ଭୁବନେଶ୍ୱର : ଡେଟ୍ରୟେଟ୍ରେ (ଆମେରିକା) କେତେଜଣ ଶିଷ୍ୟଙ୍କ ନିକଟରେ ସ୍ୱାମୀଜୀ କହିଥିଲେ, ‘ବାସ୍ତବ ପକ୍ଷେ କହିବାକୁ ଗଲେ ମୋର କାମର ପ୍ରକୃତ ଆଦର ହୋଇପାରେ ଭାରତବର୍ଷରେ ।’ କିନ୍ତୁ ସେ କେବେ ଭାବିନାହାନ୍ତି ଯେ ତାଙ୍କୁ ବରଣ କରିନେବା ପାଇଁ ଦେଶବ୍ୟାପୀ ଅଭାବନୀୟ ଅୟୋଜନ ହୋଇଛି ଓ ସମଗ୍ର ଦେଶ ଅଧୀର ଆଗ୍ରହରେ ତାଙ୍କୁ ପ୍ରତୀକ୍ଷା କରିଛି । ଭାରତର ମୁଖଉଜ୍ଜ୍ୱଳକାରୀ ବିବେକାନନ୍ଦ ଫେରି ଆସୁଛନ୍ତି । ଭାରତବ୍ୟାପୀ ବିପୁଳ ଆଲୋଡ଼ନ ସୃଷ୍ଟି ହେଲା । ଗୋଟିଏ ମହାନ୍ ଜାତିର ହଜାର ବର୍ଷର ନିଦ ଭାଙ୍ଗିଯାଇଛି ।
୧୮୯୭ ଖ୍ରୀଷ୍ଟାବ୍ଦ ଜାନୁଆରୀ ୧୫ ତାରିଖରେ ସ୍ୱାମୀଜୀ ସିଂହଳରେ ଓହ୍ଲାଇଲେ । ଆରମ୍ଭ ହେଲା ରାଜୋଚିତ ସମ୍ବର୍ଦ୍ଧନା । ସେହିଠାରୁ ହିଁ ଆରମ୍ଭ ହେଲା ତାଙ୍କର ଅଗ୍ନିମୟୀ ବକ୍ତୃତା । ସେହିସବୁ ବକ୍ତୃତାରେ ଧ୍ୱନିତ ହୋଇଛି ନବଜାଗରଣର ମହାମନ୍ତ୍ର, ଭବିଷ୍ୟତ ଭାରତ ଗଠନର କର୍ମସୂଚୀ । ସେ କମ୍ବୁକଣ୍ଠରେ ଭାରତକୁ ଶୁଣାଇଲେ, ‘ଆଗାମୀ ପଚାଶବର୍ଷ ଧରି ଜନନୀ ଜନ୍ମଭୂମୀ ତୁମର ଏକମାତ୍ର ଆରାଧ୍ୟ ଦେବତା ହୁଅନ୍ତୁ ।’ ଦେଶମାତୃକାର ପୂଜା ହେଉଛି ଦେଶବାସୀଙ୍କର ସେବା, ସେମାନଙ୍କର ଦୁଃଖଦୁର୍ଦ୍ଦଶା ଦୂର କରି ଶିକ୍ଷାବିସ୍ତାର ମାଧ୍ୟମରେ ସେମାନଙ୍କୁ ଜାଗ୍ରତ କରି ତୋଳିବା । ସ୍ୱାମୀଜୀଙ୍କର ‘କଲମ୍ବୋଠାରୁ ଆଲମୋଡ଼ା’ ବକ୍ତୃତାବଳୀ ଯାଦୁମନ୍ତ୍ର ପରି କାମ କଲା । ଦେଶପ୍ରେମିକମାନେ ଦେଶ କାମରେ ଆତ୍ମନିୟୋଗ କଲେ-ଆଶା ଓ ଉତ୍ସାହରେ ଭରି ତୋଳିଲେ ଜନସାଧାରଣଙ୍କର ଅନ୍ତର । ତାଙ୍କର ବାଣୀ ପହଞ୍ଚିଲା ଦୁର୍ଜେୟ ଆବେଦନରୂପରେ-‘ଉଠ, ଜାଗ, ସମସ୍ତେ ଅଣ୍ଟା ଭିଡ଼ ।’
ସିଂହଳବାସୀଙ୍କ ଅଭ୍ୟର୍ଥନା ସ୍ୱାମୀଜୀଙ୍କୁ ଅଭିଭୂତ କରିଥିଲା । କେତୋଟି ସ୍ଥାନରେ ବକ୍ତୃତା ଦେଇ ସେ ଦକ୍ଷିଣ ଭାରତର ରାମେଶ୍ୱର, ରାମନାଦ, ପରମକୁଡ଼ି, ମଦୁରା, ତ୍ରିଚିନାପଲ୍ଲୀ ଓ କୁମ୍ଭକୋନମ୍ ପ୍ରଭୃତି ସ୍ଥାନରେ ଉଦ୍ଦୀପନାମୟୀ ବକ୍ତୃତା ଦେଇ ଆସିଲେ ମାନ୍ଦ୍ରାଜକୁ । ପ୍ରତ୍ୟେକ ସ୍ଥାନରେ ହିଁ ସହସ୍ର ସହସ୍ର ନରନାରୀ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଲେ, ତାଙ୍କର ବାଣୀ ଶୁଣିଲେ ପରମ ଆଗ୍ରହରେ । ଶିବତୀର୍ଥ ରାମେଶ୍ୱରଠାରେ ସେ ଶୁଣାଇଲେ-‘ଦରିଦ୍ର, ପ୍ରପ୍ରୀଡ଼ିତ ଓ ଆର୍ତ୍ତ ମଧ୍ୟରେ ଶିବଙ୍କର ପୂଜା କର ।’ ମାନ୍ଦ୍ରାଜଠାରେ ମହୋସିବ ଲାଗିଗଲା । ପଥେ ପଥେ ୧୭ଟି ତୋରଣ, ଯୁବକମାନେ ତାଙ୍କ ଗାଡ଼ି ଟାଣି ନେବାକୁ ଲାଗିଲେ; ପୁରଙ୍ଗନାମାନେ ଦ୍ୱାରେ ଦ୍ୱାରେ ତାଙ୍କର ଆରତି କଲେ-ନଅଦିନ ଧରି ଏହି ଆନନ୍ଦଉତ୍ସବ ଚାଲିଥିଲା । ବିଭିନ୍ନ ଭାଷାରେ ଛବିଶ ଖଣ୍ଡ ମାନପତ୍ର ତାଙ୍କୁ ଦିଆଗଲା । ସର୍ବତ୍ର ବିପୁଳ ଜନତାର ସମାଗମ । ପ୍ରତିଦିନ ତାଙ୍କୁ ବକ୍ତୃତା ଦେବାକୁ ହୁଏ । ସେ ଭାରତର ଅତୀତ ମହିମା ଶୁଣାଇଲେ; ଭାରତର ମହାବାଣୀ-ସମଗ୍ର ବିଶ୍ୱର ଏକତ୍ୱ ସେ ନୂତନ ଭାବେ ବୁଝାଇଲେ ।
ଦକ୍ଷିଣ ଭାରତରେ ତାଙ୍କୁ ପ୍ରାୟ ଏକମାସ ରହିବାକୁ ହେଲା । ଭାରତର ନାନା ସ୍ଥାନରୁ ତାଙ୍କୁ ନେଇଯିବା ପାଇଁ ବହୁ ଆବେଦନ ଆସିଲା; କିନ୍ତୁ ତାଙ୍କ ଶରୀର ଏତେ କ୍ଳାନ୍ତ ହୋଇପଡ଼ିଥିଲା ଯେ ଟିକିଏ ବିଶ୍ରାମ ବିଶେଷ ପ୍ରୟୋଜନ । ତେଣୁ ସେ କେଉଁଆଡ଼େ ଯାଇପାରିଲେ ନାହିଁ । ସ୍ଥଳପଥରେ ନ ଯାଇ ମାନ୍ଦ୍ରାଜଠାରୁ ଷ୍ଟିମରଯୋଗେ ଆସିଲେ ଖିଦିରପୁର ଏବଂ କଲିକତାରେ ପଦାର୍ପଣ କଲେ । ଫେବୃଆରୀ ୨୮ ତାରିଖ କଲିକତାର ନାଗରିକମାନଙ୍କ ପକ୍ଷରୁ ତାଙ୍କୁ ବିରାଟ ଅଭିନନ୍ଦନ ଦିଆଗଲା । ତା’ର ଉତ୍ତରରେ ସେ ଶ୍ରୀରାମକୃଷ୍ଣଙ୍କୁ ଧରି ରଖିଲେ ସମସ୍ତଙ୍କ ସମ୍ମୁଖରେ-ରାମକୃଷ୍ଣଙ୍କ ପାଦତଳେ ବସି ଶିକ୍ଷାଲାଭ କଲେ ହିଁ ଭାରତ ପୁଣି ଜାଗିଉଠିବ-ତାହା ମଧ୍ୟ କହିଲେ । ବଙ୍ଗଳାର ଯୁବକମାନଙ୍କ ପାଖରେ ଆବେଦନ ଜଣାଇଲେ, ‘ମୁଁ ବର୍ତ୍ତମାନ ସୁଦ୍ଧା କିଛି କରିପାରି ନାହିଁ; ତୁମମାନଙ୍କୁ ସବୁ କରିବାକୁ ହେବ । ଦେଶ ଉପରେ ମୋର ବିଶ୍ୱାସ ଅଛି, ବିଶେଷ କରି ଦେଶର ଯୁବକମାନଙ୍କ ଉପରେ ।’