ନୂଆଦିଲ୍ଲୀ: ଆସନ୍ତା ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୂର୍ବରୁ ଦେଶର ଶୀର୍ଷସ୍ଥାନୀୟ ସ୍ପ୍ରିଣ୍ଟର୍ ଡି ଧନଲକ୍ଷ୍ମୀ ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି । ସେହିପରି ଜାତୀୟ ରେକର୍ଡଧାରୀ ଟ୍ରିପଲ୍ ଜମ୍ପର୍ ଏଶ୍ୱର୍ଯ୍ୟ ବାବୁଙ୍କ ଟେଷ୍ଟ୍ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିବା ବୁଧବାର ଜଣାପଡ଼ିଛି । ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ମହିଳା ୪ ଗୁଣା ୪୦୦ ମିଟର ରିଲେ ଟିମ୍ ଏବଂ ୧୦୦ ମିଟର ଟିମ୍ରେ ସାମିଲ ଧନଲକ୍ଷ୍ମୀଙ୍କ ସାମ୍ପଲ୍ ଆଥ୍ଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍ (ଏଆଇୟୁ) ଦେଶ ବାହାରେ ଆଉଟ୍ ଅଫ୍ କମ୍ପିଟିସନ୍ ସଂଗ୍ରହ କରିଥିଲା ଏବଂ ଟେଷ୍ଟିଂରୁ ତାଙ୍କ ସାମ୍ପଲ୍ରୁ ଏନାବଲିକ୍ ଷ୍ଟେରଏଡ୍ ମିଳିଥିଲା । ଫଳରେ ତାଙ୍କୁ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଛି । ମିଡିଆ ରିପୋର୍ଟ ଅନୁସାରେ ଡୋପ୍ ଟେଷ୍ଟ୍ରେ ବିଫଳ ହେବାପରେ ତାଙ୍କୁ ଆମେରିକାର ୟୁଜିନ୍ରେ ଚାଲିଥିବା ୱାର୍ଲ୍ଡ ଆଥ୍ଲେଟିକ୍ସ ଚାମ୍ପିଅନ୍ଶିପ୍ରେ ଭାଗ ନେବାରୁ ରୋକି ଦିଆଯାଇଥିଲା । ପ୍ରଥମେ କୁହାଯାଇଥିଲା ତାଙ୍କର ଭିସା କ୍ଲିୟରାନ୍ସ ମିଳିନାହିଁ ।
ମାତ୍ର ଆୟୋଜକ ଚାମ୍ପିଅନ୍ଶିପ୍ରୁ ତାଙ୍କ ଏଣ୍ଟ୍ରିକୁ ହିଁ ହଟାଇ ଦେଇଥିଲେ । ତାଙ୍କ ସ୍ଥାନରେ ୧୦୦ ମିଟରରେ କେନିଆ ଆଥ୍ଲେଟ୍ଙ୍କୁ ରେସ୍ ଆରମ୍ଭ ହେବାର ଦୁଇଘଣ୍ଟା ପୂର୍ବରୁ ଏଣ୍ଟ୍ରି ଦିଆଯାଇଥିଲା । ସେ ମଧ୍ୟ ଭିସା ନମିଳିବାରୁ ୟୁଜିନ୍ରେ ପହଞ୍ଚିପାରି ନଥିଲେ, ମାତ୍ର ତାଙ୍କ ଏଣ୍ଟ୍ରି ହଟାଯାଇ ନଥିଲା । ତାମିଲନାଡ଼ୁ ଆଥ୍ଲେଟ୍ ଧନଲକ୍ଷ୍ମୀ ୧୦୦ ମିଟର ଓ ୨୦୦ ମିଟରରେ ଦୂତୀ ଚାନ୍ଦ ଓ ହିମା ଦାସଙ୍କୁ ହରାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ତାଙ୍କୁ ୪ ଗୁଣା ୪୦୦ ମିଟର ରିଲେ ଟିମ୍ରେ ଦୂତୀ ଏବଂ ହିମାଙ୍କ ସହ ସାମିଲ କରାଯାଇଥିଲା । ଅନ୍ୟପକ୍ଷରେ ୨୪ ବର୍ଷୀୟା ଐଶ୍ୱର୍ଯ୍ୟାଙ୍କ ସାମ୍ପଲ୍ ଗତମାସରେ ଚେନ୍ନାଇରେ ଆୟୋଜିତ ଜାତୀୟ ଆନ୍ତଃ-ରାଜ୍ୟ ଚାମ୍ପିଅନ୍ଶିପ୍ ଅବସରରେ ନାଡା ପକ୍ଷରୁ ସଂଗ୍ରହ କରାଯାଇଥିଲା । ତାହା ମଧ୍ୟ ପଜିଟିଭ୍ ଆସିଥିଲା । ୧୪.୧୪ ମିଟର ଉଦ୍ୟମ ସହ ଐଶ୍ୱର୍ଯ୍ୟା ଟ୍ରିପଲ୍ ଜମ୍ପ୍ ଜାତୀୟ ରେକର୍ଡ ଧ୍ୱଂସ୍ତ କରି ଜାତୀୟ ଆନ୍ତଃରାଜ୍ୟ ସିନିୟର୍ ଚାମ୍ପିଅନ୍ଶିପ୍ର ଷ୍ଟାର୍ ବନିଯାଇଥିଲେ । ଏହା ପୂର୍ବରୁ ଥ୍ରୋୟର୍ ରାଜିନ୍ଦର ସିଂହ ଏବଂ ଟୋକିଓ ଅଲିମ୍ପିକ୍ସରେ ଡିସ୍କସ୍ ଥ୍ରୋ’ରେ ଚତୁର୍ଥ ସ୍ଥାନରେ ରହିଥିବା କମଲପ୍ରୀତ୍ କୌର୍ଦ୍ଧ୍ ଡୋପିଂରେ ଫସିଥିଲେ । ଏଆଇୟୁର ଟେଷ୍ଟିଂରେ ସେମାନେ ମଧ୍ୟ ବିଫଳ ହୋଇଥିଲେ ।