀକଙ୍କ କହିବାନୁଯାୟୀ, ଗତ ୨୪ ଏପ୍ରିଲରେ ପ୍ରଥମେ ୫ ବର୍ଷୀୟ ପୁତୁରାର ଗଳା ଚିପି ହତ୍ୟା କରିଥିଲେ। ଏହାପରେ ଗତ ୧୭ ତାରିଖରେ ଆଉ ଜଣେ ପୁତୁରା କେଶବକୁ ବଳୀ ଦେଇ ହତ୍ୟା କରିଛି । ପୁଲିସ୍ ଉଭୟ ମା’, ଝିଅଙ୍କୁ ଗିରଫ କରିଥିବା ବେଳେ ଏବେ ତାନ୍ତ୍ରୀକର ସନ୍ଧାନ କରୁଛି।