ଭୁବନେଶ୍ୱର: ଜଟଣୀ ଠାରେ ଦକ୍ଷତା ବିକାଶ ଅନୁଷ୍ଠାନ (ଏସ୍ଡିଆଇ) ଭୁବନେଶ୍ୱରର ସ୍ଥାୟୀ କ୍ୟାମ୍ପସ୍ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ଏଥିସହ ଆଇସିଟି-ଆଇଓସି କ୍ୟାମ୍ପସ୍ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ ହୋଇଛି । ଏହି ଅବସରରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଦେଶରେ ଶିକ୍ଷାର ଗୁଣାତ୍ମକ ମାନ କିଭଳି ରହିବ ଏବଂ ଓଡ଼ିଶାର ପିଲାମାନେ କିଭଳି ସାମଗ୍ରୀକ ଭାବେ ଏହାର ଲାଭ ପାଇପାରିବେ ସେନେଇ ବ୍ୟାପକ ଯୋଜନା ପ୍ରସ୍ତୁତ ହେଉଥିବା କହିଛନ୍ତି । ଛାତ୍ରଛାତ୍ରୀମାନେ କୁଶଳୀ ହେଲେ ଯାଇ ସ୍ୱାବଲମ୍ବୀ ହେବେ ଏବଂ ଆତ୍ମନିର୍ଭର ହୋଇପାରିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂତନ ପିଢ଼ିର ଦକ୍ଷତା ବୃଦ୍ଧି ଏକ ଜାତୀୟ ଆବଶ୍ୟକତା ତଥା ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର ଭାରତ’ର ମୂଳ ଭିତ୍ତି । ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ଯୁବପିଢ଼ିଙ୍କୁ ସମୃଦ୍ଧ କରାଇବାକୁ ଦକ୍ଷତା, ସ୍ତର ଓ ସୁଯୋଗ ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୧୫ ଜୁଲାଇ ୧୫ ତାରିଖରେ ଆରମ୍ଭ କରାଯାଇଥିବା ‘ସ୍କିଲ୍ ଇଣ୍ଡିଆ ମିସନ’ ବର୍ତ୍ତମାନ ସମୟର ଆବଶ୍ୟକତା ଅନୁଯାୟୀ ପ୍ରତି ବର୍ଷ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ୍ ଦେବାରେ ସହାୟକ ହୋଇଛି । ‘ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାଶ’ ବାସ୍ତବରେ ଦକ୍ଷତା ବିକାଶ ପାଇଁ ପ୍ରତିଷ୍ଠିତ ଏହି ଅନୁଷ୍ଠାନକୁ ଶିଖରରେ ପହଞ୍ଚାଇବ । ଏହି ଅବସରରେ ସେ ଉଦ୍ଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଥିବା ତଥା ନାସାର ‘ହ୍ୟୁମାନ୍ ଏକ୍ସପ୍ଲୋରେସନ ରୋଭର୍ ଚ୍ୟାଲେଞ୍ଜ’ ବିଜ୍ଞାନ ଫୋରମ୍ରେ ତୃତୀୟ ସ୍ଥାନ ହାସଲ କରିଥିବା ଅନିଲ ପ୍ରଧାନଙ୍କୁ ପ୍ରଶଂସା କରିଥିଲେ ।
ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭୁବନେଶ୍ୱରରେ ନୂତନ ସ୍ଥାୟୀ କ୍ୟାମ୍ପସ୍ରେ ଏସ୍ଡିଆଇ କାର୍ଯ୍ୟ ଆରମ୍ଭ କରୁଥିବାରୁ ମୁଁ ଖୁସି ବ୍ୟକ୍ତ କରୁଛି । ଏହି ଅନୁଷ୍ଠାନ ଓଡ଼ିଶାର ଯୁବପିଢ଼ିଙ୍କୁ ତାଲିମ୍ ଓ ନିଯୁକ୍ତି କ୍ଷେତ୍ରରେ ଉତ୍କର୍ଷ ହାସଲ କରିବ ବୋଲି ମୁଁ ଆଶା କରୁଛି । ବିଶ୍ୱସ୍ତରୀୟ ଶିଳ୍ପ ଅଭିବୃଦ୍ଧିକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରି ଆସିଛନ୍ତିି । ଆମର ପିଲାଙ୍କୁ ବିଶ୍ୱସ୍ତରରେ ଚାକିରି କରିବା ଲାଗି ଦକ୍ଷ କରାଇବା ଖୁବଶୀଘ୍ର ଏକ ବାସ୍ତବତାରେ ପରିଣତ ହେବ । ଓଡ଼ିଶାରେ ଶିଳ୍ପ ପରିସଂସ୍ଥାକୁ ମୂଲ୍ୟଯୁକ୍ତ କରିବାରେ ଏସ୍ଡିଆଇ ଏବଂ ଆଇସିଟି-ଆଇଓସି ସହାୟକ ହେବ ।
ଉଲ୍ଲେଖନୀୟ ଯେ, ଓଡ଼ିଶାରେ ତୈଳ ପିଏସୟୁଙ୍କ ସହଯୋଗରେ ଦକ୍ଷତା ବିକାଶ ଅନୁଷ୍ଠାନ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ କଳ୍ପନା କରିଥିଲେ । ଏହାପରେ ପ୍ରଥମ ମଡେଲ ୍ସ୍କିଲ ଡ଼େଭଲପମେଣ୍ଟ୍ ଇନଷ୍ଟିଚ୍ୟୁଟ୍ ମଞ୍ଚେଶ୍ୱର ଠାରେ ଏକ ଅସ୍ଥାୟୀ କ୍ୟାମ୍ପସରେ ୨୦୧୬ ମଇ ୯ ତାରିଖରେ ପବିତ୍ର ଅକ୍ଷୟ ତୃତୀୟାରେ ଶୁଭାରମ୍ଭ ହୋଇଥିଲା । ସେତେବେଳେ ଏହି ବୃହତ ଅନୁଷ୍ଠାନକୁ ପରିବର୍ତ୍ତନ କରି ଦେଶରେ ଏକ ଉଦାହରଣ ସୃଷ୍ଟି କଲା ଭଳି ଅନୁଷ୍ଠାନରେ ପରିଣତ କରିବାକୁ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ । ଆଜି ଭୁବନେଶ୍ୱର ଦକ୍ଷତା ବିକାଶ କେନ୍ଦ୍ର ପୂର୍ଣ୍ଣାଙ୍ଗ ହୋଇଛି । ଏହି କ୍ୟାମ୍ପସରେ ଡ଼ିଜିଟାଲ ମୋବିଲିଟି, ଡ଼ିଜିଟାଲ ଏଜୁକେସନ ମ୍ୟାନେଜମେଣ୍ଟ୍ ବ୍ୟବସ୍ଥା ରହିଛି । ପର୍ଯ୍ୟାବରଣ ସହାୟକ ସୌର ଶକ୍ତି ଓ ବାୟୋଗ୍ୟାସ ପ୍ଲାଣ୍ଟ୍ ଆଧାରରେ ଏହି ଅନୁଷ୍ଠାନ ପରିଚାଳିତ ହେବ । ଇଣ୍ଡିଆନ ଅଏଲ୍ ଏସ୍ଡିଆଇ ଏହାକୁ ଏକ ଗ୍ରୀନଫିଲ୍ଡ ମେଗା ମଡେଲ୍ ମଲ୍ଟି ସ୍କିଲିଂ ଅନୁଷ୍ଠାନ ଭାବେ ଗଢ଼ି ତୋଳିବା ପାଇଁ କାର୍ଯ୍ୟ ତ୍ୱରାନ୍ୱିତ କରିଛି ଏବଂ ଏଥିପାଇଁ ୨୫୫ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛି । ଏଥିସହ ଅତିରିକ୍ତ ୮୦ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେବାକୁ ଇଣ୍ଡିଆନ ଅଏଲ୍ ଯୋଜନା ରଖିଛି । ଓଡ଼ିଶା ସରକାରଙ୍କ ଦ୍ୱାରା ଦିଆଯାଇଥିବା ୧୬ ଏକର ପରିମିତ ଜାଗାରେ ଏହି ଅନୁଷ୍ଠାନ ତିଆରି ହୋଇଛି । ଏହାର ଭିତ୍ତିପ୍ରସ୍ତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ୨୦୧୮ ମାର୍ଚ୍ଚ ୧୮ ତାରିଖରେ ସ୍ଥାପନ କରାଯାଇଥିଲା । ବିବିଧ ପାଠ୍ୟକ୍ରମରେ ଏଠାରେ ୫୦,୦୦୦ରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀଙ୍କୁ ତାଲିମ ପ୍ରଦାନର ଲକ୍ଷ୍ୟ ରହିଛି । ଏସ୍ଡିଆଇ-ଭୁବନେଶ୍ୱରର ପାଇଲଟ୍ କ୍ୟାମ୍ପସ୍ ବିବିଧ ଟ୍ରେଡ୍ରେ ୧,୨୦୦ ବିଦ୍ୟାର୍ଥୀଙ୍କୁ ତାଲିମ ପ୍ରଦାନ କରିବା ସହ ସେମାନଙ୍କ ମଧ୍ୟରୁ ମୋଟ ୯୦%ଙ୍କୁ ନିଯୁକ୍ତି ସୁଯୋଗ ଦେଇସାରିଛି ।
ଏହି ଅବସରରେ ରାସାୟନିକ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇସିଟି)-ଆଇଓସି (ଇଣ୍ଡିଆନ ଅଏଲ) କ୍ୟାମ୍ପସର ଭୂମିପୂଜା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଅନୁଷ୍ଠାନ ପାଇଁ ଇଣ୍ଡିଆନ ଅଏଲ୍ ୯୫ କୋଟି ଟଙ୍କା ଯୋଗାଇ ଦେଇଛି । ଓଡ଼ିଶା ସରକାର ଏଥିପାଇଁ ଡେଲାଙ୍ଗ ତହସିଲର ଗୋଡ଼ିପୁଟ ମାଟିଆପଡ଼ାଠାରେ ୧୧୧.୭୯ ଏକର ଜମି ଯୋଗାଇ ଦେବାର ବ୍ୟବସ୍ଥା କରିବା ସହ ପ୍ରଥମ ପର୍ଯ୍ୟାୟରେ ୭୩.୮୬ ଏକର ଜମି ଦେଇ ସାରିଛନ୍ତି । ଜମି ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଏହି ଅନୁଷ୍ଠାନର ଭିତ୍ତିଭୂମି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତଥା ଏହା ୧୦୦୦ ବିଦ୍ୟାର୍ଥୀ (୭୦୦ ବାଳକ ଓ ୩୦ ବାଳିକା) ଏବଂ ୨୦୦ ଶିକ୍ଷକ ଓ କର୍ମଚାରୀ ରହବା ବ୍ୟବସ୍ଥା, ସ୍ମାର୍ଟ କ୍ଲାସ୍ରୁମ୍, ପ୍ରତ୍ୟକ୍ଷ ତାଲିମ ପାଇଁ କର୍ମଶାଳା ପାଇଁ ଏହାର ବିନ୍ୟାସ (ଡିଜାଇନିଂ) କରାଯାଇଛି ।’
ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ ଭର୍ଚୁଆଲ ଯୋଗେ ଯୋଡ଼ିହୋଇ କହିଥିଲେ ଯେ ସାମର୍ଥ୍ୟ ବୃଦ୍ଧି ଲାଗି ଆମର ଯୁବପିଢ଼ି ସଦ୍ୟତମ ପ୍ରଯୁକ୍ତିବିଦ୍ୟାର ସୁଯୋଗ ପାଇବା ସହ ସୃଜନଶୀଳତା ପାଇଁ ପରିବେଶ ଉପଲବ୍ଧ କରିବାର ଆବଶ୍ୟକତା ରହିଛି । ଦେଶରେ ଏବେ କାର୍ଯ୍ୟ କରୁଥିବା ମେଗା ଦକ୍ଷତା ବିକାଶ ଅନୁଷ୍ଠାନମାନଙ୍କ ମଧ୍ୟରେ ଏସ୍ଡିଆଇ ଶୀର୍ଷ ସ୍ଥାନ ବଜାୟ ରଖିବ ବୋଲି ମୁଁ ଆଶା କରୁଛି । ସେହିଭଳି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କେନ୍ଦ୍ର ପେଟ୍ରୋଲିୟମ୍ ରାଷ୍ଟ୍ର୍ରମନ୍ତ୍ରୀ ରାମେଶ୍ୱର ତେଲି ଏହି ଅନୁଷ୍ଠାନ ପେସାଦାର ଢଙ୍ଗରେ ବିଶ୍ୱସ୍ତରୀୟ ମାନ ରକ୍ଷା କରି ଚାଲିବା ସହ ବିବିଧ ଦକ୍ଷତା ବିକାଶ ତାଲିମରେ ଅଗ୍ରଣୀ ହେବ ବୋଲି କହିଛନ୍ତି ।
ଏହି ଅବସରରେ ଭୁବନେଶ୍ୱର ସାଂସଦ ଶ୍ରମତୀ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ଇଣ୍ଡିଆନ ଅଏଲର ଚେୟାରମ୍ୟାନ ଶ୍ରୀକାନ୍ତ ମାଧବ ବୈଦ୍ୟ ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।