ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଗିରଫ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଜୁନ୍ ୨ ତାରିଖକୁ ବୃଦ୍ଧି ପାଇଛି । ସିବିଆଇ ମାମଲାରେ ସିସୋଦିଆଙ୍କ ରିମାଣ୍ଡ ଶେଷ ହେବାପରେ ଆଜି ତାଙ୍କୁ ଦିଲ୍ଲୀର ରାଉଜ୍ ଏଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କ ହାଜତ ମିଆଦ ଜୁନ୍ ୨ ତାରିଖକୁ ବୃଦ୍ଧି କରିବା ସହିତ ସିବିଆଇ ଚାର୍ଜସିଟ୍ ଉପରେ ଆଗାମୀ ତାରିଖରେ ବିଚାର କରିବେ ବୋଲି କହିଛନ୍ତି ।
କୋର୍ଟରୁ ବାହାରକୁ ଆସିବା ସମୟରେ ମିଡିଆର ପ୍ରଶ୍ନର ଉତ୍ତର ଦେଇ ସିସୋଦିଆ କହିଥିଲେ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦୀ ସମ୍ବିଧାନର ପାଳନ କରିବା ଉଚିତ । ଦିଲ୍ଲୀରେ ବ୍ୟୁରୋକ୍ରାଟ୍ସଙ୍କ ଟ୍ରାନ୍ସଫର୍-ପୋଷ୍ଟିଂ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟଙ୍କ ନିଷ୍ପତ୍ତି ପରେ ସେ ଏହି ଟିପ୍ପଣୀ ଦେଇଛନ୍ତି । ଦିଲ୍ଲୀ ସରକାରଙ୍କର ବ୍ୟୁରୋକ୍ରାଟ୍ସଙ୍କ ଟ୍ରାନ୍ସଫର୍-ପୋଷ୍ଟିଂ ଅଧିକାର ରହିଛି ବୋଲି ଗୁରୁବାର ସୁପ୍ରିମ୍କୋର୍ଟ କହିଥିଲେ ।