ନୂଆଦିଲ୍ଲୀ: ଅର୍ଥନୈତିକ ସଙ୍କଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କା ପକ୍ଷରୁ ଏହାର ମୁକାବିଲା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରାଯାଇଛି । ଖାଲି ହୋଇ ଯାଇଥିବା ବୈଦେଶିକ ମୁଦ୍ରା ଭଣ୍ଡାରକୁ ଆଉଥରେ କାର୍ଯ୍ୟକ୍ଷମ କରିବା ପାଇଁ ମଙ୍ଗଳବାର ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ଗୋଲ୍ଡେନ୍ ଭିସା ନାମକ ଏକ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଯୋଜନା ଅନୁସାରେ ଶ୍ରୀଲଙ୍କାରେ ବସବାସ କରିବାକୁ ଚାହୁଁଥିବା ବିଦେଶୀ ନାଗରିକଙ୍କୁ ଏହି ଯୋଜନାରେ ୧୦ ବର୍ଷ ପାଇଁ ଶ୍ରୀଲଙ୍କାରେ ରହିବାକୁ ସୁଯୋଗ ମିଳିବ । ଏକ ଲକ୍ଷ ଡଲାରର ଅର୍ଥ ରାଶି ଜମା କରିବା ଦ୍ୱାରା ଶ୍ରୀଲଙ୍କାରେ କାମ କରିବା ତଥା ବସବାସ କରିବା ପାଇଁ ଅନୁମତି ମିଳିବ ।
୧୦ ବର୍ଷ ପାଇଁ ଏହି ଅନୁମତି ମିଳିବ ବୋଲି ମଧ୍ୟ କୁହାଯାଇଛି । ଏହି ଯୋଜନାରୁ ଯାହାବି ଅର୍ଥ ଆସିବ ତାହାକୁ ଦେଶରେ ଦେଖା ଦେଇଥିବା ଖାଦ୍ୟ ସଙ୍କଟ, ତୈଳ ସଙ୍କଟ ଏବଂ ଔଷଧରେ ଖର୍ଚ୍ଚ କରାଯିବ । ଦେଶରେ ଏଭଳି ଅର୍ଥନୈତିକ ସଙ୍କଟ ରହିଛି କି ମଙ୍ଗଳବାର କଲମ୍ବୋ ଷ୍ଟକ୍ ଏକ୍ସଚେଞ୍ଜରେ ଟ୍ରେଡିଂକୁ ୩ ଥର ବନ୍ଦ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ୫୧ ବିଲିୟନ୍ ଡଲାରର ବିଦେଶୀ ଋଣ ରହିଥିବା ବେଳେ ଶ୍ରୀଲଙ୍କା ପକ୍ଷରୁ ନିଜକୁ ଦେବାଳିଆ ଘୋଷଣା କରାଯାଇଥିଲା । ଜାନୁଆରୀ ତୁଳନାରେ ଇକ୍ୱିଟି ଶେୟାର ଗୁଡିକର ମୂଲ୍ୟ ୪୭ ପ୍ରତିଶତ ତଳକୁ ଖସିଛି ।