28.1 C
Bhubaneswar
Wednesday, January 22, 2025
Homeଓଡିଶାରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତି ବିଜ୍ଞପ୍ତି ମାମଲା; ପ୍ରକ୍ରିୟାକୁ ବେଆଇନ ଘୋଷଣା କଲେ...

ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତି ବିଜ୍ଞପ୍ତି ମାମଲା; ପ୍ରକ୍ରିୟାକୁ ବେଆଇନ ଘୋଷଣା କଲେ ହାଇକୋର୍ଟ

କଟକ: ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତି ନିମନ୍ତେ ପ୍ରକାଶିତ ବିଜ୍ଞପ୍ତିକୁ ହାଇକୋର୍ଟ ବେଆଇନ ଘୋଷଣା କରିଛନ୍ତି । ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ପରିଷଦ ଏ ବାବଦରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ବିବରଣୀ ଅନୁଯାୟୀ, ରାଜ୍ୟ ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବା ପରିଚାଳନା ନିର୍ଦ୍ଦେଶକଙ୍କ ନିଯୁକ୍ତି ଓଡ଼ିଶା ସମବାୟ ଆଇନ ଦ୍ୱାରା ସ୍ଥିରୀକୃତ ହୋଇଛି । ମାତ୍ର ରାଜ୍ୟ ସରକାର ଏଭଳି ବ୍ୟବସ୍ଥାକୁ ଅଣଦେଖା କରି ସମବାୟ ପରିଚାଳନା ନିର୍ଦ୍ଦେଶକ ପଦ ପାଇଁ ବିଜ୍ଞାପନ ପ୍ରକାଶ କରିଥିଲେ । ଏହି ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି କେନ୍ଦ୍ରାପଡା ପ୍ରିଣ୍ଟିଂ ଏବଂ ପବ୍ଲିସିଂ କୋ-ଅପରେଟିଭ ସୋସାଇଟିର ସଭ୍ୟ ଅନାମ ଚରଣ ମହଲା ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ।

ଏହି ବିଜ୍ଞପ୍ତିକୁ ରଦ୍ଦ କରିବା ଲାଗି ଆବେଦନକାରୀ ପ୍ରାର୍ଥନା କରିଥିଲେ । ବିଚାରପତି ଆଦିତ୍ୟ କୁମାର ମହାପାତ୍ର ମାମଲାର ପ୍ରାରମ୍ଭିକ ଶୁଣାଣି କରି ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଦେଇଥିଲେ । ଏଥିସହ ଏ ବାବଦରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସରକାର ଜବାବ ଦାଖଲ କରି ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ଯେ, ବ୍ୟାପକ ବିଜ୍ଞାପନ ମାଧ୍ୟମରେ ଦରଖାସ୍ତ ଆହ୍ୱାନ କରାଯାଇ ପ୍ରାର୍ଥୀ ଚୟନ କରାଯିବାକୁ ବ୍ୟବସ୍ଥା ହୋଇଛି । ଏଥିରେ କୌଣସି ପ୍ରକାର ବେଆଇନ କରାଯାଇ ନାହିଁ ବୋଲି ସରକାର ସତ୍ୟପାଠରେ ଦର୍ଶାଇଥିଲେ । ହାଇକୋର୍ଟ ମାମଲାର ବିଚାରକରି ସରକାରଙ୍କ ସମବାୟ ବିଭାଗ ଦ୍ୱାରା ଚାଲି ଆସୁଥିବା ନିଯୁକ୍ତି ପ୍ରକ୍ରିୟା ଓ ଏବେକାର ବିଜ୍ଞାପନକୁ ବେଆଇନ ଘୋଷଣା କରିବା ସହ ଏ ବିବାଦ କେବଳ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଷଦର ପରିସୀମାଭୁକ୍ତ ବୋଲି କହିଛନ୍ତି । ତେଣୁ ଆଗାମୀ ଦୁଇମାସ ମଧ୍ୟରେ ଏହି ସମ୍ପୂର୍ଣ୍ଣ କାର୍ଯ୍ୟ ସାରିବା ପାଇଁ ହାଇକୋର୍ଟ ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ତରଫରୁ ଆଇନଜୀବୀ କ୍ଷୀରୋଦ ରାଉତ ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking