27.8 C
Bhubaneswar
Saturday, July 18, 2026
Homeଓଡିଶାଦିବ୍ୟାଙ୍ଗ ଭାଇଭଉଣୀଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ଆମ ସରକାରର ପ୍ରାଥମିକତା- ମୁଖ୍ୟମନ୍ତ୍ରୀ

ଦିବ୍ୟାଙ୍ଗ ଭାଇଭଉଣୀଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ଆମ ସରକାରର ପ୍ରାଥମିକତା- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନ ଆଜି ଏକ ଅପୂର୍ବ ଆତ୍ମୀୟତା ଭରା ମୁହୂର୍ତ୍ତର ସାକ୍ଷୀ ହୋଇଛି । କେନ୍ଦୁଝରର ‘ସେବା ଫାଉଣ୍ଡେସନ୍’ ସଂଗଠନର ପ୍ରାୟ ୫୦ ଜଣ ବାକ୍ ଶ୍ରବଣ ଶକ୍ତି ବାଧିତ ବାଳିକା ଓ ଶାରୀରିକ ଦିବ୍ୟାଙ୍ଗ ବ୍ୟକ୍ତି ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସରଳ ଏବଂ ସ୍ନେହପୂର୍ଣ୍ଣ ବ୍ୟବହାର ଦେଖି ଏହି ସ୍ୱତନ୍ତ୍ର ଅତିଥିମାନେ ଅତ୍ୟନ୍ତ ଆନନ୍ଦିତ ଓ ଉତ୍ସାହିତ ହୋଇଥିଲେ । ଏହି ସାକ୍ଷାତକାର ପରେ ମୁଖ୍ୟମନ୍ତ୍ରୀଙ୍କ ସହ ସେମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ, ଦକ୍ଷତା ବିକାଶ ଏବଂ ଆତ୍ମନିର୍ଭରଶୀଳତାକୁ ନେଇ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଯାଇଛି।

ଏହି ଆଲୋଚନା କାଳରେ ବାଳିକାମାନଙ୍କୁ ବର୍ତ୍ତମାନ ସଂଗଠନ ପକ୍ଷରୁ ସିଲାଇ ଏବଂ ହସ୍ତଶିଳ୍ପର ପ୍ରଶିକ୍ଷଣ ଦିଆଯାଉଛି ବୋଲି ଅବଗତ ହେବା ପରେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସଂଗଠନର କର୍ମକର୍ତ୍ତା ଓ ବାଳିକାମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ଏକାଧିକ ବୟନ ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି । ତେଣୁ ଏହି ପ୍ରଶିକ୍ଷିତ ବାଳିକାମାନଙ୍କୁ ସେହି ସବୁ ଶିଳ୍ପସଂସ୍ଥା ସହିତ ଯୋଡ଼ି ସେମାନଙ୍କ ପାଇଁ ନିଯୁକ୍ତିର ନୂତନ ସୁଯୋଗ ସୃଷ୍ଟି କରାଯିବ ବୋଲି ସେ କହିଥିଲେ। ଏହାଦ୍ୱାରା ସେମାନେ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବା ସହ ସମାଜରେ ଏକ ସମ୍ମାନଜନକ ଜୀବନ ବିତାଇପାରିବେ। ଆମ ସରକାର ପ୍ରତିଟି ଦିବ୍ୟାଙ୍ଗ ଭାଇଭଉଣୀଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ପାଇଁ ଦୃଢ଼ ସଂକଳ୍ପବଦ୍ଧ ଏବଂ ସେମାନଙ୍କ ଭିତରେ ଥିବା ପ୍ରତିଭାକୁ ଉପଯୁକ୍ତ ସୁଯୋଗ ଦେଇ ଆତ୍ମନିର୍ଭରଶୀଳ କରିବା ଆମର ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ଆଲୋଚନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପର୍କରେ ଆଲୋକପାତ କରିଥିଲେ । ନୂତନ ଉଦ୍ୟୋଗୀ ମାନଙ୍କ ବିକାଶ ତଥା ସେମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ଅସାଧାରଣ ଅବଦାନ ଓ ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ସେ ଆଲୋଚନା କରିଥିଲେ । ଏହା ସହିତ ସାମ୍ପ୍ରତିକ ସମୟରେ ଜୀବନଧାରଣ ଏବଂ ସଫଳତା ପାଇଁ ‘ଦକ୍ଷତା’ କେତେ ଗୁରୁତ୍ୱପୂର୍ଣ୍ଣ, ସେ ନେଇ ମୁଖ୍ୟମନ୍ତ୍ରୀ ବାଳିକାମାନଙ୍କୁ ଉତ୍ସାହିତ କରିବା ସହ ନିଜ ନିଜର ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାରା ଓଡ଼ିଶାରେ ଥିବା ଦିବ୍ୟାଙ୍ଗ ପିଲାମାନଙ୍କୁ ସରକାରଙ୍କ ପକ୍ଷରୁ ବାସଗୃହ ଯୋଗାଇ ଦିଆଯିବ । ଏହା ସହିତ ସେମାନଙ୍କ ପାଇଁ ଗ୍ୟାସ ସଂଯୋଗ, ଶୌଚାଳୟ ନିର୍ମାଣ, ଉନ୍ନତ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଭଳି ସମସ୍ତ ମୌଳିକ ସୁବିଧା ସୁଯୋଗ ସୁନିଶ୍ଚିତ କରାଯିବ । ରାଜ୍ୟର ପ୍ରତିଟି ଦିବ୍ୟାଙ୍ଗ ଭାଇଭଉଣୀ ଯେପରି ସମସ୍ତ ସରକାରୀ ସୁବିଧା ପାଇ ସୁରକ୍ଷିତ ଜୀବନଯାପନ କରିପାରିବେ, ସେଥିପାଇଁ ସରକାର ସମସ୍ତ ବ୍ୟବସ୍ଥା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଭାବବିନିମୟ ସମୟରେ ମୁଖ୍ୟମନ୍ତ୍ରୀ ବାଳିକାମାନଙ୍କୁ ପ୍ରଦାନ କରାଯାଉଥିବା ଶ୍ରବଣ ଯନ୍ତ୍ର ଓ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ସହାୟତା ସମ୍ପର୍କରେ ପଚାରି ବୁଝିଥିଲେ। ଆବଶ୍ୟକତା ଅନୁଯାୟୀ କର୍ପୋରେଟ୍ ସାମାଜିକ ଦାୟିତ୍ୱ (CSR) ପାଣ୍ଠି ଏବଂ ସରକାରୀ ଯୋଜନା ମାଧ୍ୟମରେ ସେମାନଙ୍କୁ ତୁରନ୍ତ ଉନ୍ନତମାନର ଶ୍ରବଣ ଯନ୍ତ୍ର ଯୋଗାଇ ଦେବା ପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସ୍ୱତନ୍ତ୍ର ଅତିଥିମାନେ ରାଜଧାନୀର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲି ଦେଖିବା ସହ ବେଶ୍ ଉତ୍ସାହିତ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶକ୍ରମେ ଆସନ୍ତାକାଲି ସେମାନଙ୍କର ପୁରୀ ଶ୍ରୀକ୍ଷେତ୍ର ଗସ୍ତ ଓ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷିତ ଓ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking