28.1 C
Bhubaneswar
Friday, October 18, 2024
Homeଓଡିଶାବାତ୍ୟା ପାଇଁ ସତର୍କ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଏସ୍‌ଆର୍‌ସିଙ୍କ ଚିଠି

ବାତ୍ୟା ପାଇଁ ସତର୍କ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଏସ୍‌ଆର୍‌ସିଙ୍କ ଚିଠି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଶୁକ୍ରବାର ସବୁ ଜିଲ୍ଲାପାଳ ଓ ଅନ୍ୟ ବିଭାଗଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନର ଏନେଇ ଶୁକ୍ରବାର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି କହିଛନ୍ତି ଯେ ଆଇଏମ୍‌ଡି ଦ୍ୱାରା ଜାରି ମଧ୍ୟାହ୍ନ ପାଣିପାଗ ବୁଲେଟିନ ଅନୁସାରେ ବଙ୍ଗୋପସାଗରର ଦକ୍ଷିଣ-ପୂର୍ବରେ ଏକ ସାମୁଦ୍ରିକ ଘୂର୍ଣ୍ଣିବଳୟ ଶନିବାର ସୁଦ୍ଧା ସୃଷ୍ଟିହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଏକ ଲଘୁଚାପ ବଳୟ ରବିବାର ସୃଷ୍ଟିହେବ, ଯାହାକି ସୋମବାର ସୁଦ୍ଧା ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହେବ । ଏହା କ୍ରମଶଃ ଉତ୍ତର ଦିଗରେ ମଧ୍ୟ ବଙ୍ଗୋପାସଗରକୁ ଗତି କରିବ ।

ତେବେ ଲଘୁଚାପ ବଳୟ ସୃଷ୍ଟି ହେବା ପରେ ପରି ଏହାର ଗତି ଓ ଦିଗ ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ । ଆଇଏମଡି ପକ୍ଷରୁ ଏହା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଆଇଏମଡି ପକ୍ଷରୁ କେତେକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ହେବାର ପୂର୍ବାନୁମାନ କରାଯାଇଛି ।

ଏହି ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତ ରହିବାକୁ ଏସ୍‌ଆର୍‌ସି ପରାମର୍ଶ ଦେଇଛନ୍ତି । ପାଣିପାଗ ଉପରେ ନଜର ରଖିବା ସହ ଘଡ଼ଘଡ଼ି ଆଦି ମାରିବା ସମୟରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ସହରାଞ୍ଚଳରେ ଟ୍ରାଫିକ ପରାମର୍ଶ ମାନିବାକୁ ଏସ୍‌ଆର୍‌ସି କହିଛନ୍ତି । ତଳିଆ ଅଞ୍ଚଳ ଉପରେ କ୍ରମାଗତ ସତର୍କ ନଜର ରଖିବାକୁ ଜିଲ୍ଲା ପ୍ରଶାସନିକ ଅଧିକାରୀମାନଙ୍କୁ କୁହାଯାଇଛି ।

ଆବଶ୍ୟକ ପଡ଼ିଲେ ସହରାଞ୍ଚଳର ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ କହିବା ସହ ବର୍ଷା ପରିମାଣ ସମ୍ପର୍କରେ ଏସ୍‌ଆରସିଙ୍କ କାର୍ଯ୍ୟାଳୟକୁ ଅବଗତ କରାଇବା ନିମନ୍ତେ କୁହାଯାଇଛି । ଏହାବ୍ୟତୀତ ଝଡ଼ପବନ, ବ୍ରଜପାତ, ଘୂର୍ଣ୍ଣିଝଡ଼ ଆଦି ଯୋଗୁ ହେବାକୁ ଥିବା କ୍ଷୟକ୍ଷତି ସମ୍ପର୍କରେ ମଧ୍ୟ ସରକାରଙ୍କୁ ଅବଗତ କରାଇବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଏହାସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ମଧ୍ୟ ସତର୍କ ରହିବାକୁ ଏସ୍‌ଆରସି ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ଓଡ଼ିଶାରେ ବାତ୍ୟା ହେବ କି ନାହିଁ ତାହାର କୌଣସି ସ୍ପଷ୍ଟତା ବର୍ତ୍ତମାନ ସୁଦ୍ଧା ନାହିଁ । ଲଘୁଚାପ ପରେ ବାତ୍ୟା ନେଇ ସ୍ପଷ୍ଟତା ଆସିବ । ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏହାର ଗତିପଥ କେଉଁଆଡ଼େ ରହିବ; ତୀବ୍ରତା କେତେ ରହିବ ଓ ଏହା କେଉଁ ଉପକୂଳ ଆଡ଼କୁ ମୁହାଁଇବ ସେ ନେଇ ସ୍ପଷ୍ଟତା ଆସିବ । ତେବେ ବିଶେଷକରି ଏପ୍ରିଲ, ମେ, ଜୁନ୍‌, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବରରେ ବାତ୍ୟା ସୃଷ୍ଟି ହୋଇଥାଏ । ବଙ୍ଗୋପସାଗର ଓ ଆରବ ସାଗରରେ ପାଖାପାଖି ୫ଟି ବାତ୍ୟା ସୃଷ୍ଟି ହୋଇଥାଏ । ବଙ୍ଗୋପସାଗରରେ ଅଧିକ ଓ ଆରବ ସାଗରରେ କମ୍ ହୋଇଥାଏ । ଖରାଦିନରେ ଗୋଟିଏରୁ ଦୁଇଟି ବାତ୍ୟା ସୃଷ୍ଟି ହୋଇଥାଏ । ମେ’ ମାସରେ ବାତ୍ୟା ସୃଷ୍ଟି ହେବାର ଅଧିକ ସମ୍ଭାବନା ଥାଏ ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଲାଗି ରହିଛି । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେଉଛି । ଏହା ବ୍ୟତୀତ ରାଜ୍ୟର କିଛି ସହରର ତାପମାତ୍ରା ମଧ୍ୟ ବୃଦ୍ଧି ପାଇଛି । ତେବେ ଜଳୀୟବାଷ୍ପ ମତ୍ରା ଅଧିକ ରହୁଥିବାରୁ ରାଜ୍ୟରେ ଗୁଳୁଗୁଳି ମାତ୍ରା ଅଧିକ ଅନୁଭୂତ ହେଉଛି । ଶୁକ୍ରବାର ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ସର୍ବାଧିକ ୩୮ମିମି ବର୍ଷା ରେକର୍ଡ ହୋଇଛି ।

ସେହିପରି ବାଲେଶ୍ୱରରେ ୧୮.୫ମିମି, ଖୋର୍ଦ୍ଧାରେ ୧୮ମିମି ବର୍ଷା ହୋଇଛି । ଅନେକ ଜିଲ୍ଲାର ତାପମାତ୍ରା ବୃଦ୍ଧିପାଇଛି । ତେବେ ସମ୍ବଲପୁର ତାପମାତ୍ରା ସର୍ବାଧିକ ୩୮.୨ଂ ରହିଥିବା ବେଳେ ବୌଦ୍ଧ ୩୮ଂ, ଅନୁଗୁଳ ୩୭.୧ଂ ରହିଥିଲା । ଉଭୟ ଭୁବନେଶ୍ୱର ଏବଂ କଟକର ତାପମାତ୍ରା ୩୫.୮ଂ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking