ନୂଆଦିଲ୍ଲୀ : ଜାତୀୟ ରେକର୍ଡଧାରୀ ମୁରଲୀ ଶ୍ରୀଶଙ୍କର ଓ ମହମ୍ମଦ ଅନୀସ୍ ୟାହିୟା ମଙ୍ଗଳବାର କ୍ୱାଲିଫାଇଙ୍ଗ୍ ରାଉଣ୍ଡ୍ରେ ଉନ୍ନତ ପ୍ରଦର୍ଶନ କରି ପୁରୁଷ ଲଙ୍ଗ୍ଜମ୍ପ ଫାଇନାଲ୍ ପାଇଁ ସିଧା ଯୋଗ୍ୟତା ଅର୍ଜନ କରିଛନ୍ତି । ଶ୍ରୀଶଙ୍କର ନିଜର ପ୍ରଥମ ପ୍ରୟାସରେ ୮.୦୫ ମିଟର ଲମ୍ଫ ପ୍ରଦାନ କରି ଫାଇନାଲ୍ରେ ସ୍ଥାନ ହାସଲ କରିଥିଲେ । ସ୍ୱର୍ଣ୍ଣ ପଦକର ପ୍ରବଳ ଦାବିଦାର ମଧ୍ୟରେ ଅନ୍ୟତମ କେରଳର ଏହି ୨୩ ବର୍ଷୀୟ ଆଥ୍ଲେଟ୍ ଗ୍ରୁପ୍-ଏ’ରେ ୮ ମିଟରର କ୍ୱାଲିଫାଇଙ୍ଗ୍ ମାର୍କ ହାସଲ କରିବାରେ ଏକମାତ୍ର ଆଥ୍ଲେଟ୍ ଥିଲେ ।
ଏହାପରେ ସେ ଆଉ କୌଣସି ପ୍ରୟାସ କରିନଥିଲେ । ୟୁଜିନ୍ରେ ନିକଟରେ ଶେଷ ହୋଇଥିବା ବିଶ୍ୱ ଚାମ୍ପିଅନ୍ଶିପ୍ରେ ସପ୍ତମ ସ୍ଥାନରେ ରହିଥିବା ଶ୍ରୀଶଙ୍କର ସିଜନ୍ର ସର୍ବଶ୍ରେଷ୍ଠ ବ୍ୟକ୍ତିଗତ ପ୍ରଦର୍ଶନ ୮.୩୬ ମିଟର । ଅନ୍ୟପକ୍ଷରେ ୟାହିୟା ଦ୍ୱିତୀୟ ପ୍ରାୟସରେ ୭.୬୮ ମିଟରର ଶ୍ରେଷ୍ଠ ଜମ୍ପ୍ ସହ ଗ୍ରୁପ୍-ବି’ରେ ତୃତୀୟ ସ୍ଥାନରେ ରହିଥିଲେ । ପ୍ରଥମ ଏବଂ ତୃତୀୟ ପ୍ରୟାସରେ ସେ ଯଥାକ୍ରମେ ୭.୪୯ ମି. ଏବଂ ୭.୪୯ ମିଟର ଲମ୍ଫ ପ୍ରଦାନ କରିଥିଲେ । ତାଙ୍କର ବ୍ୟକ୍ତିଗତ ଏବଂ ସିଜନ୍ର ଶ୍ରେଷ୍ଠ ପ୍ରଦର୍ଶନ ୮.୧୫ ମି. ରହିଛି । ଏହି ଇଭେଣ୍ଟ୍ର ଫାଇନାଲ୍ ଅଗଷ୍ଟ ୪ ଚାରିଖରେ ଅନୁଷ୍ଠିତ ହେବ ।