19.1 C
Bhubaneswar
Thursday, December 26, 2024
Homeଓଡିଶାଛାତ୍ର ହତ୍ୟାକାରୀକୁ ଗିରଫ ଦାବି: ଶବ ରଖି ରାସ୍ତାରୋକ, ଉତ୍ତେଜନା

ଛାତ୍ର ହତ୍ୟାକାରୀକୁ ଗିରଫ ଦାବି: ଶବ ରଖି ରାସ୍ତାରୋକ, ଉତ୍ତେଜନା

ପିପିଲି : ଛାତ୍ର ହତ୍ୟାକାରୀକୁ ଗିରଫ ଦାବିରେ ଗୁରୁବାର ପିପିଲି ଟୋଲ୍ ଗେଟ୍ ପାଖରେ ରାସ୍ତାରୋକ ହୋଇଥିଲା । ପ୍ରାୟ ୩ଘଣ୍ଟା ଧରି ଲୋକେ ଶବ ରଖି ରାସ୍ତାରୋକ କରିଥିଲେ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଗାଡ଼ିମୋଟର ଅଟକି ରହିବାରୁ ଟ୍ରାଫିକ୍ ସସମ୍ୟା ସୃଷ୍ଟି ହୋଇଥିଲା । ପିପିଲି ପୁଲିସ ୧ଘଣ୍ଟା ଧରି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ସୂଚନା ଅନୁଯାୟୀ ପିପିଲି ନିକଟସ୍ଥ ଗୋବିନ୍ଦପୁର ମାଟିଆପଡ଼ା ଗ୍ରାମର ସୁମିତ୍ରା ଜେନାଙ୍କ ପୁଅ ସୌମ୍ୟରଞ୍ଜନ ଜେନା ଓରଫ ସୋମୁ ଗୋବିନ୍ଦପୁର ହାଇସ୍କୁଲର ୧୦ମ ଶ୍ରେଣୀର ଛାତ୍ର । ସେ ଗତ ୭ତାରିଖ ସୋମବାର ଦିନ ସନ୍ଧ୍ୟାରେ ଟ୍ୟୁସନକୁ ଆସି ଆଉ ଘରକୁ ଫେରିନଥିଲେ । ଟ୍ୟୁସନ୍ ଛୁଟି ପରେ ସୋମୁ ଘରକୁ ନଯିବାରୁ ତାଙ୍କ ଘର ଲୋକମାନେ ଖୋଜାଖୋଜି କରିଥିଲେ ।

ମାତ୍ର ନପାଇବାରୁ ସୋନୁର ଅଜା କୌଶଲ୍ୟାଗଙ୍ଗ ଫାଣ୍ଡିରେ ଅଭିଯୋଗ କରିଥିଲେ । ମଙ୍ଗଳବାର ଗୋବିନ୍ଦପୁର ସ୍କୁଲକୁ ଖବର ଆସିଥିଲା ଯେ ବଲାଙ୍ଗିରସ୍ଥିତ କଣ୍ଟିଆକଣ୍ଟା ଅଞ୍ଚଳ ରେଳ ଲାଇନ୍‌ରେ ସୋମୁର ମୃତଦେହ ପଡ଼ିଛି । ଖବର ପାଇବାପରେ ସୋମୁର ମାଆ ସୁମିତ୍ରା ଜେନା ପିପିଲି ଥାନାରେ ଜଣାଇଥିଲେ । ସେଥିରେ ଦର୍ଶାଇଥିଲେ ଯେ ତାଙ୍କ ପୁଅକୁ ହତ୍ୟା କରାଯାଇଛି । ସୁମିତ୍ରା ସୋମୁର ସାଙ୍ଗମାନଙ୍କ ଠାରୁ ଜାଣିବାକୁ ପାଇଲେ ଯେ ହରିଅନ୍ତା ପାଟଣାର ଜଣେ ଝିଅ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା । ସେ ଝିଅ ଅଧିକାଂଶ ସମୟ ଫୋନ୍ କରି ସୋମୁକୁ ଡାକେ । ସୋମୁ ମଧ୍ୟ ତାଙ୍କ ଗ୍ରାମକୁ ଯାଏ । ଉଭୟଙ୍କ ମଧ୍ୟରେ ଦେଖା ସାକ୍ଷାତ ହୁଏ । ମାତ୍ର ଝିଅଘର ଲୋକମାନଙ୍କର ବିରୋଧ ସତ୍ତ୍ୱେ ଦୁହେଁ ପରସ୍ପର ସହିତ ଦେଖାସାକ୍ଷାତ କରୁଥିଲେ ।

ଏମିତି କି ପୁଅ ଏବଂ ଝିଅର ବ୍ୟକ୍ତିଗତ ମେସଜ୍ ମଧ୍ୟ ସୁମିତ୍ରାଙ୍କର ହସ୍ତଗତ ହୋଇଛି । ଗତ ୭ ତାରିଖ ଦିନ ମଧ୍ୟ ସୋମୁ ସେହି ଝିଅକୁ ଦେଖାକରିବାକୁ ଯାଉଥିବା ସାଙ୍ଗମାନଙ୍କୁ କହିଥିବା ଅଭିଯୋଗରେ ଦର୍ଶାଯାଇଛି । ତେବେ ସୁମିତ୍ରା ବଡପ୍ରଶ୍ନ ଉଠାଇଛନ୍ତି ରାତିକ ଭିତରେ ସେ ଏତେ ବାଟ ଗଲା କିପରି । ସୋମୁକୁ ହତ୍ୟା କରାଯାଇଛି ଏବଂ ଏହି ହତ୍ୟାକାଣ୍ଡ ଝିଅଘର ପରିବାର ପକ୍ଷରୁ କରାଯାଇଛି । ବଲାଙ୍ଗିରରୁ ସୋମୁର ଶବ ଆସିବା ପରେ ପରିବାର ଲୋକେ ଏବଂ ଗ୍ରାମବାସୀ ଭୂବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥର ପିପିଲି ଟୋଲଗେଟ ପାଖରେ ରଖି ରାସ୍ତା ଅବରୋଧ କରିଥିଲେ ।

ହତ୍ୟାକାରଚୁ ଗିରଫ କରିବାକୁ ସେମାନେ ଅଡ଼ିବସିଥିଲେ । ଖବର ପାଇ ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳ, ପିପିଲି ଥାନା ଅଧିକାରୀ ଅଭିମନ୍ୟୁ ନାୟକ, ଏଏସ୍‌ଆଇ୍ ପ୍ରକାଶ ମଲିକ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ । ପ୍ରାୟ ଏକ ଘଣ୍ଟାଧରି ବୁଝାସୁଝା କରିବା ପରେ ଆନ୍ଦୋଳନକାରୀ ରାସ୍ତା ଅବରୋଧରୁ ହଟିଥିଲେ । ଏସ୍‌ଡିପିଓ ଶ୍ରୀ ବରାଳ କହିଛନ୍ତି ଯେ ଜିଆର୍‌ପି ସୋମୁର ଶବକୁ ଜବତ କରି ଏକ ଅପମୁତ୍ୟୁ ମାମଲା ରୁଜୁ କରିଛି । ପିପିଲି ଥାନାରେ ମଧ୍ୟ ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇଛି। ସୁମିତ୍ରାଙ୍କ ଅଭିଯୋଗର ପ୍ରତିଟି ଦିଗପ୍ରତି ତଦନ୍ତ କରାଯାଇ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking