27.1 C
Bhubaneswar
Saturday, October 19, 2024
Homeଓଡିଶାନୀତୀଶଙ୍କ ପରେ ଷ୍ଟାଲିନ୍ ଆସିବେ ଓଡ଼ିଶା !

ନୀତୀଶଙ୍କ ପରେ ଷ୍ଟାଲିନ୍ ଆସିବେ ଓଡ଼ିଶା !

ଭୁବନେଶ୍ୱର: ମମତା ବାନାର୍ଜୀ, ନୀତିଶ କୁମାର ଓ ଷ୍ଟାଲିନ, ବିରୋଧୀ ମଞ୍ଚର ୩ ବରିଷ୍ଠ ନେତା । ଆଉ ଏହି ୩ ଜଣ ନେତା ଜାତୀୟ ରାଜନୀତିରେ ବିରୋଧୀ ଏକତାର ବଡ ନେତା । ୨୦୨୪ ନିର୍ବାଚନ ପାଖେଇ ଆସୁଥିବାରୁ ମୋଦୀଙ୍କୁ ଟକ୍କର ଦେବା ପାଇଁ ମହାମେଣ୍ଟର ମହା ଅଭିଯାନ ଆରମ୍ଭ ହୋଇଛି । ଏହି ମେଣ୍ଟରେ ବିଜେଡିକୁ ସାମିଲ କରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏହିକ୍ରମରେ କୁହାଯାଉଛି ଷ୍ଟାଲିନ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିପାରନ୍ତି । ଜାତୀୟ ରାଜନୀତିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦବଦବା ବଢିବାରେ ଲାଗିଛି ।

ନବୀନଙ୍କୁ ବିରୋଧୀ ମେଣ୍ଟରେ ସାମିଲ କରିବାକୁ ଜଣକ ପରେ ଜଣେ ନେତା ଉଦ୍ୟମ ଆରମ୍ଭ କଲେଣି । ଚର୍ଚ୍ଚା ଅନୁସାରେ, ଏହି ମାସରେ ଓଡିଶା ଆସିପାରନ୍ତି ଡିଏମକେ ମୁଖ୍ୟ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ । ଆଉ ଏ ସବୁ ଭିତରେ ନୀତିଶଙ୍କୁ ଭେଟିବାର ଗୋଟିଏ ଦିନ ପରେ ଅର୍ଥାତ ବୁଧବାର ସନ୍ଧ୍ୟାରେ ନବୀନ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି । ତେଣୁ ଜାତୀୟ ରାଜନୀତିରେ ନବୀନଙ୍କ ଦିଲ୍ଲୀ ଗସ୍ତ ରାଜନତୈିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରୁଛି । ସେପଟେ ବିଜେଡି କହିଛି, ନବୀନଙ୍କ ଏଜେଣ୍ଡା ସ୍ପଷ୍ଟ ରହିଛି । ୨୦୦୯ ପରଠାରୁ ବିଜେଡିର ସମଦୂରତ୍ୱ ନୀତି ବଜାୟ ରହିଛି । ବିଜେପି କହିଛି, ନବୀନ ଯଦି ତୃତୀୟ ସାମ୍ମୁଖ୍ୟକୁ ଯିବାର ଅଛି, ତାହାହେଲେ ଘୋଷଣା କରିବାର ସତସାହସ ରଖନ୍ତୁ ।

ଗତମାସରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୁବନେଶ୍ୱର ଆସି ନବୀନଙ୍କୁ ଭେଟିଥିଲେ । ଏବେ ଷ୍ଟାଲିନଙ୍କୁ ନେଇ ଚର୍ଚ୍ଚା ଉଠିଥିବାବେଳେ ଏହା ମଧ୍ୟ କୁହାଯାଉଛି , ମୋଦିଙ୍କ ଦୃଢ ବିରୋଧୀ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ବି ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଆଗ୍ରହୀ ଅଛନ୍ତି । ସାଧାରଣ ନିର୍ବାଚନ ପାଇଁ ବିଜେପି ବିରୋଧୀ ମେଣ୍ଟ ଗଠନ ଉଦ୍ୟମ ଜୋର ଧରିଛି । ପ୍ରଶ୍ନ ଉଠୁଛି, ନବୀନ କେଉଁ ଆଡକୁ ଢଳିବେ ନା ସମଦୂରତା ନୀତି ବଜାୟ ରଖିବେ? ନବୀନ-ନୀତୀଶ ଭେଟଘାଟ ପରେ ଆଗାମୀ ଦିନରେ ବିଜେଡିର ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ।

