30.1 C
Bhubaneswar
Wednesday, November 11, 2026
Homeଓଡିଶାୱାଲମିକୁ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରିବାକୁ ୨୦ କୋଟି ଟଙ୍କା ମଞ୍ଜୁର

ୱାଲମିକୁ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରିବାକୁ ୨୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ରାଜ୍ୟର ଜଳସମ୍ପଦ ପରିଚାଳନାକୁ ଅଧିକ ଆଧୁନିକ, ବୈଜ୍ଞାନିକ ଓ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ୱାଲମି), ଓଡ଼ିଶାର ଉନ୍ନତୀକରଣ ଓ ସୁଦୃଢ଼ୀକରଣ ପାଇଁ ରାଜ୍ୟ ସରକାର ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ୱାଲମିକୁ ଏକ ଉତ୍କର୍ଷ କେନ୍ଦ୍ର (Centre of Excellence) ଭାବେ ବିକଶିତ କରିବା ଲକ୍ଷ୍ୟରେ ଏହି ଯୋଜନା ୨୦୨୬-୨୭ ଓ ୨୦୨୭-୨୮ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହେବ। ୱାଲମି ଦୀର୍ଘ ଚାରି ଦଶନ୍ଧି ଧରି ରାଜ୍ୟରେ ଜଳ ପରିଚାଳନା କ୍ଷେତ୍ରରେ ବୈଷୟିକ ଜ୍ଞାନ, ତାଲିମ ଓ ଦକ୍ଷତା ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଆସିଛି। ଏହି ଉନ୍ନତୀକରଣ ଅଧୀନରେ ଅନୁଷ୍ଠାନରେ ସ୍ମାର୍ଟ ଡିଜିଟାଲ୍ ଶ୍ରେଣୀଗୃହ, ଆଧୁନିକ ତାଲିମ ସୁବିଧା, ଉନ୍ନତ ଛାତ୍ରାବାସ, ସମ୍ମିଳନୀ କକ୍ଷ ଓ ଅଡିଟୋରିୟମ୍ ଆଦିର ବିକାଶ କରାଯିବ। ଏହାଦ୍ୱାରା ତାଲିମ, ଗବେଷଣା ଓ ଜ୍ଞାନ ଆଦାନପ୍ରଦାନ ପାଇଁ ଏକ ଉନ୍ନତ ପରିବେଶ ସୃଷ୍ଟି ହେବ।

ଜଳସମ୍ପଦ ବିଭାଗରେ ମଞ୍ଜୁରୀପ୍ରାପ୍ତ ୫,୨୩୫ ଜଣ ଯନ୍ତ୍ରୀଙ୍କ ବୃତ୍ତିଗତ ଦକ୍ଷତା ବିକାଶ ଏହି ପଦକ୍ଷେପର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ। ନବନିଯୁକ୍ତ ଯନ୍ତ୍ରୀଙ୍କ ପାଇଁ ଆରମ୍ଭିକ ତାଲିମ ସହ ଆଧୁନିକ ଜଳସେଚନ ପ୍ରଯୁକ୍ତି, ବନ୍ୟା ପରିଚାଳନା, ଜଳର ଦକ୍ଷ ଉପଯୋଗ ଓ ଜଳବାୟୁ ପରିବର୍ତ୍ତନଜନିତ ଆହ୍ୱାନର ମୁକାବିଲା ଆଦି ବିଷୟରେ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ। ଏଥିସହ ଆଇଆଇଏସ୍‌ସି ବେଙ୍ଗାଲୁରୁ, ଆଇଆଇଟି ରୁର୍‌କୀ, ଆଇଆଇଟି ମାଡ୍ରାସ୍, ଆଇଆଇଟି ଗୁଆହାଟୀ, ନିଓଟ୍ ଚେନ୍ନାଇ ଏବଂ ଭାରତୀୟ ମାନକ ବ୍ୟୁରୋ ଭଳି ପ୍ରତିଷ୍ଠିତ ଅନୁଷ୍ଠାନ ସହ ସହଯୋଗିତା ମାଧ୍ୟମରେ ଗବେଷଣା ଓ ଜ୍ଞାନ ବିନିମୟକୁ ଅଧିକ ସମୃଦ୍ଧ କରାଯିବ। ଏହି ପଦକ୍ଷେପର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ରାଜ୍ୟର ୪୧ ହଜାରରୁ ଅଧିକ ପାଣି ପଞ୍ଚାୟତର କର୍ମକର୍ତ୍ତାଙ୍କୁ ଅଂଶୀଦାର ଜଳସେଚନ ପରିଚାଳନା, ଜଳ ବଜେଟ୍ ପ୍ରସ୍ତୁତି ଓ ଜଳର ନ୍ୟାୟସଙ୍ଗତ ବଣ୍ଟନ ସମ୍ପର୍କରେ ଉନ୍ନତ ତାଲିମ ପ୍ରଦାନ କରାଯିବ। ଏହାଦ୍ୱାରା ସ୍ଥାନୀୟ ସ୍ତରରେ ଜଳସମ୍ପଦର ସୁପରିଚାଳନା ସହ କୃଷକମାନେ ଅଧିକ ଉପକୃତ ହୋଇପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking