ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇଏଏସ୍ ସ୍ତରରେ ବଦଳୀ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ଶ୍ରମ କମିଶନର ତଥା ଓଡ଼ିଶା ଜୀବିକା ମିଶନ ନିର୍ଦ୍ଦେଶକ ୨୦୦୯ ବ୍ୟାଚ୍ ଆଇଏଏସ୍ ଡଃ ଥିରୁମାଳା ନାଏକଙ୍କୁ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ବଦଳି କରାଯାଇଛି । ଥିରୁମାଳାଙ୍କ ବଦଳି ପରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ପଦବୀକୁ ରାଜ୍ୟ ସରକାର ଆଇଏଏସ୍ କ୍ୟାଡ଼ରରେ ଅତିରିକ୍ତ ସଚିବଙ୍କୁ ମିଳୁଥିବା ସୁବିଧା ଓ ଦାୟିତ୍ୱ ସମକକ୍ଷ ଘୋଷଣା କରିଛନ୍ତି । ସେହିପରି ଓପେସା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ତଥା ୨୦୧୨ ବ୍ୟାଚ୍ ଆଇଏଏସ୍ ଅନୁପମ ଶାହଙ୍କୁ ଅତିରିକ୍ତ ଭାବେ ଶ୍ରମ କମିଶନର ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀ ଶାହ ପୂର୍ବଭଳି ‘ମୋ ସ୍କୁଲ’ କାର୍ଯ୍ୟକ୍ରମର ସଦସ୍ୟ ସଚିବ ଦାୟିତ୍ୱ ତୁଲାଇବେ । ଏହି ବିଜ୍ଞପ୍ତି ସମ୍ପର୍କରେ ରାଜ୍ୟ ସରକାର ଜାତୀୟ ନିର୍ବାଚନ କମିଶନଙ୍କ ପ୍ରମୁଖ ସଚିବ ରାହୁଲ ଶର୍ମାଙ୍କୁ ଅବଗତ କରାଇଛନ୍ତି ।