ମମତା ବାନାର୍ଜୀ, ନୀତୀଶ କୁମାରଙ୍କ ପରି ଟପ୍ ଲିଡର ଭେଟିବା ପରେ ବି ନବୀନ ନିରବ । ସେଫ୍ ଗେମ୍ ଖେଳିବା ସହିତ ନିଜ କାର୍ଡ ଖୋଲୁନାହାନ୍ତି ନବୀନ । ଯାହାକୁ ନେଇ ତେଜିଛି ରାଜନୀତି । ସମସ୍ତଙ୍କ ସହ ଉତ୍ତମ ସଂପର୍କ ରଖିବା ସହ ସମଦୂରତା ନୀତି ଧରି ନବୀନ ସୁବିଧାବାଦୀ ରାଜନୀତି କରୁଥିବା ଅଭିଯୋଗ କରି ବର୍ଷିଛନ୍ତି ବିରୋଧୀ ।

ଜଣଙ୍କ ପରେ ଜଣେ ବରିଷ୍ଠ ନେତା ଓଡ଼ିଶା ଆସି ନବୀନଙ୍କୁ ଭେଟୁଛନ୍ତି । ଆଗକୁ ଦେଶର ଆଉ କିଛି ଟପ୍ ଲିଡର୍ ମଧ୍ୟ ନବୀନଙ୍କୁ ଭେଟିବାକୁ ପ୍ରସ୍ତାବ ଦେଇଥିବା କୁହାଯାଉଛି । ଜଣକ ପରେ ଜଣେ ଏଭଳି ନେତାଙ୍କୁ ଭେଟି ବଡ଼ ଗେମ୍ ଖେଳିବା ଚକ୍କରରେ ଅଛନ୍ତି କି ନବୀନ ? କୁହାଯାଉଛି ଜାତୀୟ ସ୍ତରରେ ନିଜ ପତିଆରା ଦେଖାଇ ୨୦୨୪ ପାଇଁ ସବୁ ପ୍ରକାର ବାଟ ଖୋଲା ରଖିବାକୁ ଚାହୁଁଛି ବିଜେଡି । ୨୦୦୯ରେ ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ବିଜେଡି ସମଦୂରତା ନୀତିରେ ଆଗକୁ ବଢୁଛି ସତ, ହେଲେ କେନ୍ଦ୍ରର ବିଜେପି ସରକାର ସହିତ ବିଜେଡିର ଭଲ ସଂପର୍କ ଥିବା ଚର୍ଚ୍ଚା ହେଉଛି ।

ସେପଟେ ରାଜ୍ୟରେ ବିଜେପିର ଶକ୍ତି ବଢିବାରେ ଲାଗିଛି । ଆଉ ବିଜେଡି ବିରୋଧରେ ଘନଘନ ଆକ୍ରମଣ କରି ବିଭିନ୍ନ ପ୍ରସଙ୍ଗରେ ବିଜେଡିକୁ ଅକଳରେ ପକାଉଛି ଦଳ । ତେଣୁ କାଳେ ବିଜେପି ଓଡ଼ିଶାରେ ଆଗକୁ ବଢ଼ିଯିବ, ଆଉ ବିଜେଡି ଅଡୁଆରେ ପଡ଼ିବ ସେହି ଆଶଙ୍କାରେ ଦଳ ପ୍ରେସର୍ ପଲିଟିକ୍ସ କରୁଥିବା ମତ ଦେଇଛନ୍ତି ରାଜନୈତିକ ସମୀକ୍ଷକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking