29.1 C
Bhubaneswar
Saturday, September 21, 2024
Homeଓଡିଶା୧୭ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ ମୋହର

୧୭ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ ମୋହର

-ସମସ୍ତ ୟୁଜି ଓ ପିଜି ପିଲାଙ୍କୁ ନୂଆ-ଓ ଛାତ୍ରବୃତ୍ତି
– କୃଷି, ସଂସ୍କୃତି ବିଭାଗ ଅଧୀନସ୍ଥ ପିଲା ଉପକୃତ
– ନୂଆ-ଓ ଛାତ୍ରବୃତ୍ତି ଗାଇଡ୍‌ଲାଇନ୍ସ ସଂଶୋଧିତ
– ସବୁ ସରକାରୀ ୟୁପି, ଏମଇ ଶିକ୍ଷକଙ୍କ ଦରମାରେ ପରିବର୍ତ୍ତନ
– ଉପକୃତ ହେବେ ୧, ୦୪,୩୫୦ ଶିକ୍ଷକ
– ବାର୍ଷିକ ବ୍ୟୟ ହେବ ୫୮୭ କୋଟି ଟଙ୍କା

ଭୁବନେଶ୍ୱର: ରାଜ୍ୟର ସମସ୍ତ ୟୁଜି ଓ ପିଜି ପିଲାଙ୍କୁ ନୂଆ-ଓ ଛାତ୍ରବୃତ୍ତି ମିଳିବ । ପୂର୍ବରୁ କେବଳ ଉଚ୍ଚଶିକ୍ଷା ବିଭାଗ ଅଧୀନ ୟୁଜି, ପିଜି ପିଲା ଏହି ବୃତ୍ତି ପାଉଥିଲେ । ଏବେ କୃଷି, ସଂସ୍କୃତି ବିଭାଗ ଅଧୀନରେ ଥିବା ପିଲା ମଧ୍ୟ ତାହା ପାଇବେ । କେହି ଯୋଗ୍ୟ ଛାତ୍ରଛାତ୍ରୀ ଯେପରି ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଗୁରୁତ୍ୱ ଦିଆଯିବ । ଏଥିପାଇଁ ନୂଆ-ଓ ଛାତ୍ରବୃତ୍ତି ଗାଇଡ୍‌ଲାଇନ୍ସକୁ ସଂଶୋଧନ କରାଯାଇଛି । ସେହିପରି ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକଙ୍କ ଦରମାରେ ପରିବର୍ତ୍ତନ କରାଯାଇଛି । ଏଥିଯୋଗୁଁ ୧, ୦୪,୩୫୦ ଶିକ୍ଷକ ଉପକୃତ ହେବେ ଏବଂ ରାଜ୍ୟ ସରକାର ବାର୍ଷିକ ୫୮୭ କୋଟି ଟଙ୍କା ବ୍ୟୟ କରିବେ ।

ଶନିବାର ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ ବୈଠକ । ବୈଠକ ଶେଷରେ ରାଜ୍ୟ ରାଜସ୍ୱ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ଅନୁ ଗର୍ଗ ୧୭ଟି ପ୍ରସ୍ତାବରେ ଉପରେ କ୍ୟାବିନେଟ୍ ମୋହର ବାଜିଥିବା ସ୍ପଷ୍ଟ କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଥିଲେ, ରାଜ୍ୟ ସରକାର ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ତିନୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ନୂଆ-ଓ ଛାତ୍ରବୃତ୍ତି ଗାଇଡ୍‌ଲାଇନ୍ସକୁ ସଂଶୋଧନ କରାଯାଇଛି । ଏଲିମେଣ୍ଟାରୀ ଶିକ୍ଷକ କ୍ୟାଡ୍‌ର ପୁନର୍ଗଠିତ ହେବା ଯୋଗୁଁ ପଦବୀର ସ୍ତର ୧ରୁ ୫(କ) ମଧ୍ୟରେ ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକଙ୍କ ଦରମାରେ ପରିବର୍ତ୍ତନ ହେଉଛି । ଲେଭଲ-୬ ଅପରିବର୍ତ୍ତିତ ଥିବାବେଳେ ଲେଭଲ ୮ରୁ ୧୧ ଯାଏ ଦରମା ହାର ପରିବର୍ତ୍ତିତ ହୋଇଛି । ଏହି କାରଣରୁ ରାଜ୍ୟରେ ୧,୦୪,୩୫୦ ଶିକ୍ଷକ ଉପକୃତ ହେବେ ।

ମନ୍ତ୍ରୀ କହିଛନ୍ତି ଯେ, ନୂତନ ଅନୂଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ, ସଂସ୍କୃତି ଟୋଲର ଅବସରପ୍ରାପ୍ତ ଶିକ୍ଷକଙ୍କୁ ୬ ଲକ୍ଷ ଟଙ୍କା, ଅଣଶିକ୍ଷକ କର୍ମଚାରୀଙ୍କୁ ୪ ଲକ୍ଷ ଟଙ୍କା ଓ ନୂତନ ଅନୁଦାନ ପ୍ରପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମାଦ୍ରାସାର ଅବସରପ୍ରାପ୍ତ ଶିକ୍ଷକଙ୍କୁ ୫ ଲକ୍ଷ ଲେଖାଏଁ ଏକକାଳୀନ ଧନରାଶି ପ୍ରଦାନ କରାଯିବ । ଏନେଇ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ଏହାଦ୍ୱାରା ଶିକ୍ଷକମାନଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି । କ୍ୟାବିନେଟ୍ ବୈଠକ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ଓ ପରିବହନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଊଷା ପାଢ଼ୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଆଶ୍ୱତୀ ଏସ, ଉଚ୍ଚ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking