ପୁରୀ: ପଞ୍ଚୁକ ପାଇଁ ପ୍ରସ୍ତୁତ ପୁରୀ ପ୍ରଶାସନ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ପରେ ପ୍ରଶାସନ ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ପୁରୀ ଜିଲ୍ଲାପାଳ। ପଞ୍ଚୁକରେ ଲକ୍ଷ ଲକ୍ଷ ଭକ୍ତ ପୁରୀ ଆସିବେ। ତେଣୁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଆଉ ନୀତିକାନ୍ତି ଉପରେ ଗୁରୁତ୍ୱ ଦିଆଯାଇଛି। ଭୋର ୪ ଟାରୁ ଦ୍ବାର ଫିଟା ଯାଇ ସମସ୍ତ ନୀତିକାନ୍ତି ଆରମ୍ଭ ହେବ। ଯାହାଫଳରେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗୀୟ ଅଧିକାରୀ ଏଥିରେ ଯୋଗ ଦେଇଥିଲେ। ବୈଠକ ପରେ ଜିଲ୍ଲାପାଳ ସବୁ ବ୍ୟବସ୍ଥା ବିଷୟରେ ସୂଚନା ଦେଇଛନ୍ତି। ପଞ୍ଚୁକରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତଙ୍କ ଭିଡ଼ ଜମିବ ବୋଲି ଆଶା କରାଯାଉଛି। ଏଥିପାଇଁ ଶୃଙ୍ଖଳିତ ନୀତିକାନ୍ତି ଏବଂ ଦର୍ଶନ ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଭକ୍ତମାନେ ଯେମିତି ବିନା ଅସୁବିଧାରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ମାର୍କେଟ ଛକ ଠାରୁ ବ୍ୟାରିକେଡ଼ର ବ୍ୟବସ୍ଥା କରାଯାଇଛି। ସେହିଭଳି ସିଂହଦ୍ୱାର ପଟେ ପ୍ରବେଶ ଏବଂ ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ଭିଡ଼ ନିୟନ୍ତ୍ରଣ କରିବା ସହଜ ହେବ। ଭକ୍ତଙ୍କ ପାଇଁ ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା ସହ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ବିଭାଗୀୟ ଅଧିକାରୀମାନେ ନିଜ ନିଜ କାର୍ଯ୍ୟ ଠିକ୍ ଭାବେ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।










