30.1 C
Bhubaneswar
Wednesday, November 11, 2026
Homeଓଡିଶାସ୍ୱଚ୍ଛତା ପାଇଁ ଜାତୀୟ ସ୍ତରର ସମ୍ବର୍ଦ୍ଧିତ ହେଲା ଆସିକା ପୌରପରିଷଦ

ସ୍ୱଚ୍ଛତା ପାଇଁ ଜାତୀୟ ସ୍ତରର ସମ୍ବର୍ଦ୍ଧିତ ହେଲା ଆସିକା ପୌରପରିଷଦ

ଆସ୍କା/ଛତ୍ରପୁର: ସ୍ୱଚ୍ଛତା କ୍ଷେତ୍ରରେ ଜାତୀୟ ସ୍ତରରେ ଗଞ୍ଜାମ ଜିଲ୍ଲା ସହ ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛି ଆସିକା ପୌରପରିଷଦ । ସ୍ୱଚ୍ଛ ସର୍ବେକ୍ଷଣ ୨୦୨୫-୨୬ରେ ଦେଶର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁ ଏଲ ବି) ମଧ୍ୟରେ ୨୦,୦୦୦ରୁ ୫୦,୦୦୦ ଜନସଂଖ୍ୟା ବର୍ଗରେ ଆସିକା ପୌରପରିଷଦ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ଏହି ସଫଳତା କେବଳ ଗଞ୍ଜାମ ନୁହେଁ, ସମଗ୍ର ଦକ୍ଷିଣ ଓଡ଼ିଶା ପାଇଁ ଏକ ଉଲ୍ଲେଖନୀୟ ଉପଲବ୍ଧି। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୫-୨୬ ପୁରସ୍କାର ପ୍ରଦାନ ସମାରୋହରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଆସିକା ପୌରପରିଷଦର ଅଧ୍ୟକ୍ଷା ବିନୀତା ସ୍ୱାଇଁ, ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ତଥା ସ୍ୱଚ୍ଛ ଭାରତ ମିଶନ (ସହରାଞ୍ଚଳ)ର ମିଶନ ନିର୍ଦ୍ଦେଶକ ବିନୟ କୁମାର ଦାଶ, ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସମୀର କୁମାର ଜେନା ଓ ଆସିକା ପୌରପରିଷଦର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଆଶାଲତା ରଚାମାଳା ମାନ୍ୟବର ରାଷ୍ଟ୍ରପତିଙ୍କଠାରୁ ସ୍ୱଚ୍ଛତାର ବାର୍ତ୍ତାବହ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ମାନପତ୍ର ଗ୍ରହଣ କରିଥିଲେ।

ଏହି ସମ୍ମାନଜନକ ପୁରସ୍କାର ସଫେଇ କର୍ମଚାରୀଙ୍କ ନିଷ୍ଠାପର ପ୍ରୟାସ ଓ ଆସିକାବାସୀଙ୍କ ସ୍ୱଚ୍ଛତା ପ୍ରତି ସହଭାଗିତା ଓ ସଚେତନତାର ପ୍ରତିଫଳନ। ଆସିକାର ଏହି ସଫଳତା ଗଞ୍ଜାମ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଜିଲ୍ଲାର ଜନ ପ୍ରତିନିଧିଙ୍କ ସହିତ ଜିଲ୍ଲାପାଳ ମଧ୍ୟ କହିଛନ୍ତି। ଆସିକାର ଏହି ସଫଳତା ଗଞ୍ଜାମ ଜିଲ୍ଲାରେ ଚାଲିଥିବା “ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ” କାର୍ଯ୍ୟକ୍ରମ ଅଧୀନରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା, ସୁସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନାକୁ ପ୍ରୋତ୍ସାହିତ କରିବା ଏବଂ ସ୍ୱଚ୍ଛ ଓ ସମାବେଶୀ ସହର ଓ ଗ୍ରାମ ଗଠନ ଦିଗରେ ଜିଲ୍ଲାର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ କରିବ ବୋଲି ଜିଲ୍ଲାପାଳ ଭି କୀର୍ତ୍ତି ଭାସନ କହିଛନ୍ତି। ସ୍ୱଚ୍ଛ ଭାରତ ମିଶନ–ସହରାଞ୍ଚଳ ଅଧୀନରେ ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫-୨୬ ଏହାର ଦଶମ ସଂସ୍କରଣ। ଏହା ବିଶ୍ୱର ସର୍ବବୃହତ୍ ସହରାଞ୍ଚଳ ସ୍ୱଚ୍ଛତା ଓ ପରିମଳ ମୂଲ୍ୟାୟନ କାର୍ଯ୍ୟକ୍ରମ ଭାବେ ପରିଚିତ। ଚଳିତ ବର୍ଷର ବିଷୟବସ୍ତୁ ‘ସ୍ୱଚ୍ଛତା କି ନୟୀ ପହେଲ୍ – ବଢ଼ାଏଁ ହାଥ, କରେଁ ସଫାଇ ସାଥ୍’ ମାଧ୍ୟମରେ ନାଗରିକଙ୍କ ସହଭାଗିତା ଏବଂ ସହରଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ଜରିଆରେ ସହରାଞ୍ଚଳ ପରିମଳ ବ୍ୟବସ୍ଥାରେ ଗତ ଏକ ଦଶନ୍ଧି ଧରି ଆସିଥିବା ପରିବର୍ତ୍ତନକୁ ଉତ୍ସବ ଭାବେ ପାଳନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking